ସରକାରଙ୍କ ଶକ୍ତି ସଂଚୟ କେବେ ?

ଭୁବନେଶ୍ବର : ଶକ୍ତି ସଂଚୟ ଲାଗି ସରକାର ଲୋକଙ୍କୁ ବୁଝାଉ ଥିବାବେଳେ ନିଜେ କିନ୍ତୁ ତାହାକୁ ପାଳନ କରୁଥିବା ଲକ୍ଷ୍ୟ କରାଯାଉନାହିଁ । ଏବେ ବି ସରକାରୀ କୋଠାବାଡିରେ ଅଧିକ ଶକ୍ତି ଖର୍ଚ୍ଚ କରୁଥିବା ପଙ୍ଖା ଠାରୁ ଆରମ୍ଭକରି ବଲବ ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଆଦି ଲଗାଯାଉଛି ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ସରକାରୀ କ୍ବାର୍ଟସ ଓ ଦପ୍ତର । ଏଠାରେ ଲାଗିଛି ପଙ୍ଖା । ହେଲେ ଏହି ପଙ୍ଖା ଗୁଡିକ ମଧ୍ୟରୁ ୨୦/୩୦ବର୍ଷ ପୁରୁଣା ପଙ୍ଖା ବି ବୁଲୁଛି । ଯଦି କେତେବେଳେ ଏହା ଖରାପ ହେଉଛି ତାହାକୁ ବଦଳାଇବା ପରିବର୍ତ୍ତେ ବ୍ୟାପକ ଅର୍ଥ ବ୍ୟୟରେ କର୍ତ୍ତୃପକ୍ଷ ତାହାକୁ ମରାମତି କରି ପୁଣି ଲଗାଉଛନ୍ତି । ଯଦି ବି କେଉଁଠାରେ ନୂଆ ପଙ୍ଖା କିଣାଯାଉଛି ସେଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱଳ୍ପ ଶକ୍ତି ବ୍ୟୟ କରୁଥିବା ପଙ୍ଖା ଖରିଦ ନକରି ବଜାରରୁ ଅତି ନିମ୍ନମାନର ଅଧିକ ବିଜୁଳି ଖର୍ଚ୍ଚ କରୁଥିବା ପଙ୍ଖା କିଣାଯାଉଛି । ଖୋଦ୍‍ ରାଜଧାନୀର ବିଭିନ୍ନ ସରକାରୀ ଦପ୍ତର ଓ କ୍ବାଟର୍ସରେ ଏହା ଦେଖିବାକୁ ମିଳୁଛି ।

କେବଳ ବିଦ୍ୟୁତ୍‍ ପଙ୍ଖା ନୁହେଁ ଏସି କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା । ଏବେ ବି ପୁରୁଣା କାଳିଆ ହଜାର ହଜାର ଏସି ସରକାରୀ ଦପ୍ତରରେ ଲଗାଯାଇଛି । ଏଗୁଡିକୁ ବଦଳାଇବା ପରିବର୍ତ୍ତେ ତାହାକୁ ବାରମ୍ବାର ମରାମତି କରାଯାଉଛି । ବିଜୁଳି ବିଭାଗର ଯନ୍ତ୍ରୀଙ୍କ କହିବା କଥା ଯେ ଗୋଟିଏ ପୁରୁଣାକାଳିଆ ଏସିରେ ଯେତିକି ବିଜୁଳି ଖର୍ଚ୍ଚ ହେଉଛି ସେହି ପରିମାଣ ବିଜୁଳିରେ ୫ତାରକା ବିଶିଷ୍ଟ ୨/୩ଟି ଏସି ଚାଲିବ ।

କେନ୍ଦ୍ର ସରକାର ଶକ୍ତି ସଞ୍ଚୟ ପାଇଁ ରାସ୍ତା କଡରେ ଏଲ୍‍ଇଡି ବଲ୍‍ବ ଠାରୁ ଆରମ୍ଭକରି ଟ୍ୟୁବଲାଇଟ୍‍ ଓ ପଙ୍ଖା ବିକ୍ରି କରୁଥିବାବେଳେ ସରକାରୀ କଳ କାହିଁକି ଏହାକୁ ଖରିଦ କରୁନାହାନ୍ତି ତାହାକୁ ନେଇ ଏବେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଉଛି । ସରକାର ଯଦି ନିଜେ ଆପଣା କୋଠାବାଡିରେ ଶକ୍ତି ସଞ୍ଚୟ ନକରିବେ ତେବେ ଲୋକଙ୍କୁ କିଭଳି ଶକ୍ତି ସଞ୍ଚୟ ପାଇଁ କହିବେ ବୋଲି ଏବେ ପ୍ରଶ୍ନ ଉଠିଲାଣି । ପ୍ରଥମେ ସଚିବାଳୟ ଓ ରାଜଧାନୀରେ ଥିବା ସରକାରୀ କ୍ବାର୍ଟସ ଗୁଡିକରେ ଲାଗିଥିବା ସମସ୍ତ ପୁରୁଣାକାଳିଆ ପଙ୍ଖା, ଟ୍ୟୁବଲାଇଟ୍‍ ଓ ଏସି ଆଦି ପରିବର୍ତ୍ତନ ଉପରେ ଶକ୍ତି ବିଭାଗ ଦୃଷ୍ଟି ଦେବାକୁ ମତପ୍ରକାଶ ପାଉଛି ।

Share

Leave a Reply

Your email address will not be published. Required fields are marked *

fifteen − 2 =