ଚାଷୀର ହକ ପାଇଁ କାମ କରୁଛନ୍ତି ରାଜ୍ୟ ସରକାର : ମୁଖ୍ୟମନ୍ତ୍ରୀ

ନୂଆପଡା () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡା ଜିଲ୍ଲା ଗସ୍ତ କରି 237 କୋଟି ଟଙ୍କାର 39ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ମୁଖ୍ୟତଃ ରାସ୍ତା, ସେତୁ ଓ ପାନୀୟ ଜଳ ପ୍ରକଳ୍ପ ପରି ଭିତ୍ତିଭୂମୀ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ।

ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ସବୁବେଳେ ଚାଷୀ ପରିବାର ସହ ଅଛନ୍ତି ଏବଂ ସେମାନଙ୍କ ପାଇଁ କାମ କରୁଛନ୍ତି ଓ କରିଚାଲିବେ । ଚାଷୀଭାଇଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଗୁରୁତ୍ବ ଦେଇ କାମ କରୁଛନ୍ତି । କୃଷି ପାଇଁ ସ୍ବତନ୍ତ୍ର ବଜେଟ, କୃଷି ନୀତି ସହିତ କୃଷି କ୍ୟାବିନେଟ ଗଠନ କରାଯାଇଛି । ନିକଟରେ ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ଓ କାଳିଆ ଛାତ୍ରବୃତ୍ତି ଚାଷୀ ପରିବାରର ଉନ୍ନତି ସହିତ କୃଷି ଅର୍ଥନୀତିକୁ ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କାଳିଆ ଯୋଜନାର ଦ୍ବିତୀୟ କିସ୍ତି ସହାୟତା ଅପ୍ରେଲ ପହିଲା ଉତ୍କଳ ଦିବସ ଦିନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀକୁ ତାର ହକ ଦେବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀର ସ୍ବାର୍ଥ ରକ୍ଷା ପାଇଁ ଏକ ବଳିଷ୍ଠ ପଦକ୍ଷେପ । ସାରା ଦେଶକୁ ଏହି ଯୋଜନା ରାସ୍ତା ଦେଖାଇଛି । ଗରିବୀ ଦୂର କରିବା ଓ ଚାଷୀର ଅବସ୍ଥାରେ ଉନ୍ନତି ଆଣିବା ପାଇଁ କାଳିଆ ଯୋଜନା ଏକ ଅମୋଘ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଚାଷୀ ଓ ମିଶନ ଶକ୍ତି ମା ମାନଙ୍କୁ ବିନା ସୂଧରେ ଋଣ ଉଭୟଙ୍କୁ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରୁ ଭୁମିହୀନ, କୃଷି ଶ୍ରମିକ ଓ ଭାଗଚାଷୀଙ୍କୁ ବଂଚିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ତେଣୁ କାଳିଆ ଯୋଜନା କେନ୍ଦ୍ର ଯୋଜନାଠାରୁ ବହୁତ ଭଲ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 6ହଜାର ଟଙ୍କା ବଦଳରେ 10 ହଜାର ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା ମାନଙ୍କୁ ସିଡ ମନି, ମୋବାଇଲ ଓ ବ୍ଲକସ୍ତରୀୟ ମହାସଂଘକୁ ଆର୍ଥିକ ସହାୟତା, ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ଏବଂ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୁମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × four =