ଅର୍ଥ ବିଭାଗ ଅଧିକାରୀଙ୍କ ହାମ୍ବଡା ନୀତି

ଭୁବନେଶ୍ବର (): ନିଯୁକ୍ତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଆସୁଛନ୍ତି । ନିୟମିତ ମଧ୍ୟ ନିଯୁକ୍ତି ସମ୍ପର୍କରେ ସମୀକ୍ଷା କରୁଛନ୍ତି । ହେଲେ କିଛି ଅଧିକାରୀଙ୍କର ହାମ୍ବଡା ନୀତି ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟର ବିରୁଦ୍ଧାଚରଣ କରୁଛି । ଫଳରେ ଅଦାଲତରେ ସରକାରଙ୍କୁ ସମାଲୋଚିତ ହେବାକୁ ପଡୁଛି । ଅଦାଲତରେ ହାରିବା ପରେ ବି ପୁନର୍ବାର ଏହି ଅଧିକାରୀମାନେ ସଲାସୁତରା ହୋଇ ଉପର ଅଦାଲତକୁ ଯାଉଛନ୍ତି । ବିଶେଷକରି ଅର୍ଥ ବିଭାଗର କିଛି ଅଧିକାରୀ ଏବେ ଏହାର ମୁଖ୍ୟ କାର୍ପେଟଦାର ସାଜିଛନ୍ତି । ଏହି ବିଭାଗରେ ଠିକାରେ କାର୍ଯ୍ୟ କରୁଥିବା ୧୫ ଜଣ ଜୁନିୟର ପ୍ରୋଗ୍ରାମର ଓ ୮୦ ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଚାକିରିରୁ ବାହାର କରିବା ଲାଗି ଏବେ ବିଭାଗ ପୁରା ଦମ୍ରେ ଅଣ୍ଟା ଭିଡିଛି ।

ଟ୍ରିବ୍ୟୁନାଲ୍ ଓ ହାଇକୋର୍ଟଙ୍କ ରାୟ ସତ୍ତ୍ବେ ଏମାନଙ୍କୁ ନିୟମିତ ନକରି ରାୟ ବିରୋଧରେ ସୁପ୍ରିମକୋର୍ଟରେ ବିଭାଗ ଅପିଲ କରିଛି । ଯାହା ମୁଖ୍ୟମନ୍ତ୍ରୀଙ୍କ କଲ୍ୟାଣକାରୀ ସରକାର ଆଭିମୁଖ୍ୟର ସମ୍ପୂର୍ଣ୍ଣ ବିରୋଧାଭାଷ । ତେବେ ଯଦି ସୁପ୍ରିମ୍କୋର୍ଟରେ ହାଇକୋର୍ଟଙ୍କ ରାୟ କାଏମ୍ ରୁହେ, ସରକାର ଅପଦସ୍ତ ହୁଅନ୍ତି ତାହେଲେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଦ୍ୱାରା ସମାଲୋଚିତ ହେବେ । ହେଲେ ଏଥିଲାଗି ଏହି ଅଧିକାରୀଙ୍କ ଭୃକ୍ଷେପ ନାହିଁ । ୯୫ କର୍ମଚାରୀଙ୍କୁ ବେକାରୀ କରିବା ଲାଗି ଏମାନେ ଏକ ପ୍ରକାର ସଂକଳ୍ପ ନେଇଛନ୍ତି ।

ପ୍ରକାଶ ଯେ ୨୦୦୫ରୁ ବାଣିଜ୍ୟକର ବିଭାଗରେ ୧୫ ଜଣ ଜୁନିୟର ପ୍ରୋଗ୍ରାମର ଓ ୮୦ ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଠିକା ଭିତ୍ତିରେ ନିଯୁକ୍ତି ଦିଆଯାଇଥିଲା । ଇଡ୍କଲ ଦ୍ବାରା ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବାଣିଜ୍ୟକର ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସାକ୍ଷାତକାର କରାଯାଇଥିଲା । ପ୍ରଥମେ ଆଉଟ୍ସୋର୍ସିଂ ଜରିଆରେ ଏମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ୨୦୦୮ରେ ବିଭାଗ ସିଧାସଳଖ ଏମାନଙ୍କୁ ନିଯୁକ୍ତି ଦେଇଥିଲା ଏବଂ ଦରମା ପ୍ରଦାନ କରିଥିଲା । ପ୍ରତିବର୍ଷ ମଧ୍ୟ ଏମାନଙ୍କ ଚାକିରିକୁ ନବୀକରଣ କରାଯାଇଛି । ଏମାନଙ୍କର ଆବଶ୍ୟକତା ଅଛି ବୋଲି ଉଲ୍ଲେଖ କରାଯାଇ ନବୀକରଣ କରାଯାଇଥିଲା । ରାଜ୍ୟ ସରକାର ୬ ବର୍ଷ ଠିକାରେ ନିଯୁକ୍ତିରେ ଥିବା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ଏମାନଙ୍କୁ ନିୟମିତ କରାଯିବା କଥା । ମାତ୍ର ନିୟମିତ କରିବେ କ’ଣ ବିଭାଗର ଜଣେ ଅତିରିକ୍ତ ସଚିବଙ୍କ ଚକ୍ରାନ୍ତରେ ଏମାନଙ୍କୁ ଚାକିରିରୁ ବାହାର କରିବା ଲାଗି ଯୋଜନା ପ୍ରସ୍ତୁତ କରାଗଲା ।

