ନବୀନଙ୍କ ଐତିହାସିକ ନିଷ୍ପତ୍ତି : 90 ମିନିଟରେ ତୁଟାଇଲେ 90 ବର୍ଷର ବକେୟା କାମ

ଭୁବନେଶ୍ୱର (): ଓଡିଶା ବିଧାନସଭାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍‌-୨୦୨୦ଆଜି ପାରିତ ହୋଇଛି । ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ହେବ । ଏ ନେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ସଂକଳ୍ପ ଆଗତ କରିଥିଲେ । ସର୍ବସମ୍ମତିକ୍ରମେ ଏହି ସଂକଳ୍ପ ପାରିତ ହୋଇଥିଲା । ୯୦ ବର୍ଷ ଧରି କେନ୍ଦ୍ର ସରକାର ନେଇପାରୁନଥିବା ନିଷ୍ପତ୍ତିକୁ ୯୦ ମିନିଟ୍‌ରେ କରି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗୃହରେ ଏହି ସଂକଳ୍ପ ଆଣି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଏକ ଐତିହାସିକ ନିଷ୍ପତ୍ତି । ଏହି ବିଲ୍ ବଳରେ ରାଜ୍ୟ ପଛୁଆ ବର୍ଗ କମିଶନ ସର୍ଭେ କରିବେ । ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ହେବ । ଫେବୃଆରୀ ୧୨ ତାରିଖରେ ରାଜ୍ୟ ସରକାର ପଛୁଆ ବର୍ଗ କମିଶନ ଗଠନ କରିଥିଲେ । ମହାତ୍ମା ଗାନ୍ଧୀ ପଛୁଆ ବର୍ଗଙ୍କ ବିକାଶକୁ ସବୁବେଳେ ଗୁରୁତ୍ୱ ଦେଉଥିଲେ । ବାପୁଜୀଙ୍କ 150ତମ ଜୟନ୍ତୀରେ ଏହି ନିଷ୍ପତ୍ତି ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

ଏହା ପୂର୍ବରୁ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ଏହି ବିଲ୍ ଆଣିଥିଲେ ଏବଂ ଆଲୋଚନା ପରେ ଏହି ବିଲ୍ ପାରିତ ହୋଇଥିଲା । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାରକା କହିଥିଲେ ଯେ ରାଜ୍ୟରେ 1931 ମସହା ପରଠାରୁ ଜାତିଭିତିକ ଗଣନା ହୋଇନାହିଁ । ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ନଥିବାରୁ ବିଭିନ୍ନ ବିକାଶ  କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇପାରୁନାହିଁ ।

ନିକଟରେ ରାଜ୍ୟ କ୍ୟାବିନେଟ୍ ୨୦୨୧ ଜନଗଣନା ସମୟରେ ଜାତିଭିତିକ ଗଣନା କରିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ କରି ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଓଡିଶା ରାଜ୍ୟ ପଛୁଆବର୍ଗ କମିଶନ ଗଠନ କରାଯାଇଛି ।
ଆଜି ପଛୁଆ ବର୍ଗ କମିଶନ ଅଧିନିୟମ ୧୯୯୩ ସଂଶୋଧନ ପାଇଁ ପ୍ରସ୍ତାବ ଅଣାଯାଇ ପାରିତ ହୋଇଛି । ସଠିକ୍ ତଥ୍ୟ ହିଁ ବିକାଶରେ ସାମିଲ ହେବାକୁ ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିପାରିବ ଏବଂ ସମସ୍ତଙ୍କ ବିକାଶ ହିଁ ପ୍ରକୃତ ପରିବର୍ତନ ଆଣିପାରିବ ବୋଲି ମନ୍ତ୍ରୀ କହିଥିଲେ ।  

ସଂକଳ୍ପ ଉପରେ ବିଜେପି ସଭ୍ୟମାନେ କହିଥିଲେ ଯେ ଏହାକୁ ତରବରିଆ ଭାବେ ପାସ୍ ନକରି , ଆଲୋଚନା କରାଯାଉ । ଆମେ ଏହାକୁ ବିରୋଧ କରୁନାହୁଁ । ସେହିପରି ଆସନ୍ତାକାଲି ବଜେଟ୍ ଉପସ୍ଥାପିତ ହେବ । ଏହା ପୂର୍ବରୁ କୌଣସି ବିଲ୍ ପାସ୍ ହେବା ଉଚିତ୍ ନୁହେଁ ବୋଲି ନରସିଂହ ମିଶ୍ର କହିଥିଲେ । ଆର୍ଥିକ ସ୍ୱଚ୍ଛଳ ଏବଂ ସାମାଜିକ ସ୍ଥିତି ଦୃଢ ଥିବା ବ୍ୟକ୍ତିଙ୍କୁ ଏଥିରୁ ବାଦ୍ ଦିଆଯାଉ ବୋଲି ସେ ଦାବି କରିଥିଲେ ।  ବିଲ୍ ଆଲୋଚନାରେ ତାରା ପ୍ରସାଦ ବାହିନୀପତି. ସନ୍ତୋଷ ସିଂହ ସାଲୁଜା , ମୋହନ ମାଝୀ , ନରସିଂହ ମିଶ୍ର , ବିକ୍ରମ କେଶରୀ ଆରୁଖ , ପ୍ରତାପ ଦେବ , ପ୍ରଫୁଲ୍ଲ ସାମଲ , ଅତନୁ ସବ୍ୟସାଚୀ ନାୟକ ,ସୁରେଶ ରାଉତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

2 × one =