ସଙ୍କଟରେ ଲିଙ୍ଗରାଜ : ଏଏସଆଇ ଅବହେଳାର ମୁକସାଖୀ

ଭୁବନେଶ୍ବର (): ବିପଦସଙ୍କୁଳ ଅବସ୍ଥାରେ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ବିଭିନ୍ନ ସ୍ଥାନରେ ଫାଟ ସାଙ୍ଗକୁ ବର୍ଷା ହେଲେ ପାଣି ଗଳୁଛି । ଭାରତୀୟ ପତ୍ନତତ୍ବ ବିଭାଗ ଭୁବନେଶ୍ବରର ଏହି ପ୍ରସିଦ୍ଧ ଶୈବ ପୀଠକୁ ଯେତିକି ଗୁରୁତ୍ବ ଦେବା କଥା ଦେଉନାହାଁନ୍ତି । ଏପରିକି ଏହି କଳା ଭାସ୍କର୍ଯ୍ୟ ପରିପୂର୍ଣ୍ଣ ମନ୍ଦିରର ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ କି ଯୋଜନା ବି ନାହିଁ । ଏନେଇ ଦେବୋତ୍ତର କମିଶନ ଉଦବେଗ ପ୍ରକାଶ କରିବା ସହ ଏଏସଆଇ ଡିଜିଙ୍କୁ କଡା ଚିଠି ଲେଖିଛନ୍ତି ।

ପ୍ରଭୁ ଲିଙ୍ଗରାଜ ମନ୍ଦିର ଦଧିନଉତି ଓ ଚୁଡାରେ ଫାଟ ହୋଇଛି। ଯେଉଁଥିପାଇଁ ବର୍ଷା ପାଣି ଗଳୁଛି। ସେହିପରି ପାର୍ବତୀ ମନ୍ଦିର, ଜଗମୋହନ, ରୋଷଶାଳା ଓ ଭୋଗ ମଣ୍ଡପରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବେଢ଼ାର ଅନେକ ମନ୍ଦିରରେ ଫାଟ ହୋଇଛି। ଏନେଇ ଏଏସଆଇକୁ କୁହାଯାଇଛି। ବର୍ତ୍ତମାନ ପ୍ରତିଦିନ ମନ୍ଦିରକୁ ୮ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି। ଏପରି ସ୍ଥିତିରେ ଏଏସଆଇ କାହିଁକି ଅଣଦେଖା କରୁଛି ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ଲିଙ୍ଗରାଜଙ୍କ ପତାକା ବାନ୍ଧିବାକୁ ପ୍ରତିଦିନ ଚୁଡାକୁ ଚଢୁଥିବା ସେବାୟତ ଚୁଡାରେ ଫାଟ ସମ୍ପର୍କରେ ଏଏସଆଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ କୌଣସି କାମ ହେଉନି । ଏପରିକି ମନ୍ଦିର ଚତୁର୍ପାର୍ଶ୍ବରେ ଲାଗିଥିବା ଦେବାଦେବୀଙ୍କ ମୂର୍ତ୍ତି ମଧ୍ୟ କ୍ଷତିଗ୍ରସ୍ତ ହେଲା । ସେଗୁଡିକର ତୁରନ୍ତ ମରାମତି ଆବଶ୍ୟକ ବୋଲି ଦେବୋତ୍ତର କମିଶନ କହିଛନ୍ତି ।

ସେହିଭଳି ମୁଖ୍ୟ ମନ୍ଦିର ସମେତ ପାର୍ବତୀ ମନ୍ଦିର, ଜଗମୋହନ, ରୋଷଶାଳା, ଭୋଗ ମଣ୍ଡପ, ବିଶ୍ବକର୍ମା ମନ୍ଦିର, ଭୁବନେଶ୍ବରୀ ମନ୍ଦିର, ଏକାମ୍ରଶ୍ବର ମନ୍ଦିର, ଉଗ୍ରଶ୍ବର ମହାଦେବ ମନ୍ଦିର ଓ ଗଣେଷ ମନ୍ଦିରର ଯୋଡେଇ ସ୍ଥାନରେ ଫାଟ ହୋଇଥିବାରୁ ବର୍ଷାଦିନେ ପାଣି ଲିକ କରୁଛି । ମନ୍ଦିର ବେଢା ମଧ୍ୟରେ ଥିବା ମନ୍ଦିର ଗୁଡିକର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ହେଉନଥିବାରୁ ଅଧିକାଂଶ ମନ୍ଦିରରେ ଫାଠ ଦେଖାଦେଲାଣି । ଏହି ପୂରାତନ ମନ୍ଦିରକୁ ବର୍ଷା କି ଖରାରୁ ରକ୍ଷା କରିବା ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନି । ଏହାଦ୍ବାରା ଏହା ଏବେ ଭଗ୍ନପ୍ରାୟ ଅବସ୍ଥାକୁ ଆସିଲାଣି ବୋଲି ଦେବୋତ୍ତର କମିଶନ ଉଦବେଗର ସହ କହିଛନ୍ତି ।

