ପିଲାଟିଏ ଗଛଟିଏ ଅଭିଯାନ

ଛତ୍ରପୁର () ଆସନ୍ତାକାଲିଠାରୁ ଗଂଜାମ ଜିଲ୍ଲାରେ ଆରମ୍ଭ ହେବ ‘ପିଲାଟିଏ ଗଛଟିଏ’ ଅଭିଯାନ । ଗଂଜାମ ଜିଲ୍ଲାରେ ସବୁଳ ବଳୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହେଉଛି । ଏଥିସହିତ ପିଲାମାନଙ୍କୁ ବୃକ୍ଷ ରୋପଣ ଦିଗରେ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହ ଅଭିନବ ଉଦ୍ୟମ ଆରମ୍ଭ ହେଉଛି ।

ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ନେଇ ସଚେତନତା ଓ ଆଗ୍ରହ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ଏହି ପ୍ରକ୍ରିୟା ଆରମ୍ଭ କରୁଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଉଦ୍ଦେଶ୍ୟ ହେଉଛି ସ୍କୁଲ ଛାତ୍ରଛାତ୍ରୀମାନେ କେବଳ ଗଚ୍ଛ ଲଗେଇବେନି ଏହାର ଜତ୍ନ ମଧ୍ୟ ନେବେ । ବିଗତ ଦିନରେ ସ୍ବଚ୍ଛ ଭାରତ ଏବଂ ପରିମଳ ବିଦ୍ୟାଳୟ କ୍ୟାମ୍ପେନକୁ ମଧ୍ୟ ଛାତ୍ରଛାତ୍ରୀମାନେ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କ ଜରିଆରେ ଏବଂ ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ, ସ୍କୁଲର ପ୍ରଧାନ ଶିକ୍ଷକ, ଅଭିଭାବକ, ପଂଚାୟତିରାଜ ସଦସ୍ୟଙ୍କ ତତ୍ବାବଧାନରେ କାର୍ଯ୍ୟକାରୀ କରାଯିବ । ଛାତ୍ରଛାତ୍ରୀଙ୍କୁ ଏକ ଉତ୍ସବପୂର୍ଣ୍ଣ ପରିବେଶରେ ଚାରା ବଣ୍ଟନ କରାଯିବ । ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ପରାମର୍ଶରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ବାରା ଗଠିତ ଏକ ଟିମ ଏହାର ତଦାରଖ କରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଚାରା ବଣ୍ଟନ ସମୟରେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଦିନରେ ହିଁ ଗଛ ଲଗାଇବାକୁ ପରାମର୍ଶ ଦିଆଯିବ । ଗଛ ଲଗାଇବା ପାଇଁ ଗାତ ଖୋଳିବା ଠାରୁ ଆରମ୍ଭ କରି ଖତର ବ୍ୟବହାର, କିଟନାଶକର ବ୍ୟବହାର ଏବଂ ପାଣି ଦେବାର ତାଲିମ ଦିଆଯିବ । ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ଘର ପଛପଟେ ଜାଗା ଅଭାବରୁ ଗଛ ଲଗାଇପାରିବେନି ସେମାନେ ସ୍କୁଲ ପରିସରରେ ଗଛ ଲଗାଇବେ । କିନ୍ତୁ ସେହି ଗଛର ସେମାନେ ନିଜେ ତଦାରଖ କରିବେ । ବର୍ଷକ ପରେ ଏକ ଟିମ ଲଗାଯାଇଥିବା ଗଛର ମାନ ପରୀକ୍ଷଣ ସହ କେତେ ଗଛ ବଞ୍ଚିଛି ତାର ସମୀକ୍ଷା କରିବେ ।

ଉତ୍କୃଷ୍ଠ ବୃକ୍ଷ ରୋପଣ ପାଇଁ ଜଣେ ଛାତ୍ରଙ୍କୁ ବନ ମହୋତ୍ସବରେ ମାନପତ୍ର ସହ ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ । ଗୋଷ୍ଠି ଉନ୍ନୟନ ଅଧିକାରୀମାନେ ଏହି କ୍ୟାମ୍ପେନର ତଦାରଖକାରୀ ଅଧିକାରୀ ଭାବେ କାର୍ଯ୍ୟ କରିବେ ।

Share

Leave a Reply

Your email address will not be published. Required fields are marked *

1 × two =