ସାମ୍ବାଦିକଙ୍କୁ ପେନସନ, ବୀମା ସହାୟତା ବୃଦ୍ଧି ଓ ସୁରକ୍ଷା ଆଇନ ଦାବି

ଭୁବନେଶ୍ୱର () ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଅବସର ପରେ ପେନସନ ପ୍ରଦାନ, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ସହାୟତା ରାଶି ୫ଲକ୍ଷ ଟଙ୍କାକୁ ବୃଦ୍ଧି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣ ରୋକିବାକୁ ସୁରକ୍ଷା ଆଇନ୍‍ ପ୍ରଣୟନ ଦାବି କରାଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମ୍ବାଦିକମାନେ ଭେଟିବା ସହିତ ବିଧାନସଭା ପ୍ରକୋଷ୍ଠରେ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କର ଏହି ୩ଦଫା ଦାବିକୁ ଗ୍ରହଣ କରିବା ଖୁବଶୀଘ୍ର ସକରାର ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି । କେଉଁ ସବୁ ରାଜ୍ୟରେ ପେନ୍‍ସନ ଓ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି ସେ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।
ଆଲୋଚନା କାଳରେ ସାମ୍ବାଦିକମାନଙ୍କର ଦାବିକୁ ଗୁରୁତ୍ୱର ସହ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ଏହା ପୂର୍ବରୁ ସାମ୍ବାଦିକମାନେ ଏହି ଦାବି ନେଇ ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧିଦଳ ନେତା ନରସିଂହ ମିଶ୍ର, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଜେପି ବିଧାୟକଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଆଲୋଚନା କରିଥିଲେ ।
ବିଧାନସଭାରେ ଏହି ପ୍ରସଙ୍ଗ ଉତଥାପନ କରାଯାଇ ଏହା ଉପରେ ବିଶଦଭାବେ ଆଲୋଚନା ହେବବୋଲି ବିରୋଧିଦଳ ନେତା ଓ ବିଜେପି ବିଧାୟକଦଳ ନେତା କହିଛନ୍ତି ।
ସେହିପରି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ସାମ୍ବାଦିକମାନଙ୍କୁ ପେନ୍‍ସନ ପ୍ରଦାନ କରାଯିବା, ସେମାନଙ୍କ ସ୍ୱାସ୍ଥ୍ୟବୀମା ସହାୟତା ରାଶି ବୃଦ୍ଧି ଓ ସୁରକ୍ଷା ଆଇନ୍‍ ପ୍ରଣୟନ ଦାବି ଉପରେ ସରକାର ସମ୍ବେଦନଶୀଳ ଅଛନ୍ତି ।
ଏହି ଦାବିକୁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନେବେ ଏବଂ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ । ଚଳିତ ସରକାର ସମୟରେ ସାମ୍ବାଦିକଙ୍କ କଲ୍ୟାଣ ନିମନ୍ତେ ଅନେକ ପ୍ରକାର ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ପୂର୍ବତନ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ତଥା ବିଧାୟକ ଦେବାଶିଷ ନାୟକ, ବିଧାୟିକା ପ୍ରମିଳା ମଲିକ, ବିଧାୟକ ରବି ନାରାୟଣ ନାୟକ, ବିରୋଧିଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କ ସହ ସାମ୍ବାଦିକମାନେ ଏହି ଦାବି ନେଇ ଆଲୋଚନା କରିଛନ୍ତି ।

ଉଲ୍ଲେଖ କରାଯାଇପାରେ କି କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆସାମ ଏବଂ ପଶ୍ଚିମବଙ୍ଗରେ ସାମ୍ବାଦିକଙ୍କ ଲାଗି ପେନ୍‍ସନ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ କେରଳ ସରକାର ନିକଟରେ ପେନ୍‍ସନ ପରିମାଣ ବୃଦ୍ଧି କରିଛନ୍ତି । ସେହିପରି ମହାରାଷ୍ଟ୍ର, ଛତିଶଗଡ ଏବଂ ହରିଆନାରେ ସାମ୍ବାଦିକ ସୁରକ୍ଷା ଆଇନ୍‍ କାର୍ଯ୍ୟକାରୀ ହେଉଛି ।

Share

Leave a Reply

Your email address will not be published. Required fields are marked *

four × two =