ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ସବଳ’ କାର୍ଯ୍ୟକ୍ରମ ଅଧୀନରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ

ଭାରତ ସରକାରଙ୍କ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା (ଆରଭିୱାଇ) ଏବଂ ଆସିଷ୍ଟାନ୍ସ ଟୁ ଡିସଏବୁଲଡ୍ ପର୍ସନ୍ସ (ଏଡିଆଇପି) ଯୋଜନା ଅଧୀନରେ ଦାନଗଦୀ, ହରିଚନ୍ଦନପୁର ଏବଂ ସୁକିନ୍ଦାର ୩୨୨ ଜଣ ହିତାଧିକାରୀଙ୍କୁ ୪୨.୪୨ ଲକ୍ଷ ଟଙ୍କାର ସହାୟକ ଉପକରଣ ବଣ୍ଟନ କରାଯିବ
- ୨୩ ଜଣ ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବା ପାଇଁ ବ୍ୟାଟେରୀ ଚାଳିତ ମୋଟରାଇଜଡ୍ ଟ୍ରାଇସାଇକେଲ ପ୍ରଦାନ
କଳିଙ୍ଗନଗର : ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଫ) ର ଏକ ପ୍ରୟାସ ‘ସବଳ’ ପକ୍ଷରୁ ଦାନଗଦୀ ବ୍ଲକର ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ବୃହତ ସହାୟକ ଉପକରଣ ବଣ୍ଟନ ଅଭିଯାନ ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ତ୍ରିଜଙ୍ଗାଠାରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଫେବୃଆରୀ ୨୦, ୨୦୨୬ ରେ ସମାପ୍ତ ହେବ, ଯେଉଁଥିରେ ମୋଟ ୩୨୨ ଜଣ ହିତାଧିକାରୀ ଉପକୃତ ହେବେ ।
ଏହି ୩୨୨ ଜଣ ହିତାଧିକାରୀଙ୍କ ମଧ୍ୟରେ ୨୭୫ ଜଣ ବରିଷ୍ଠ ନାଗରିକ (୬୦ ବର୍ଷରୁ ଉର୍ଦ୍ଧ୍ୱ) ଏବଂ ୪୭ ଜଣ ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତ। ସେମାନଙ୍କୁ ଭାରତ ସରକାରଙ୍କ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା (ଆରଭିୱାଇ) ଏବଂ ଆସିଷ୍ଟାନ୍ସ ଟୁ ଡିସଏବୁଲଡ୍ ପର୍ସନ୍ସ (ଏଡିଆଇପି) ଯୋଜନା ଅଧୀନରେ ୪୨ଲକ୍ଷ ୪୨ ହଜାର ୬୬୪ ଟଙ୍କା ମୂଲ୍ୟର ସହାୟକ ଉପକରଣ ପ୍ରଦାନ କରାଯିବ ।
ଭାରତ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଟିଫିସିଆଲ୍ ଲିମ୍ବସ୍ ମାନୁଫ୍ୟାକଚରିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଏଲଆଇଏମସିଓ) ସହିତ ମିଳିତ ଭାବେ ‘ସବଳ – ପିଏମଡିକେ’ (ପ୍ରଧାନମନ୍ତ୍ରୀ ଦିବ୍ୟାଶା କେନ୍ଦ୍ର) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି। ପ୍ରକୃତ ହିତାଧିକାରୀମାନଙ୍କ ନିକଟରେ ସେବା ପହଞ୍ଚାଇବା ପାଇଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ସରପଞ୍ଚମାନଙ୍କ ସକ୍ରିୟ ସହଯୋଗରେ ଦାନଗଦୀ ବ୍ଲକରେ ସେମାନଙ୍କୁ ଚିହ୍ନଟ କରାଯାଇଥିଲା।
ପ୍ରଥମ ଦିନରେ, ତ୍ରିଜଙ୍ଗା ପଞ୍ଚାୟତ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତ୍ରିଜଙ୍ଗା ସରପଞ୍ଚ କାଗଜୀ ପାତ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ହେମାଞ୍ଜଳି ପତି ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ୧୦୦ ଜଣ ହିତାଧିକାରୀଙ୍କୁ ୨୧ଟି ମୋଟରାଇଜଡ୍ ଟ୍ରାଇସାଇକେଲ ଏବଂ ୩ଟି ହୁଇଲ ଚେୟାର ସମେତ ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯାଇଛି।
ଦିବ୍ୟାଙ୍ଗମାନଙ୍କ ପାଇଁ ସହାୟତା (ଏଡିଆଇପି) ଯୋଜନାର ଲକ୍ଷ୍ୟ ହେଉଛି ସେମାନଙ୍କୁ ଗୁଣାତ୍ମକ ସହାୟକ ଉପକରଣ ପ୍ରଦାନ କରି ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା, ଯାହା ଗତିଶୀଳତା, ଆତ୍ମନିର୍ଭରଶୀଳତା ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବ। ସେହିପରି ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା (ଆରଭିୱାଇ) ମାଧ୍ୟମରେ ଦରିଦ୍ର ସୀମାରେଖା ତଳେ ଥିବା (ବିପିଏଲ) ବୟସ ସମ୍ବନ୍ଧୀୟ ଅକ୍ଷମତା ଭୋଗୁଥିବା ବରିଷ୍ଠ ନାଗରିକଙ୍କୁ ସ୍ୱାଧୀନ ଭାବେ ଜୀବନଯାପନ କରିବା ପାଇଁ ମାଗଣା ସହାୟକ ଉପକରଣ ପ୍ରଦାନ କରାଯାଇଥାଏ ।