ମନ୍ଦିରର ବିଭିନ୍ନ ସ୍ଥାନରେ ଶିଉଳି ଓ ଗଛ ଉଠିଲାଣି । ପୂର୍ବରୁ ପ୍ରତିବର୍ଷ ଏଏସଆଇ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟକ୍ରମର ଏହାର ସଫା କରୁଥିଲେ । କିନ୍ତୁ ଗତ 4-5 ହେଲା ଶିଉଳି ସଫା ହେଉନି । ଏହାଦ୍ବାରା ପ୍ରକୃତିର ଦାଉ ଏହି ମନ୍ଦିର ଉପରେ ପଡୁଛି । ଏଡିଏମ ଏବଂ ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କହିବା ଅନୁଯାୟୀ ଏଏସଆଇ ଓଡିଶା ସର୍କଲଙ୍କୁ ବାରମ୍ବାର ଏ ସଂପର୍କରେ ଜଣାଯାଇଛି । କିନ୍ତୁ ସେମାନେ ଏଦିଗରେ ଧ୍ୟାନ ଦେଉନାହାଁନ୍ତି । ଏବେ ଯାହା ସ୍ଥିତି ଅଛି, ଯେକୌଣସି ସମୟରେ ମନ୍ଦିରରୁ ପଥର ଖସିବ ବୋଲି ସେ କହିଛନ୍ତି ।

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କହିବା ଅନୁଯାୟୀ ଗର୍ଭଗୃହ ଓ ଭୋଗମଣ୍ଡକୁ ଚୁନ ଓ ଫିଟିକିରି ଦେଇ ପ୍ରତିଦିନ ସଫା କରାଯିବା କଥା କିନ୍ତୁ ତାହା ହେଉନି । ପାପନାଶିନୀ ପୋଖରୀକୁ ସଂଯୋଗ କରୁଥିବା ପାଦୁକା ନଳାଟି ନଷ୍ଟ ହୋଇଯାଇଛି । ତେଣୁ ଏଏସଆଇ କର୍ତ୍ତୃପକ୍ଷ ଏକ ସାମୟୀକ ମରାମତି ଭାବେ ଏକ ଗର୍ତ୍ତ କରିଛନ୍ତି ଯାହାଦ୍ବାରା ଗର୍ଭଗୃହର ପାଣି ପଦାକୁ ବାହାରୁଛି । କିନ୍ତୁ ଧାର୍ମୀକ ବିଶ୍ବାସ ଥିବା ପାପନାଶିନୀ ପୋଖରୀକୁ ପାଣି ଯାଉନି । ଶାସ୍ତ୍ର ଅନୁୟାୟୀ ପ୍ରଭୁ ଲିଙ୍ଗରାଜ ପ୍ରଥମା ଅଷ୍ଟମୀରେ ପାପନାଶିନୀ ପୋଖରୀରେ ସ୍ନାନ କରନ୍ତି । ଏପରିକି ସନ୍ତାନ ପ୍ରାପ୍ତି ପାଇଁ ମହିଳାମାନେ ଏକ ନିର୍ଦ୍ଧିଷ୍ଟ ସମୟରେ ଏଠାରେ ସ୍ନାନ କରିଥାନ୍ତି ।

ସେହିଭଳି ନିଶା କାର୍ତ୍ତିକ, ନିଶା ଗଣେଷ ଓ ନିଶା ପାର୍ବତୀ ମନ୍ଦିରରେ ଲୁହା ଗେଟ ଲାଗିନଥିବାରୁ ଏହିସବୁ ମନ୍ଦିରରୁ ରାତିରେ ନିୟମିତ ଭାବେ ଚୋରୀ ହେଉଛି । ପୂର୍ବରୁ ଲିଙ୍ଗରାଜ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ 10ରୁ 12 ଜଣ ଏଏସଆଇର କର୍ମଚାରୀ ଥିଲେ । ଏବେ କିନ୍ତୁ ମାତ୍ର ଦୁଇ ତିନି ଜଣ ଏହି କାର୍ଯ୍ୟରେ ଅଛନ୍ତି । ଏହିଭଳି ମନ୍ଦିରର ବିଭିନ୍ନ ସମସ୍ୟାକୁ ନେଇ ସେ ଏଏସଆଇ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସେପଟେ ଶ୍ରୀଲିଙ୍ଗରାଜ ମନ୍ଦିରର ସ୍ଥିତି ନେଇ କିଛି ଦିନ ତଳେ ଏଏସଆଇ ସହ ଆଲୋଚନା ହୋଇଥିଲା।  ଖୁବଶୀଘ୍ର ମରାମତି ନେଇ ସେ ପ୍ରତିଶ୍ରୁତି ଦେଇଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Share

Leave a Reply

Your email address will not be published. Required fields are marked *

five + 3 =