ଆକ୍ସନ ମୁଡରେ ଡିଜିପି : ପୋଲିସ ପ୍ରଶାସନରେ 5-ଟିର କାର୍ଯ୍ୟକାରିତାକୁ ଗୁରୁତ୍ବ

ଭୁବନେଶ୍ବର () ଓଡିଶା ପୋଲିସର  ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ବିଜୟ କୁମାର ଶର୍ମା ଆଜି ପୂର୍ବାହ୍ନରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟ।ଳୟଠାରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ଶର୍ମା ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ସହ ଉପସ୍ଥିତ ବରିଷ୍ଠ  ଅଧିକାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି  ସ୍ଵାଗତ ଜଣାଇଥିଲେ । ଦାୟିତ୍ଵ ଗ୍ରହଣ ପରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କର ପ୍ରଶ୍ନର ଉତ୍ତର ଦେଇ ବିଜୟ ଶର୍ମା କହିଥିଲେ ଯେ, ତାଙ୍କୁ ସରକାର ଯେଉଁ ଗୁରୁ ଦାୟିତ୍ଵ ପ୍ରଦାନ କରିଛନ୍ତି ତାକୁ ସେ ନିଷ୍ଠାର ସହ ସମ୍ପାଦନ କରିବେ ।

ପୋଲିସକୁ ଲୋକାଭିମୁଖୀ, ଦାୟିତ୍ଵବାନ, ସଂବେଦନଶୀଳ ଓ ମାନବୀୟ କରିବାକୁ ଚେଷ୍ଟା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ “5-T” ମନ୍ତ୍ରକୁ ପୋଲିସ ବିଭାଗରେ ମଧ୍ୟ ପ୍ରୟୋଗ କରି କାର୍ଯ୍ୟ କରିବେ ।  ନକ୍ସଲ  ଦମନ କ୍ଷେତ୍ରରେ ଓଡିଶା ପୋଲିସ ଅତୀତରେ ଅନେକ ସଫଳତା ପାଇଛି । ଭବିଷ୍ୟତରେ ମଧ୍ୟ ଆମେ ସେହିସବୁ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରି ଓଡିଶାରେ ନକ୍ସଲ ପ୍ରଭାବ ଓ କାର୍ଯ୍ୟ କ୍ରମକୁ ସୀମିତ କରିବୁ । ମାଓବାଦୀ ସମସ୍ୟା ହ୍ରାସ ପାଇଲେ ରାଜ୍ୟରେ ବିକାଶ  ତ୍ବରାନ୍ନିତ  ହୋଇପାରିବ ।

ପୋଲିସ ଷ୍ଟେସନ ହେଉଛି ପୋଲିସ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ । ପୋଲିସ ଷ୍ଟେସନ ଗୁଡିକର ଭିତ୍ତିଭୂମୀର ଉନ୍ନତି ଉପରେ ଗୁରୁତ୍ଵ ଦିଆଯିବା ସହ ସ୍ବଚ୍ଛତା ଉପରେ ମଧ୍ୟ ଅଗ୍ରାଧିକାର ଦିଆଯିବ । ପୋଲିସ ଷ୍ଟେସନ ଗୁଡିକରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ଲୋକମାନଙ୍କ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା, ଥାନା ମାନଙ୍କରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି କାର୍ଯ୍ୟ ସମ୍ପାଦନ କରିବା ଆଦି ପ୍ରସଙ୍ଗ ଉପରେ ଗୁରୁତ୍ଵ ଦିଆଯିବ । ସେହିପରି ଅପରାଧ ଅନୁସନ୍ଧାନ, ଅପରାଧ ନିରାକରଣ ଓ କୋର୍ଟରେ ମାମଲା ପରିଚାଳନା ଉପରେ ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯିବା ସହ ଅପରାଧ ଅନୁସନ୍ଧାନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଯିବ ।

ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାରର  (Conviction Rate) ବୃଦ୍ଧି ଉପରେ ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ । ରାଜ୍ୟରେ ନାରୀ ମାନଙ୍କ ସୁରକ୍ଷା ଓ ଗୁଇନ୍ଦା ସୂଚନାର ଅଭିବୃଦ୍ଧି ଉପରେ ଗୁରୁତ୍ଵ ପ୍ରଦାନ କରାଯିବ ।  ସାମାଜିକ ଗଣମାଧ୍ୟମ, ଟେଲିଫୋନ  ଏବଂ  ଅନ୍ୟାନ୍ୟ ମାଧ୍ୟମରେ ବରିଷ୍ଠ ଅଧିକାରୀ ମାନଙ୍କ ପାଖରେ ଯେପରି ଜନ ସାଧାରଣ ସହଜରେ ପହଞ୍ଚି ପାରିବେ ସେଥିପାଇଁ ପ୍ରଚେଷ୍ଟା କରାଯିବ । ଏକ ସମନ୍ନୀତ ଓ ସୁସଙ୍ଗଠିତ ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟକରି ଜନ ସାଧାରଣଙ୍କୁ ଗୁଣାତ୍ମକ ସେବା ପ୍ରଦାନକରି ପୋଲିସର ଛବିରେ ପରିବର୍ତ୍ତନ ଆଣିବାକୁ ପ୍ରଚେଷ୍ଟା କରାଯିବ ।

ସୂଚନାଯୋଗ୍ୟ ଯେ ୧୯୮୬ ବ୍ୟ।ଚର  ଆଇ.ପି.ଏସ୍ ଅଧିକାରୀ ଶ୍ରୀ ଶର୍ମା ବାରିପଦାର ମୂଳ ବାସିନ୍ଦା ଅଟନ୍ତି । ତାଙ୍କ ଚାକିରି କାଳ  ମଧ୍ୟରେ ସେ ସୁନ୍ଦରଗଡ, କନ୍ଧମାଳ, ସମ୍ବଲପୁର, ଖୋର୍ଦ୍ଧା ଆଦି ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୯  ରୁ ୨୦୦୬ ମସିହା ପର୍ଯନ୍ତ କେନ୍ଦ୍ରୀୟ ସଂସ୍ଥା ସି.ବି. ଆଇ  ରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପଦ ପଦବୀରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏହାପରେ ଶ୍ରୀ ଶର୍ମା ରାଜ୍ୟ କ୍ରାଇମବ୍ରାଞ୍ଚରେ  ଆଇ.ଜି, ଅତିରିକ୍ତ ଡି.ଜି ଓ ସ୍ଵତନ୍ତ୍ର ଡି.ଜି  ଭାବେ ମଧ୍ୟ ଖୁବ ସଫଳତାର ସହ କାର୍ଯ୍ୟ କରିଛନ୍ତି । ତା ୦୭.୦୫.୨୦୦୮ ରୁ ୨୪.୦୫.୨୦୧୧ ରିଖ ପର୍ଯ୍ୟନ୍ତ ସେ ଭୁବନେଶ୍ବର-କଟକ  ପୋଲିସ କମିଶନରେଟରେ  ପୋଲିସ କମିଶନର ଭାବେ ଖୁବ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ପରେ ତା ୦୩.୧୧.୨୦୧୭ ରିଖ ଠାରୁ ଆଜି ପର୍ଯ୍ୟନ୍ତ ଶ୍ରୀ ଶର୍ମା ରାଜ୍ୟ ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ  ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ଵ ଗ୍ରହଣ ସମୟରେ ରାଜ୍ୟ ପୋଲିସର ବହୁ ପୋଲିସ ଅଧିକାରୀ ଓ ପୋଲିସ ମୁଖ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

19 − 5 =