ଧାନ କିଣା ନେଇ ସଭିଏଁ ବଦନାମ୍

ଭୁବନେଶ୍ୱର: ଧାନ କିଣା ପାଇଁ ଏଥର ସମସ୍ତେ ବଦନାମ । ମାର୍ଚ୍ଚ ୩୧ ତାରିଖରେ ଖରିଫ ଧାନ ସଂଗ୍ରହ ସମୟ ସରିଥିଲେ ବି ବାବଦ ପିଛା ଛାଡୁନାହିଁ । ସମବାୟ ବିଭାଗ ଠିକଣା ବାଟରେ ଧାନ ଖରିଦ ନକରିବାରୁ ପଶ୍ଚିମ ଓଡିଶାରୁ ଉପକୂଳ ଓଡିଶା ପର୍ଯ୍ୟନ୍ତ ସବୁଆଡେ ଚାଷୀ ଅଶାନ୍ତି । ବିଧାନସଭାରେ ବିରୋଧି ଏହି ପ୍ରସଙ୍ଗରେ ଗୃହ ଅଚଳ କରିବା ସହିତ ସରକାରଙ୍କୁ ବାରମ୍ବାର ଘେରୁଛନ୍ତି । ତେବେ ଯୋଗାଣ ବିଭାଗରେ କାର୍ପଟଦାର ସାଜିଥିବା ଗୁପ୍ତା ଓ ଅଗ୍ରୱାଲ ସାଙ୍ଗିଆଧାରୀ ଦୁଇ ଅଣଡିଆ ମଧ୍ୟସ୍ଥିଙ୍କ ଯୋଗୁଁ ଏଭଳି ଅବସ୍ଥା ବୋଲି ଚର୍ଚ୍ଚା ହେଉଛି ।

ପୂର୍ବ ଘୋଷିତ ସମୟ ଅନୁଯାୟୀ ମାର୍ଚ୍ଚ ୩୧ ତାରିଖରେ ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ସମାପ୍ତ ହୋଇଛି । ଗତବର୍ଷର ଖରିଫ ତୁଳନାରେ ଏଥର ସରକାର ୧୮ ପ୍ରତିଶତ ଅଧିକ ଧାନ ସଂଗ୍ରହ କରିଥିବା ନେଇ ପ୍ରେସ ରିଲିଜ  ଜାରି କରିଛନ୍ତି । ତେବେ ଏବେ ବି ରାଜ୍ୟର ବିଭିନ୍ନ ମଣ୍ଡି ବିଶେଷକରି ପଶ୍ଚିମଓଡିଶାର ମଣ୍ଡିଗୁଡିକରେ ଶହ ଶହ ବସ୍ତା ଧାନ ଗଦାହୋଇ ରହିଛି । ଚାଷୀମାନେ ପ୍ରତିବାଦରେ ରାସ୍ତାରୋକ କରୁଛନ୍ତି । ଅନେକ ସ୍ଥାନରେ ଚାଷୀ ମଣ୍ଡିରେ ପଡି ପଡି ନଷ୍ଟ ହେଉଥିବା ଧାନକୁ ଛାଡି ପଳାଇଲେଣି । ଧାନ ସଂଗ୍ରହକୁ ଅସ୍ତ୍ର କରି ବିରୋଧି ଏବେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟ କରିଥାଏ ସମବାୟ ବିଭାଗ । ସମବାୟ ସମିତି ଜରିଆରେର ଧାନ ସଂଗ୍ରହ ହୋଇଥାଏ । ଚଳିତବର୍ଷ ଧାନ ସଂଗ୍ରହ ଆରମ୍ଭରୁ ଅନିୟମିତତା ନେଇ ଅଭିଯୋଗ ଆସିଥିଲା । ପ୍ରଥମେ ଟୋକନ ପ୍ରଦାନ ଓ ପରେ ଟୋକନ ପାଇଥିବା ଚାଷୀଙ୍କ ଧାନ ନଉଠିବା ନେଇ ମାଳ ମାଳ ଅଭିଯୋଗ ପହଞ୍ଚିଥିଲା । ଯେତେବେଳେ ପ୍ରକୃତ ଚାଷୀ ଧାନ ବିକ୍ରି କରିବାରେ ସମସ୍ୟା ଭୋଗିଲେ ସେତେବେଳେ ବିରୋଧିଦଳ ସରକାରଙ୍କୁ କାଠଗଡାରେ ଛିଡା କରାଇଲେ । ତଦନ୍ତ ହେବାପରେ ବର୍ତ୍ତମାନ ସୁଦ୍ଧା ୧୪୯ଜଣ ସମିତି ସମ୍ପାଦକ କାର୍ଯ୍ୟରୁ ନିଲମ୍ବନ ହୋଇଥିବାବେଳେ ୧୯ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । କେତେକଙ୍କୁ ବହିଷ୍କାର ବି କରାଯାଇଛି । ୩୨ଜଣଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚାଲିଛି ।

