ଉଜ୍ୱଳା ଯୋଜନାରେ ନିଆଁ କମ୍ ଧୂଆଁ ବେଶୀ

ଭୁବନେଶ୍ୱର () କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀ ବାହାସ୍ପୋଟ ମାରୁଥିବାବେଳେ, ଏ ଯୋଜନାର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁ ଉଜ୍ୱଳା ଯୋଜନାରେ ହେଉଥିବା ଘୋଟାଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ।
ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଆରମ୍ଭ ହେବା ପୂର୍ବରୁ ଦେଶରେ ରାଜୀବ ଗାନ୍ଧୀ ଗ୍ରାମୀଣ ଏଲପିଜି ବିତରଣ ଯୋଜନାରେ ୧,୬୨,୩୮,୦୬୯ ବିପିଏଲ ପରିବାରକୁ ରନ୍ଧନଗ୍ୟାସ ଯୋଗାଇ ଦିଆଯାଇଥିଲା । ୧ ମେ ୨୦୧୬ରେ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାର ଶୁଭାରମ୍ଭ କରି ଦେଶର ୫କୋଟି ବିପିଏଲ ପରିବାରଙ୍କୁ ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇ ଦେବାକୁ ଯେଉଁ ଘୋଷଣା କରିଥିଲେ ତାହା ସଂପୂର୍ଣ୍ଣ ଭାବରେ ଫେଲମାରିଛି । ମାଗଣା ଗ୍ୟାସ ସଂଯୋଗ ନାରେ ଗ୍ୟାସ କନେକସନ୍ ପାଇଁ ୧୬୦୦ ଟଙ୍କା ହିତାଧିକାରୀଙ୍କୁ ଦେବାକୁ ପଡ଼ିଲା ଓ ଏଥିରେ ଗ୍ୟାସ ସମେତ ଚୁଲା, ପାଇପ୍ ଓ ରେଗୁଲେଟରକୁ ମଧ୍ୟ ଯୋଗ କରିଦିଆଗଲା ।
ସରକାର ୫ଶହ ଟଙ୍କାର ରନ୍ଧନଗ୍ୟାସ ଚୁଲାକୁ ୯୯୦ ଟଙ୍କାରେ ବିକ୍ରୟ କରି  ଗରୀବ ହିତାଧିକାରୀଙ୍କୁ ଲୁଟୁଛନ୍ତି। ଏ ହରିଲୁଟରେ ସାମିଲ୍ ହୋଇ କେନ୍ଦ୍ର ସରକାର ଚୁଲା ତିଆରି କରୁଥିବା କମ୍ପାନୀମାନଙ୍କ ପାଖରୁ ବିନା ଟେଣ୍ଡରରେ ବ୍ୟାପକ ପିସି ଆଦାୟ କରିଛନ୍ତି ବୋଲି ସୋନାଲି ଅଭିଯୋଗ କରିଛନ୍ତି ।
ଏବେ ଏହି ଯୋଜନା ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ  । ଗ୍ୟାସର ବଜାର ଦର ବିଗତ ତିନି ବର୍ଷରେ ପାଖାପାଖି ତିନିଗୁଣ ବୃଦ୍ଧି ପାଇବା ସହିତ ଘରୋଇ ରନ୍ଧନ ଗ୍ୟାସ ବ୍ୟବହାରକାରୀଙ୍କ ପାଇଁ ଆଥିର୍କ ବୋଝ ସଦୃଶ ଏବଂ ଗ୍ୟାସ ଯୋଗାଣ କରୁଥିବା କମ୍ପାନୀ ମାନଙ୍କର  ଲାଭାଂଶ କେତେ ପ୍ରତିଶତ ବଢ଼ିଛି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତାହାର ଉତର ଜନସାଧାରଣଙ୍କ ପାଖରେ ରଖିବାକୁ ସେ ଦାବି କରିଛନ୍ତି ।
ସବୁଠୁ ଆଶ୍ଚର୍ଯ୍ୟର ଘଟଣା ହେଉଛି ଯେଉଁମାନଙ୍କୁ ନୂଆକରି ଗ୍ୟାସ୍ କନେକସନ୍ ଦିଆଯାଇଛି ସେମାନେ ବର୍ଷକରେ ମାତ୍ର ଥରେ କିମ୍ବା ଦୁଇଥର ଗ୍ୟାସ ରିଫିଲିଂ କରିଛନ୍ତି ଓ ଏଠି ପ୍ରଶ୍ନ ଉଠୁଛି ବଳକା ଗ୍ୟାସ ଗଲାକୁଆଡେ଼ ? ସରକାରୀ ହିସାବ ଅନୁସାରେ ଦେଶରେ ଗ୍ୟାସ କନେକସନ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ହେବାଠାରୁ ବର୍ଷକୁ ହାରାହାରୀ ୧୬.୨୬ ପ୍ରତିଶତ ବଢ଼ିଥିବା ବେଳେ ସିିଲିଣ୍ଡର ତିଆରି ମାତ୍ର ୯% ବୃଦ୍ଧିପାଇଛି । ତେବେ ଏହି ଗ୍ୟାସ କନେକସନ କେଉଁ ବାଟରେ ବ୍ୟବହାର କରାଯାଉଛି । ସିଏଜି ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଆରମ୍ଭ ହେବା ପୂର୍ବରୁ ବାର୍ଷିକ ଗ୍ୟାସ ସଂଯୋଗ ୬.୨୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପରବର୍ତୀ ଅବସ୍ଥାରେ ଏହା ୫.୬ ପ୍ରତିଶତକୁ ଖସି ଆସିଛି । ଖାଉଟିଙ୍କ ସଂଖ୍ୟା ୨୦୧୫-୧୬ ଏବଂ ୨୦୧୬-୧୭ରେ ୧୬.୯ ପ୍ରତିଶତ ବଢ଼ିଥିବା ବେଳେ ଗ୍ୟାସ ବ୍ୟବହାରୀଙ୍କ ସଂଖ୍ୟା ମାତ୍ର ୦.୮ ପ୍ରତିଶତ । ଏଥିରୁ ଜଣାପଡ଼ୁଛି କେନ୍ଦ୍ର ସରକାର ଜନସାଧାରଣଙ୍କ ଆଗରେ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

16 − 15 =