Business

ଫ୍ୟାକ୍ଟ ଚେକ୍ – ୟୁନିଟ୍ ପିଛା ୩୬ ପଇସା ଅଧିକ ଆଦାୟ ଦାବି ବିଭ୍ରାନ୍ତିକର: ଓଡ଼ିଶା ଡିସକମ୍

ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୟୁନିଟ୍ ପିଛା ୩୬ ପଇସା ଅଧିକ ଆଦାୟ କରାଯାଉଥିବା ନେଇ ନିକଟରେ ଯେଉଁ ଅଭିଯୋଗ ହୋଇଛି, ତାହା ସମ୍ପୂର୍ଣ୍ଣ ଭାବେ ତଥ୍ୟହୀନ ଏବଂ ଭୁଲ୍ ବୋଲି ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ। ଏଭଳି ଦାବି ବିଦ୍ୟୁତ୍ ଆଇନ, ୨୦୦୩ ଏବଂ ଓଇଆରସି ଟାରିଫ୍ ନିୟମାବଳୀ, ୨୦୨୨ ଅଧୀନରେ ଥିବା ଦର ନିର୍ଦ୍ଧାରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛି।

ପ୍ରତିବର୍ଷ ବିଦ୍ୟୁତ ବିତରଣ କମ୍ପାନୀ ଗୁଡ଼ିକ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ନିଜର ମୋଟ ରାଜସ୍ୱ ଆବଶ୍ୟକତା (ଏଆରଆର) ଦାଖଲ କରନ୍ତି। ଏହାପରେ ଆୟୋଗ ଉପଭୋକ୍ତା, ସାଧାରଣ ଜନତା, ଓଡ଼ିଶା ସରକାର, ଗ୍ରୀଡକୋ, ଓପିଟିସିଏଲ୍ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମତାମତ ଲୋଡିଥାନ୍ତି। ଅଡିଟ୍ ହୋଇଥିବା ତଥ୍ୟର ଟିକିନିଖି ଯାଞ୍ଚ ପରେ ହିଁ ଆୟୋଗ ବିଭିନ୍ନ ବର୍ଗର ଉପଭୋକ୍ତାଙ୍କ ପାଇଁ ଟାରିଫ୍ ଚୂଡ଼ାନ୍ତ କରିଥାନ୍ତି।

ଆୟୋଗଙ୍କ ଦ୍ୱାରା ଅନୁମୋଦିତ ଟାରିଫ୍ ଢାଞ୍ଚାରେ ଆଇନଗତ ଭାବେ ସ୍ୱୀକୃତ କ୍ରସ୍-ସବସିଡି ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାରେ ଶିଳ୍ପ, ବାଣିଜ୍ୟିକ ଏବଂ ଅନ୍ୟାନ୍ୟ ଅଧିକ ଦେୟ ଦେଉଥିବା ଉପଭୋକ୍ତାମାନେ ଅଧିକ ଦର ବହନ କରନ୍ତି, ଯାହା ଫଳରେ ଘରୋଇ ଏବଂ କୃଷି ଉପଭୋକ୍ତାଙ୍କୁ ରିହାତି ଦରରେ ବିଜୁଳି ଯୋଗାଇ ଦିଆଯାଇପାରିବ। ତେଣୁ ସମସ୍ତ ଉପଭୋକ୍ତାଙ୍କଠାରୁ ସମାନ ଭାବରେ ଅଧିକ ଟଙ୍କା ଆଦାୟ କରାଯାଉଛି ବୋଲି କହିବା ଏହି ସ୍ୱଚ୍ଛ ତଥା ଆଇନଗତ ବ୍ୟବସ୍ଥାକୁ ଅସ୍ୱୀକାର କରିବା ସହ ସମାନ।