ଚଳିତବର୍ଷ ଧାନ ସଂଗ୍ରହକୁ ନେଇ ଯେତେ ସଂଖ୍ୟାରେ ଅଭିଯୋଗ ଆସିଲା ଓ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିଲମ୍ବନ ଓ ଫୌଜଦାରୀ ମାମଲା ହେଲା ତାହା ପୂର୍ବରୁ କେବେ ଦେଖାଯାଇ ନଥିଲା । ଯଦିଓ ସରକାର ୧୮ ପ୍ରତିଶତ ଅଧିକ ଧାନ ଖରିଦ କରିଥିବା କହି ବାହାବା ନେଉଛନ୍ତି ତାହା କିନ୍ତୁ ବିରୋଧିଦଳ କିମ୍ବା ଧାନ ବିକ୍ରି କରିପାରିନଥିବା ଚାଷୀଙ୍କୁ ସନ୍ତୁଷ୍ଟ କରିନାହିଁ । ଏଥିରୁ କିନ୍ତୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ରାଜ୍ୟରେ କେତେ ଧାନ ଫଳୁଛି ବା ଫଳିଛି କିଣିବା ପୂର୍ବରୁ ତାହାର ଆକଳନ ହୋଇନଥିଲା । କୃଷି ବିଭାଗ ବଢାଇ ଚାଲିଥିବା ଧାନ ଉତ୍ପାଦନ ସଂକ୍ରାନ୍ତରେ ଯୋଗାଣ କିମ୍ବା ସମବାୟ ବିଭାଗ ନିକଟରେ ଠିକଣା ସୂଚନା ନଥିବାରୁ ଏଭଳି ସ୍ଥିତି  ସୃଷ୍ଟି ହେଲା ।

ହେଲେ କିଛି କହିଛନ୍ତି ଚଳିତବର୍ଷ ଧାନ ସଂଗ୍ରହ ନେଇ ସରକାର ବଦନାମ ହେବା ପଛରେ କିଛି ବଡ ସରକାରୀ ବାବୁ ଅଛନ୍ତି । ଏମାନଙ୍କ ଦ୍ୱାରା ଦ୍ୱାରା ନିଯୁକ୍ତ ମଧ୍ୟସ୍ଥିମାନେ ବିଲର୍ସଙ୍କୁ ନିୟନ୍ତ୍ରଣ କରିବାରୁ ଏଭଳି ଅବସ୍ଥା ହେଲା । ବିଶେଷକରି ଗୁପ୍ତା ଓ ଅଗ୍ରୱାଲ ସାଙ୍ଗିଆଧାରୀ ଦୁଇ ମଧ୍ୟସ୍ଥିଙ୍କ ପାଇଁ ସରକାରଙ୍କ ଅବସ୍ଥା ଆଜି ଏଭଳି । ଗୁପ୍ତାବାବୁ ଭୁବନେଶ୍ୱର ଓ ଉପକୂଳ ଜଗିଥିବାବେଳେ ଅଗ୍ରୱାଲ ବାବୁ ପଶ୍ଚିମଓଡିଶା ପଟେ ଥିଲେ । ଏ ଦୁଇଜଣ ଏଭଳି କ୍ଷମତାଶାଳୀ ହୋଇଛନ୍ତି ଯେ ଖୋଦ୍‌ ସଚିବଙ୍କ କଥା ପଛେ ଅମାନ୍ୟ ହୋଇପାରେ କିନ୍ତୁ ଏମାନେ ଯଦି ମୁଣ୍ଡ ଟୁଙ୍ଗାରିଛନ୍ତି କାମଟି ନିଶ୍ଚିତ ହେବ । ତେଣୁ ଏଭଳି ସ୍ଥିତିରେ ଏମାନଙ୍କ ବଳରେ ବଳୀୟାନ କିଛି ମିଲର୍ସ ଠିକଣା ସମୟରେ ଧାନ ନଉଠାଇବା ସହିତ ଭୂତଚାଷୀ ର୍ୟାକେଟ ସୃଷ୍ଟି କରି ସରକାରଙ୍କୁ ହରଡଘଣାରେ ପକାଇଦେଲେ । 

Share

Leave a Reply

Your email address will not be published. Required fields are marked *

8 − 7 =