ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଶୁଭେନ୍ଦ୍ର ଏବଂ ସାସକିଆ ରାଓ ଫାଉଣ୍ଡେସନ୍ ଏବଂ ଆସ୍‌ପାୟାରର ସହଭାଗିତାରେ ‘ସାରେ ଗାଏଁ’ ର ଶୁଭାରମ୍ଭ

କଳିଙ୍ଗନଗର: ଛାତ୍ରଛାତ୍ରୀମାନଙ୍କୁ ସଂଗୀତ ଆଧାରିତ ଅଧ୍ୟୟନ ପଦ୍ଧତି ବିଷୟରେ ପରିଚିତ କରାଇବା ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ଶୁଭେନ୍ଦ୍ର ଓ ସାସକିଆ ରାଓ ଫାଉଣ୍ଡେସନ୍ ଓ ଆସ୍‌ପାୟାରର ସହଭାଗିତାରେ ଏକ ସ୍ୱତନ୍ତ୍ର ଶିକ୍ଷା କାର୍ଯ୍ୟକ୍ରମ “ସାରେ ଗାଏଁ” ର ଶୁଭାରମ୍ଭ କରାଯାଇଛି । ପ୍ରାରମ୍ଭରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ୨୫ଟି ଆବାସିକ ସେତୁ ପାଠ୍ୟକ୍ରମ (ଆରବିସି) କେନ୍ଦ୍ରରେ ଏହାକୁ କାର୍ଯ୍ୟକାରୀ କରାଯିବ ଓ ଏହା ଓଡ଼ିଶାର ୬ଟି ଆଦିବାସୀ ବ୍ଲକ୍‌ର ୨୭୦୦ ପିଲାଙ୍କ ନିକଟରେ ପହଞ୍ôଚପାରିବ ।

ବିଶ୍ୱର ପ୍ରତିଷ୍ଠିତ ସଂଗୀତଜ୍ଞ ପଣ୍ଡିତ ଶୁଭେନ୍ଦ୍ର ରାଓ ଏବଂ ସଂଗୀତାଚାର୍ଯ୍ୟ ସାସକିଆ ରାଓ-ଦି ହାସ କଳିଙ୍ଗନଗର ସ୍ଥିତ ଲୋଏଲା ସ୍କୁଲରେ ଏକ କନର୍ସଟ୍‌-କମ୍ ଲେକ୍‌ଚର ମାଧ୍ୟମରେ “ସାରେ ଗାଏଁ” ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ସ୍ଥାନୀୟ ଲୋକମାନଙ୍କୁ ମିଶାଇ ୫୦୦ରୁ ଋର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ । ହୋ ଜନଜାତିର ମନ୍ଦାର ଏବଂ ନଗଡ଼ା ବାଦକମାନେ ମଧ୍ୟ ମଂଚରେ ଯୋଗ ଦେଇଥିବାରୁ ଏହି ସଂଗୀତ ପ୍ରଦର୍ଶନ ଅତ୍ୟନ୍ତ ଅନନ୍ୟ ଥିଲା । ଏହି ପ୍ରଦର୍ଶନ ପରେ ଶୁଭେନ୍ଦ୍ର ରାଓ ଏବଂ ସାସକିଆ ରାଓ-ଡି ହାସ୍ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହିତ ଏକାଠି ଗୀତ ମଧ୍ୟ ଗାଇଥିଲେ । କଳିଙ୍ଗନଗରେ ଏହି ସ୍ୱତନ୍ତ୍ର ଏବଂ ଐତିହାସିକ କାର୍ଯ୍ୟକ୍ରମ ସମସ୍ତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।

ଏହି ଅବସରରେ ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୪ରେ ଶୁଭାରମ୍ଭ ହୋଇଥିବା ଶୁଭେନ୍ଦ୍ର ଏବଂ ସାସକିଆ ରାଓ ଫାଉଣ୍ଡେସନ୍ ଅଭିନବ ଓ ନୂତନ ପଦ୍ଧତିକୁ ଉପଯୋଗ କରି ଶାସ୍ତ୍ରୀୟ ସଂଗୀତ ଉପରେ ଶିକ୍ଷା ପ୍ରଦାନ ଜରିଆରେ ଛାତ୍ରଛାତ୍ରୀମାନଙ୍କ ସଶକ୍ତିକରଣ ଓ ସେମାନଙ୍କ ଉତ୍‌ଥାନ ଦିଗରେ କାର୍ଯ୍ୟ କରୁଛି ।
ଉକ୍ତ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ସ୍ଥାନୀୟ ଆଦିବାସୀ ସମୁଦାୟର ସଂଗୀତ ଓ ନୃତ୍ୟ ବିଷୟରେ ଜାଣିବା ପାଇଁ ପଣ୍ଡିତ ଶୁଭେନ୍ଦ୍ର ରାଓ ଓ ସଂଗୀତାଚାର୍ଯ୍ୟ ସାସକିଆ ରାଓ-ଡି ହାସ ମିରିଗିଚରା ଗ୍ରାମ ପରିଦର୍ଶନ କରିଥିଲେ । ଏହି ଅବସରରେ ହୋ ସମୁଦାୟ ପକ୍ଷରୁ ଏକ ମାଘେ ପେରି ନୃତ୍ୟ ପରିବେଷଣ କରାଯାଇଥିଲା ।

ଶୁଭେନ୍ଦ୍ର ଓ ସାସକିଆ ରାଓ ଫାଉଣ୍ଡେସନ୍ ଟିମ୍ ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ବର୍ତ୍ତମାନ ଏକ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହାପରେ ୨୫ଟି ଆରବିସିରେ ଏହି ୩-ମାସିଆ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ ।

Share

Leave a Reply

Your email address will not be published. Required fields are marked *

seventeen − six =