‘ସମର୍ପଣ ନିଧି’କୁ ଲକ୍ଷେ ଟଙ୍କା ଦାନ କଲେ ରାଷ୍ଟ୍ରପତି

ପୁରୀ: ସୋମବାର ସକାଳେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ବାର ନିକଟରେ ସ୍ବାଗତ କରିଥିଲେ ଗଜପତି ଦିବ୍ୟସିଂହ ଦେବ । ଗର୍ଭଗୃହରେ ଦର୍ଶନ କରିବା ସହିତ ଭିତରେ ବେଢାରେ ଥିବା ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ । ଉଭୟଙ୍କୁ କୌଳିକ ସେବାୟତମାନେ ପାଛୋଟି ନେଇଥିଲେ ଶ୍ରୀମନ୍ଦିରକୁ ଓ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ କରାଇଥିଲେ ।

ତେବେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ‘ସମର୍ପଣ ନିଧି’କୁ ଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ଦରମାରୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ରାଷ୍ଟ୍ରପତି । ଶ୍ରୀମନ୍ଦିର ପ୍ରଶାସକଙ୍କୁ ଏନେଇ ଚେକ୍ ଆକାରରେ ନିଜ ଦାନ ଅର୍ଥ ପ୍ରଦାନ କରିଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମନ୍ଦିରର ବିକାଶ ପାଇଁ ‘ସମର୍ପଣ ନିଧି ସଂଗ୍ରହ’ର ଆରମ୍ଭ କରାଯାଇଥିଲା । ମହାପ୍ରଭୁଙ୍କ ସେବା କରିବାକୁ ଚାହୁଁଥିବା ପ୍ରତିଟି ବ୍ୟକ୍ତିଙ୍କୁ ସାମିଲ ହେବାକୁ ପୂର୍ବରୁ ଆହ୍ୱାନ ଦିଆଯାଇଥିଲା । ଆଉ ଆଜି ଏହି ଅଭିଯାନରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ।ଏହାଛଡା ଆଜି ରାଷ୍ଟ୍ରପତିଙ୍କ ନାଁରେ ଏକ ଧ୍ୱଜା ବନ୍ଧା ରସିଦ ମଧ୍ୟ କଟାଯାଇଛି । ଯେଉଁ ଧ୍ୱଜାକୁ ଆଜି ନୀଳଚକ୍ରରେ ବନ୍ଧାଯିବ । ଏହାପରେ ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅସ୍ଥାୟୀ ବିଶ୍ରାମଗାରରେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଓ ବ୍ରହ୍ମଗିରିର ବିଧାୟକ ।

Share

Leave a Reply

Your email address will not be published. Required fields are marked *

one + 1 =