ପୋଲିସ ବିରୋଧରେ ପୁଂଜିଭୁତ ଅସନ୍ତୋଷ ନେଲା ଭୟଙ୍କର ରୂପ

ସରକାରୀ ଗାଡିର କାଗଜ ଯାଞ୍ଚ କଲେ ଲୋକେ

ଫାଇନ ଆଦାୟ କରି ବାହାଦୂରୀ ମାରିବା ପଡିଲା ମହଙ୍ଗା

ଭୁବନେଶ୍ବର (): ମହଙ୍ଗାପଡିଲା ପୋଲିସର ଦାଦାଗିରି । ଫାଇନ ଆଦାୟ ନାଁରେ ଲୋକଙ୍କ ଠାରୁ ବଳପୂର୍ବକ ଚାଲାଣ କାଟି ଫାଇନ ଆଦାୟ କରି ବାହାବା ନେବାକୁ ଉଦ୍ୟମ କରୁଥିବା କମିଶନରେଟ ପୋଲିସ ଏବେ ସାଧାରଣ ଲୋକଙ୍କ ଉତ୍ତେଜନାର ଶିକାର ହୋଇଛି । ସାଧାରଣ ଲୋକଙ୍କ ଠାରୁ ଲାଇସେନ୍ସ, ଫିଟନେସ ସାର୍ଟିଫିକେଟ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ମାଗି ହଜାର ହଜାର ଟଙ୍କା ଫାଇନ ଆଦାୟ କରୁଥିବା ପୋଲିସ ଓ ସରକାରୀ ଗାଡିର କାଗଜପତ୍ର ଯାଞ୍ଚ ଆରମ୍ଭ କରିଛନ୍ତି ଲୋକେ ।

ଆଜି ରାଜମହଲ ଛକରେ ଏଭଳି ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି । ପୋଲିସ ସାଧାରଣ ଲୋକଙ୍କୁ ସଚେତନ କରି ବୁଝେଇବା ପରିବର୍ତ୍ତେ କ୍ଷମତା ବଳରେ ଲାଠିଚାର୍ଜ କରି ଘଉଡେଇବାକୁ ଚେଷ୍ଟା କରିଛି । ରାଜ୍ୟ ସରକାର କେନ୍ଦ୍ରର ନୂଆ ପରିବହନ ଆଇନକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କାଣି ବିରାଡିର କୁଜି ଅସରପା ଉପରେ ଭାଉ ମାରିବା ଭଳି ସାଧାରଣ ଦୁଇ ଚକିଆ ଯାନ, ଅଟୋ ଚାଳକ, ଚାରି ଚକିଆ ଯାନ ଚାଳକଙ୍କ ଉପରେ ପରିବହନ ଅଧିକାରୀ ଓ ଟ୍ରାଫିକ ପୋଲିସ ଚାଲାଣ କାଟୁଥିଲେ । ପରିସ୍ଥିତି ଏମିତି ହୋଇଛି ଯେ, ଗତ 1 ତାରିଖରୁ ଆଇନ ଶୃଙ୍ଖଳାରେ ନିୟୋଜିତ ସବୁ ପୋଲିସ କର୍ମଚାରୀ କେବଳ ଟ୍ରାଫିକ ନିୟମ ଉଲଂଘନ ଫାଇନ ଆଦାୟରେ ବ୍ୟସ୍ତ ।

କିଏ କେଉଁ ପରିସ୍ଥିତିରେ ଗାଡି ଚଳାଉଛି । ଗାଡିରେ କିଏ ମହିଳା, ଶିଶୁ କି ରୋଗୀ ଅଛନ୍ତି ସେଥିପ୍ରତି ମଧ୍ୟ ନାହିଁ ମାନବିକତା । ଆଗ ଚାଲାଣ, ତାପରେ ଫାଇନ କାଟିବୁ । ତାପରେ ଯାଇଁ ଯିଏ ଯୁଆଡେ ଯିବ । ସତେ ଯେମିତି ସରକାର ତହବିଲରେ ପୁଳା ପୁଳା ଫାଇନ ଆଦାୟ କରି ଗଦେଇ ଦେଲେ ସରକାରଙ୍କ ଗେହ୍ଲାପୁଅ ହୋଇଯିବେ । ଗାଡି ଚାଳକଙ୍କ ସୁରକ୍ଷା କଥା ଚିନ୍ତା ନାହିଁ । ରାସ୍ତା ମଝିରୁ ଯାତ୍ରୀଙ୍କୁ ରାସ୍ତାକଡକୁ ଭିଡିଆଣି ଚାଲାଣ କରାଯାଉଛି । ପୋଲିସର ଏତାଦୃଶ କାର୍ଯ୍ୟର ପୁଂଜିଭୁତ ଅସନ୍ତୋଷ ଆଜି ଉଗ୍ର ରୂପ ନେଇଛି ।

