୧୧୦୦ କୋଟିର ସହାୟତା ପ୍ରଦାନ ଲାଗି ଦାବି

ଭୁବନେଶ୍ୱର()  କେନ୍ଦ୍ରୀୟ ଟିମ୍‌କୁ ସହାୟତା ପ୍ରଦାନ ଲାଗି ଦାବି ଜଣାଇଲା ରାଜ୍ୟ । ୧୧୦୦ କୋଟି ଟଙ୍କା ସହାୟତା ଯୋଗାଇବା ପାଇଁ ଦାବି ଜଣାଇଲା ରାଜ୍ୟ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ୩ ବନ୍ୟା ପ୍ରଭାବିତ  ଜିଲ୍ଲା ବୁଲି ସ୍ଥିତି ସମୀକ୍ଷା କରିଥିଲା କେନ୍ଦ୍ରୀୟ ଟିମ୍ । ଏହାପରେ ଗୁରୁବାର ରାଜ୍ୟ ସଚିବାଳୟରେ କେନ୍ଦ୍ରୀୟ ଟିମ୍ ସହ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବନ୍ୟା ଜନିତ କ୍ଷୟକ୍ଷତି ଓ ଏହା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କିତ ଏକ ରିପୋର୍ଟ କେନ୍ଦ୍ରୀୟ ଟିମ୍ ନିକଟରେ ଉପସ୍ଥାପନ କରାଯାଇଥିଲା ।  ରାଜ୍ୟ ସରକାରଙ୍କ ବନ୍ୟା ବରବର୍ତ୍ତୀ ପଦକ୍ଷେପକୁ ପ୍ରଶଂସା କରିଛି କେନ୍ଦ୍ରୀୟ ଟିମ୍ । ଏଥିସହିତ ଏସ୍‌ଡିଆରଏଫ୍‌ ନିୟମାନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛି ଟିମ୍ । ନଦୀବନ୍ଧ ନିର୍ମାଣ ଓ ମରାମତି, କ୍ଷତିଗ୍ରସ୍ତ ଗୃହ ଓ ଅନ୍ୟ ଭିତ୍ତିଭୂମି ସଜାଡ଼ିବା ନେଇ ସହାୟତା ଯୋଗାଇଦେବାକୁ ଦାବି କରିଛି ରାଜ୍ୟ  । ସୂଚନା ଯୋଗ୍ୟ ଯେ, ବନ୍ୟାରେ ମୋଟ ୨.୨୫ ଲକ୍ଷ ହେକ୍ୱର ଚାଷ ଜମି ଓ ଫସଲ ପ୍ରଭାବିତ ହୋଇଥିବା ବେଳେ ୩୩ ପ୍ରତିଶତରୁ ଅଧିକା ନଷ୍ଟ ହୋଇଛି । ଏଥିସହିତ ୧.୨୦ ଲକ୍ଷ ବାସଗୃହ ମଧ୍ୟ ଭାଙ୍ଗିଯାଇଥିବା ସହ ରାସ୍ତାଘାଟ ମଧ୍ୟ କ୍ଷୟକ୍ଷତି ଘଟିଛି । ତେବେ ଏହି ସହାୟତା ରାଶି ସମେତ ବିପର୍ଯ୍ୟୟ ପ୍ରତିରୋଧ ନିମନ୍ତେ ସ୍ଥାୟୀ ପଦକ୍ଷେପ ନେଇ ଆବଶ୍ୟକ ଅର୍ଥ ଚୂଡ଼ାନ୍ତ ସ୍ମାରକପତ୍ରରେ ସାମିଲ କରି କେନ୍ଦ୍ର ସରକାରଙ୍କୁ ଦିଆଯିବ ବୋଲି କହିଛନ୍ତି ଏସ୍‌ଆରସି ପ୍ରଦୀପ କୁମାର ଜେନା ।

ସୂଚନାଯୋଗ୍ୟ, ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୧ ତାରିଖରେ ୩୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଏଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ ବୋଲି ଘୋଷଣା ହୋଇଥିଲା । ସରକାର ଘୋଷଣା କରିଛନ୍ତି, ବନ୍ୟା କ୍ଷତିଗ୍ରସ୍ତ ଜଳସେଚିତ ଜମି ପ୍ରତି ହେକ୍ଟର ପିଛା ୧୩,୫୦୦ ଟଙ୍କା ଓ ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୬୮୦୦ ଟଙ୍କା ମିଳିବ । ବ୍ୟବସାୟିକ ଫସଲ ଯଥା-କାଜୁ, ନଡ଼ିଆ, ପାନ ଓ ଆମ୍ବ ଆଦି ପାଇଁ ଏକର ପିଛା ୧୮ ହଜାର ଟଙ୍କା ମିଳିବ । ମତ୍ସ୍ୟ ଚାଷୀ, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗରଙ୍କୁ ସହାୟତା ମିଳିବ । ବନ୍ୟା ପ୍ରଭାବିତ ଅଞ୍ଚଳରେ ମନରେଗାରେ ଅଧିକ କାମ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + 19 =