ମହିଳା ସଶକ୍ତିକରଣରେ ଆଉ ଏକ ମାଇଲଷ୍ଟୋନ

କୌଣସି ପରିବାର, ସମାଜ, ରାଜ୍ୟ ବା ଦେଶ

ମହିଳା ସଶକ୍ତିକରଣ ବିନା ଆଗେଇପାରିବ ନାହିଁ : ନବୀନ

ଭୁବନେଶ୍ବର ()  ମହିଳା ସଶକ୍ତିକରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ଲୋକାଭିମୁଖୀ ପଦକ୍ଷେପ ନେଇଛନ୍ତି । ମହିଳାଙ୍କୁ ଡିଜିଟାଲି ସଶକ୍ତ କରିବାକୁ ସବୁ ମହିଳା ସ୍ବୟଂ ସହାୟକ ଗ୍ରୁପକୁ ସ୍ମାର୍ଟ ଫୋନ ଦିଆଯିବ । ଆଜି ମେକ ଇନ ଓଡିଶା କନକ୍ଲେଭରେ ଆୟୋଜିତ ମହିଳା ଶିଳ୍ପଦ୍ୟୋଗୀ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ପ୍ରଥମେ ମହିଳା ସ୍ବୟଂ ସହାୟକ ଗୋଷ୍ଠି ଗଠନ, ତା ପରେ ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ବ୍ୟାଙ୍କ ଋଣ ପ୍ରଦାନ, ରାଜନୀତିରେ ମହିଳାଙ୍କ ପାଇଁ 50 ପ୍ରତିଶତ ସ୍ଥାନ ସଂରକ୍ଷଣ । ଆଉ ଏବେ ମହିଳାଙ୍କୁ ଡିଜିଟାଲି ସଶକ୍ତ କରିବାକୁ ଉଦ୍ୟମ । ରାଜ୍ୟର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଅନୁଷ୍ଠାନ ଗଢାଯାଉଛି, କୋଠା ବାଡି ତିଆରି ହେଉଛି, ସେତୁ ଓ ରାସ୍ତା ନିର୍ମାଣ ହେଉଛି । କିନ୍ତୁ ଯେତେବେଳେ ମହିଳାଙ୍କ ବିକାଶ ପାଇଁ କିଛି ପଦକ୍ଷେପ ନିଆଯାଉଛି, ତାହା ରାଜ୍ୟର ବିକାଶରେ ସର୍ବାଧିକ ପ୍ରଭାବ ପକାଉଛି । କାରଣ କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ ବା ଦେଶ ମହିଳା ସଶକ୍ତିକରଣ ବିନା ଆଗେଇପାରିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

2000 ମସିହାରୁ ବିଜେଡି ସରକାର ଦାୟିତ୍ବ ଗ୍ରହଣ କରିବା ପରେ ମହିଳାଙ୍କ ଶକ୍ତିଶାଳୀ ଭୂମିକା ସଂପର୍କରେ ସଚେତନ ରହିଆସିଛି । ବିଶେଷ କରି ପ୍ରତିକୂଳ ସାମଜିକ, ଅର୍ଥନୈତିକ ସୂଚକାଙ୍କ ଥିବା ଓଡିଶା ଭଳି ରାଜ୍ୟରେ ମହିଳାମାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଶିଶୁ ମୃତ୍ୟୁହାର ବା ମାତୃ ମୃତ୍ୟୁ ହାର, ହାରାହାରି ଆୟୁଷ ହେଉ ବା ମହିଳା ସାକ୍ଷରତା ଏସବୁ ଗୁଡିକ ସରକାର ପାଇଁ ଏକ କଷ୍ଟକର ଦାୟିତ୍ବ ଥିଲା । ଏହାକୁ ଦୃଷ୍ଟିରେ ରଖି 2001ରେ ରାଜ୍ୟ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହା ଆଜି ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇଛି । ଏଥିରେ ବର୍ତ୍ତମାନ 70 ଲକ୍ଷ ମହିଳା, 6 ଲକ୍ଷ ଗ୍ରୁପ 5ହଜାର କୋଟି ଟଙ୍କାର ସଂଚୟ ଓ 2ହଜାର କୋଟି ଟଙ୍କାର ବାର୍ଷିକ ବ୍ୟାଙ୍କ କାରବାର ରାଜ୍ୟରେ ଏପରି କୌଣସି ଗାଁ ବା ପଡା ନାହିଁ ଯେଉଁଠି ମିଶନ ଶକ୍ତି ଗ୍ରୁପ ନାହିଁ ।

