ସୁରେଶ, ପ୍ରଦୀପଙ୍କ ଦାୟିତ୍ବ ଗ୍ରହଣ ପରେ ପ୍ରଶାସନିକ ସ୍ତରରେ ହଲଚଲ

ଭୁବନେଶ୍ବର () ନୂଆବର୍ଷ ପ୍ରଥମ ଦିନରୁ ପ୍ରଶାସନିକ ସ୍ତରରେ ହଲଚଲ । ନୂଆ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନଙ୍କ ସହ ପ୍ରଶାସନିକ ସ୍ତରରେ ହୋଇଛି ଅଦଳବଦଳ । ଗତକାଲି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରପାଠୀଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଆଜି ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି ସୁରେଶ ମହାପାତ୍ର ।

୧୯୮୬ ବ୍ୟାଚର ଏହି ବରିଷ୍ଠ ଅଫିସର ୨୦୨୨ ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ । ଦାୟିତ୍ୱ ନେବା ପରେ ରାଜ୍ୟର ସର୍ବାଙ୍ଗୀନ ଓ ସବୁ ବର୍ଗର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ସୁରେଶ ମହାପାତ୍ର । ସେହିପରି ଆଜି ଉନ୍ନୟନ କମିଶନର ଭାବେ ବରିଷ୍ଠ ଆଇଏଏସ୍ ପ୍ରଦୀପ ଜେନା ଦାୟିତ୍ବ ନେଇଛନ୍ତି । ଦୀର୍ଘ ଦିନ ଧରି ଶକ୍ତି, ରାଜସ୍ବ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ତୁଲାଇଛନ୍ତି ପ୍ରଦୀପ ।

ସେପଟେ ବର୍ଷ ଆରମ୍ଭରୁ ଆଇଏଏସ ସ୍ତରରେ ହୋଇଛି ଅଦଳବଦଳ । ଓଏମସିର ପରିଚଳନା ନିର୍ଦ୍ଦେଶକ ଥିବା ଭିନିଲ କ୍ରଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ଭିନିଲ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ପରିଚାଳନାର ଓଏସଡି ଥିଲେ । କ୍ରୀଡା ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି । ସେହିଭଳି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କୁ ଓଏମସିର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ରୁତୁରାଜଙ୍କୁ ବଦଳି କରାଯାଇଛି ।

ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛନ୍ତି । ତାଙ୍କ ସ୍ଥାନରେ ଜଗତସିଂହପୁର ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ରାୟଗଡ଼ା ଦାୟିତ୍ୱ ମିଳିଛି । ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର ପାରୁଲ ପଟ୍ଟୱାରୀଙ୍କୁ ପୂର୍ତ୍ତ ବିଭାଗର ଉପସଚିବ ଭାବେ ଅବସ୍ଥାପିତ କରାଯାଇଛି । ଖୋର୍ଦ୍ଧାର ସ୍ବତନ୍ତ୍ର ଏଡିଏମ ବିଶାଲ ସିଂଙ୍କୁ ଯାଜପୁର ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ଏମଡି ସାଦ୍ଦିକ ଆଲାମଙ୍କୁ ଶିଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।

Share

Leave a Reply

Your email address will not be published. Required fields are marked *

18 − two =