ସପ୍ତମ ବେତନ କମିଶନ ସୁପାରିସ ଲାଗୁ କରାଯାଇଥିଲେ ହେଁ ଏମାନଙ୍କୁ ପ୍ରଦାନ କରାଗଲା ନାହିଁ । ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସପ୍ତମ ବେତନ କମିଶନ ସୁପାରିସ ଅନୁଯାୟୀ ଦରମା ଦିଆଯାଉଥିବାବେଳେ ଜୁନିୟର ପ୍ରୋଗ୍ରାମରମାନଙ୍କୁ ଏଥିରୁ ବଞ୍ôଚତ କରାଗଲା । ଏହା ବିରୋଧରେ କର୍ମଚାରୀମାନେ ଟ୍ରିବ୍ୟୁନାଲ୍ର ଦ୍ବାରସ୍ଥ ହୋଇଥିଲେ । ୨୦୧୭ ମେ’ ୧୭ରେ ଟ୍ରିବ୍ୟୁନାଲ୍ ଏମାନଙ୍କୁ ନିୟମିତ କରିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାର ତାଙ୍କ ରାୟକୁ ନମାନି ହାଇକୋର୍ଟରେ ଆବେଦନ କଲେ । ହାଇକୋର୍ଟରେ ଆବେଦନ ନକରିବା ଲାଗି ଆଇନ ବିଭାଗ ମନା କରିଥିଲା । ମାତ୍ର କିଛି ଅଧିକାରୀ ଚକ୍ରାନ୍ତ କରି ଉପରୁ ନିର୍ଦ୍ଦେଶ ନେଇ ହାଇକୋର୍ଟକୁ ଯାଇଥିଲେ । ହାଇକୋର୍ଟ ଏମାନଙ୍କ ରିଟ୍ ପିଟିସନ୍କୁ ଶୁଣାଣି ଦିନ ହିଁ ଖାରଜ କରିଥିଲା । ଏପରିକି ସରକାରଙ୍କୁ ମଧ୍ୟ କଡା ଟିପ୍ପଣୀ କରିଥିଲା ।

ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ ଯେ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ସରକାର ଏମାନଙ୍କଠାରୁ ସେବା ନେଇଛନ୍ତି । ମାତ୍ର ସେମାନଙ୍କୁ ନିୟମିତ କରିବାକୁ କଥା ଉଠିଲା ବେଳକୁ ସେମାନଙ୍କୁ କୋଣଠେସା କରାଯାଉଛି । ସରକାରୀ ଅଧିକାରୀମାନେ କିଭଳି ଭାବରେ ‘ହାୟାର ଆଣ୍ଡ ଫାୟାର’ ପଲିସି ଗ୍ରହଣ କରିଛନ୍ତି, ତାହା ଆଶ୍ଚର୍ଯ୍ୟଜନକ । ଏହି କର୍ମଚାରୀଙ୍କ କ୍ୟାରିୟରକୁ ନେଇ ଜୁଆ ଖେଳାଯାଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।

ଅଧିକାଂଶ କର୍ମଚାରୀ ନିଯୁକ୍ତି ପାଇଁ ଥିବା ସର୍ବୋଚ୍ଚ ବୟସ ସୀମା ଅତିକ୍ରମ କରିସାରିଲେଣି । ତାଙ୍କୁ ତୁରନ୍ତ ଟ୍ରିବ୍ୟୁନାଲ୍ ରାୟ ଅନୁଯାୟୀ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇ ସରକାରଙ୍କ ପିଟିସନ୍କୁ ଖାରଜ କରିଥିଲେ । ହେଲେ ତଥାପି ଅର୍ଥ ବିଭାଗର ଏହି ଚକ୍ରାନ୍ତକାରୀ ଅଧିକାରୀମାନେ ଚେତିଲେନାହିଁ । କିଭଳି ଏମାନଙ୍କୁ ନିୟମିତ କରାନଯିବ ସେଥିଲାଗି ଚଳିତ ମାସ ୧୭ ତାରିଖରେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍କୋର୍ଟରେ ମାମଲା ଦାଏର କରିଛନ୍ତି । ଏଥିପାଇଁ ଓକିଲ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ମଧ୍ୟ ଅର୍ଥ ବିଭାଗର ଅନୁମୋଦନ ନେଇଥିବା ଜଣାପଡିଛି । ନାମିଦାମୀ ଓକିଲଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ସେମାନଙ୍କୁ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + six =