ରାଜ୍ୟର ପ୍ରତି ଦ୍ବିତୀୟ ପରିବାରର କେହି ନା କେହି ମିଶନ ଶକ୍ତିର ସଦସ୍ୟ ଅଛନ୍ତି । ମାତୃ ମୃତ୍ୟୁହାର ସର୍ବାଧିକ ହ୍ରାସ କରି ଓଡିଶା ସବୁଠାରୁ ଆଗରେ ରହିଛି । ଶିଶୁ ମୃତ୍ୟୁହାର କ୍ଷେତ୍ରରେ ଓଡିଶା ଜାତୀୟ ହାର ଠାରୁ ବହୁତ ଭଲ ସ୍ଥିତିରେ ରହିଛି । ଡାକ୍ତରଖାନାରେ ପ୍ରସବ ସଂଖ୍ୟା ଆମ ରାଜ୍ୟରେ ରେକର୍ଡ 90 ପ୍ରତିଶତ ରହିଛି । ମହିଳାମାନଙ୍କ ସମ୍ପତ୍ତି ମାଲିକାନା ଓଡିଶାରେ ସର୍ବାଧିକ । ସର୍ବୋପରି ମୋ ପାଇଁ ବ୍ୟକ୍ତିଗତ ଭାବେ ସବୁଠାରୁ ସନ୍ତୋଷଜନକ କଥା ହେଉଛି, ଆମ ରାଜ୍ୟରେ ଜନ୍ମ ନେଉଥିବା ପ୍ରତ୍ୟେକ ମହିଳାଙ୍କ ଆୟୁଷ ହାରାହାରି 10 ବର୍ଷ ବୃଦ୍ଧି ଘଟୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କିଛି ବର୍ଷ ତଳେ ଜଣେ ଜିଲ୍ଲାପାଳ ତାଙ୍କୁ କହିଥିଲେ ଯେ, ମିଶନ ଶକ୍ତି ଗ୍ରୁପମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବ୍ୟାଙ୍କମାନେ ପରସ୍ପର ସହତି ପ୍ରତିଯୋଗିତା କରୁଛନ୍ତି । ଏବଂ ରାଜ୍ୟରେ ମିଶନ ଶକ୍ତି ଗ୍ରୁପର ଋଣ ପରିଶୋଧ ହାର ମଧ୍ୟ 95 ପ୍ରତିଶତରୁ ଅଧିକ ଅଟେ । ଏହା ଅନ୍ୟ ରାଜ୍ୟମାନଙ୍କ ଠାରୁ ଭଲ ସ୍ଥିତିରେ ରହିଛି । ଋଣ ପରିଶୋଧ କ୍ଷେତ୍ରରେ ମା ମାନଙ୍କ ଆନ୍ତରିକତାକୁ ସମ୍ମାନ ଦେଇ ମୋ ସରକାର ମିଶନ ଶକ୍ତି ଗ୍ରୁପ ମାନଙ୍କୁ 1 ପ୍ରତିଶତ ସୁଧରେ ଋଣ ଯୋଗାଇ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ, ମେକ ଇନ ଓଡିଶାରେ ଅନେକ ବ୍ୟାଙ୍କ ବନ୍ଧୁ ଅଛନ୍ତି । ମୋତେ ଓ ମୋ ସରକାରକୁ ସନ୍ତୋଷ ପ୍ରଦାନ କରିବାର ସବୁଠାରୁ ସରଳ ଉପାୟ ହେଉଛି ମିଶନ ଶକ୍ତି ଗ୍ରୁପମାନଙ୍କର ଋଣ ଆବଶ୍ୟକତାକୁ ମର୍ଯ୍ୟାଦାଜନକ ଓ ବୃତ୍ତିଗତ ଭାବେ ପୂରଣ କରିବା । ମହିଳା ସଶକ୍ତିକରଣରେ ବିଜୁ ବାବୁ ଥିଲେ ଅଗ୍ରଦୂତ । ସେ ପଂଚାୟତିରାଜ ଓ ପୌର ପରିଷଦଗୁଡିକରେ ମହିଳାମାନଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ କରିଥିଲେ । ବିଜେଡି ସରକାର ଏହାକୁ 50 ପ୍ରତିଶତକୁ ବୃଦ୍ଧି କରିଛି ଏବଂ ସବୁଠାରୁ ଖୁସିର କଥା ହେଉଛି ବାସ୍ତବରେ ଏହା 50 ପ୍ରତିଶତରୁ ଅଧିକ ।

ମମତା ହେଉ କି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କିମ୍ବା ସମ୍ପତ୍ତି ଅଧିକାର, ଯେତେବେଳେ ମୋ ସରକାର ଏହିପରି କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ସେତେବେଳେ ମହିଳା ମାନଙ୍କ ପାଇଁ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ ସେମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଛନ୍ତି  ।

Share

Leave a Reply

Your email address will not be published. Required fields are marked *

3 + twelve =