ହଠାତ ରାଜମହଲ ଛକରେ ପୋଲିସ ଯାତ୍ରୀଙ୍କ ଗାଡିର ଲାଇସେନ୍ସ, ଫିଟନେସ ଯାଞ୍ଚ କରି ଚାଲାଣ କାଟୁଥିବା ବୋଲେ ସାଧାରଣ ଲୋକେ ପୋଲିସ ଗାଡି ଓ ସରକାରୀ ଗାଡିର କାଗଜପତ୍ର ଯାଞ୍ଚ କରିବାକୁ ମାଡିଆସିଲେ । ଆଉ ସେହି ସମୟରେ ରାସ୍ତାରେ ଓଭର ଲୋଡ ହୋଇ ଯାଉଥିବା ମୋ ବସ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଥିଲେ । ମୋ ବସ ଗାଡିକୁ ମଧ୍ୟ ଲୋକେ ରାସ୍ତାରେ ଅଟକାଇଥିଲେ । ପରେ ପରେ ବିଏମସିର ଏକ ଗାଡିକୁ ମଧ୍ୟ ଅଟକାଇଥିଲେ । ସେହି ଡ୍ରାଇଭରକୁ ଲାଇସେନ୍ସ ମାଗିବାରୁ ସେ ଅଧା ରାସ୍ତାରେ ଗାଡି ଛାଡି ଫେରାର ହୋଇଯାଇଛି । ଏଥିସହିତ ଏକ ପିସିଆର ଗାଡିର ଡ୍ରାଇଭରକୁ ଲାଇସେନ୍ସ ମଗାଯିବାରୁ ଦେଖାଗଲା ସେ ମଦ୍ୟପାନ କରିଥିଲେ । ଗାଡିରୁ ବିଅର ଟିନ୍ ବି ମିଳିଥିବା କିଛି ଉତ୍ତ୍ୟକ୍ତ ଲୋକେ ଅଭିଯୋଗ କରିଥିଲେ ।

ଯେଉଁ ଫାଇନ ଆଦାୟକୁ ନେଇ ଲୋକେ ଉତ୍ତ୍ୟକ୍ତ ହୋଇଥିଲେ, ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଅଧିକାରୀମାନେ ଲୋକଙ୍କୁ ବୁଝାଇସୁଝାଇ ବେଆଇନ ସରକାରୀ ଗାଡି ଚାଳକଙ୍କ ବିରୋଧରେ ଚାଲାଣ କାଟିବା ପରିବର୍ତ୍ତେ ଲାଠିଚାର୍ଜ ଆରମ୍ଭ କରିଦେଇଥିଲେ । ମାତ୍ର ଅଧଘଣ୍ଟାର ଉତ୍ତେଜନାକୁ ପ୍ରଶମିତ କରିବାରେ ବିଫଳ କମିଶନରେଟ ପୋଲିସ ଲାଠିଚାର୍ଜ କରିବା ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି । ଏହି ଲାଠି ଚାର୍ଜରେ ରାସ୍ତାକଡରେ ଛିଡା ହୋଇଥିବା କିଛି ନିର୍ଦ୍ଦେଶ ଲୋକେ ବି ପୋଲିସ ଲାଠି ଚାର୍ଜର ଶିକାର ହୋଇଛନ୍ତି । ପୋଲିସ ମାଡରେ କାହାର ହାତ ଭାଙ୍ଗିଛି ତ କାହାର ଗୋଡ ଭାଙ୍ଗିଛି ।

Share

Leave a Reply

Your email address will not be published. Required fields are marked *

11 − 10 =