ପ୍ରତି ଆର୍ଥିକ ବର୍ଷ ଶେଷରେ ବିଦ୍ୟୁତ ନିୟାମକ ଆୟୋଗ ‘ଟ୍ରୁ-ଅପ୍’ ନାମକ ଏକ ସମୀକ୍ଷା ପ୍ରକ୍ରିୟା କରିଥାନ୍ତି। ଏଥିରେ ବିଦ୍ୟୁତ ବିତରଣ କମ୍ପାନୀ ଗୁଡିକର ଆନୁମାନିକ ତଥ୍ୟ ସହ ପ୍ରକୃତ ବିକ୍ରି ଓ ଖର୍ଚ୍ଚର ତୁଳନା କରାଯାଏ। ଯଦି କୌଣସି ବଳକା ବା ନିଅଣ୍ଟ ଅର୍ଥ ଥାଏ, ତେବେ ଆଇନ ଅନୁଯାୟୀ ପରବର୍ତ୍ତୀ ବର୍ଷର ଟାରିଫ୍ ନିର୍ଦ୍ଧାରଣ ସମୟରେ ତାହାକୁ ଆଡଜଷ୍ଟ କରାଯାଏ।

ଯେହେତୁ ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ‘ଟ୍ରୁ-ଅପ୍’ ପ୍ରକ୍ରିୟା ଏବେ ମଧ୍ୟ ବାକି ଅଛି, ତେଣୁ ଅଧିକ କିମ୍ବା କମ୍ ଆଦାୟ ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତିରେ ପହଞ୍ଚିବା ଅପରିପକ୍ୱ ଏବଂ ବିଭ୍ରାନ୍ତିକର ଅଟେ। ୟୁନିଟ୍ ପିଛା ୩୬ ପଇସା ଅଧିକ ଆଦାୟ ର ଅଭିଯୋଗ କିଛି ଭୁଲ୍ ତଥ୍ୟ ଉପରେ ଆଧାରିତ। ଏହି ଦାବି କରିବା ସମୟରେ ପୁରୁଣା ବକେୟା ଆଦାୟକୁ ରାଜସ୍ୱ ସହ ମିଶାଇ ଭୁଲ୍ ଭାବେ ବ୍ୟାଖ୍ୟା କରାଯାଇଛି ଏବଂ ୨୦୨୪-୨୫ ବର୍ଷର ପ୍ରକୃତ ଖର୍ଚ୍ଚ ତଥ୍ୟକୁ ବିଚାରକୁ ନିଆଯାଇନାହିଁ।

ଏନେଇ ଟାଟା ପାୱାର ଓଡ଼ିଶା ବିଦ୍ୟୁତ ବିତରଣ କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି: “ଓଡ଼ିଶାର ଟାରିଫ୍ ନିର୍ଦ୍ଧାରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ, ସହଭାଗିତା ଉପରେ ପର୍ଯ୍ୟବସିତ ଏବଂ ଏହା ମାନ୍ୟବର ବିଦ୍ୟୁତ ନିୟାମକ ଆୟୋଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥାଏ। ଅଧିକ ଟଙ୍କା ଆଦାୟର ଅଭିଯୋଗ ଆଇନଗତ ଢାଞ୍ଚା, କ୍ରସ୍-ସବସିଡି ବ୍ୟବସ୍ଥା ଏବଂ ଟ୍ରୁ-ଅପ୍ ପ୍ରକ୍ରିୟାକୁ ଅଣଦେଖା କରୁଛି। ସର୍ବସାଧାରଣରେ ପ୍ରଚାରିତ ହେଉଥିବା ଏଭଳି କାଳ୍ପନିକ ଏବଂ ଅସମ୍ପୂର୍ଣ୍ଣ ତଥ୍ୟ ଦ୍ୱାରା ବିଭ୍ରାନ୍ତ ନ ହେବାକୁ ଆମେ ବିନମ୍ର ଅନୁରୋଧ କରୁଛୁ।”

ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରର ସଂସ୍କାର ସର୍ବଦା ସ୍ଥିରତା, ସୁଲଭ ମୂଲ୍ୟ ଏବଂ ଉପଭୋକ୍ତା ସୁରକ୍ଷା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି। ସ୍ୱଚ୍ଛତା ଏବଂ ନିୟାମକଙ୍କ ତତ୍ତ୍ୱାବଧାନରେ ଗଢି ଉଠିଥିବା ଏହି ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଦୁର୍ବଳ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ବ୍ୟାଖ୍ୟା ମାଧ୍ୟମରେ ବିଭ୍ରାନ୍ତି ସୃଷ୍ଟି କରିବା ଦୁର୍ଭାଗ୍ୟଜନକ।

Share

Leave a Reply

Your email address will not be published. Required fields are marked *

1 × four =