୪୬ ବର୍ଷ ପରେ ସାକାର ହେବ ସ୍ବପ୍ନ

ଗୁରୁପ୍ରୀୟା ସେତୁ ଉଦଘାଟନରେ ବାଧକ ସାଜିଲା ବର୍ଷା

ଭୁବନେଶ୍ବର, 16/07 () ଆଉ ମାତ୍ର ଦିନକ ପରେ ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳରେ ସମ୍ପର୍କର ସେତୁ ଗୁରୁପ୍ରୀୟାର ଉଦଘାଟନ ହେବା କଥା  । କିନ୍ତୁ ବର୍ଷା ବାଧକ ସାଜିଛି । ଫଳରେ ଏହି ସେତୁର ଉଦଘାଟନୀ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି । ଏଯାଏଁ ପରବର୍ତ୍ତି ତାରିଖ କିନ୍ତୁ ଧାର୍ଯ୍ୟ ହୋଇନି। ତେବେ ଏଭିତରେ ସେତୁ ନିର୍ମାଣ ସରି ଟେଷ୍ଟିଂ ବି ଶେଷ ହୋଇଛି ।

ଏହି ସେତୁ ନିର୍ମାଣ ହେବାକୁ ସ୍ବାଧିନ ଭାରତରେ ବୋଧହୁଏ ସବୁଠାରୁ ଲମ୍ବା ସମୟ ନେଇଛି । ଏଠାରେ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯିବାର ଦୀର୍ଘ ୪୬ବର୍ଷ ଧରି ଅନେକ ବାଧାବିଘ୍ନ ସହିବା ପରେ ସ୍ବପ୍ନ ସାକାର ହୋଇଛି ।

୧୯୭୨ ମସିହାରେ ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ବାଲିମେଳା ଜଳବିଦ୍ୟୁତ୍‍ କେନ୍ଦ୍ର ନିର୍ମାଣ ହୋଇଥିଲା । ଏହି ବିଦ୍ୟୁତ୍‍ କେନ୍ଦ୍ରରୁ ଅନ୍ୟକୁ ବିକାଶର ଆଲୋକ ଦେଖାଇ ସ୍ଥାନୀୟ ଚିତ୍ରକୋଣ୍ଡା ଅଞ୍ଚଳର ୧୫୧ଗାଁର ଜନସାଧାରଣ ଅନ୍ଧାରକୁ ଅନିଛା ସତ୍ତ୍ବେ ଆବୋରି ନେଇଥିଲେ । ଫଳରେ ଏହି ୧୫୧ଗାଁର ୭୫ହଜାର ଲୋକ ଜଳବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହେଲେ । ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ସେଠାକାର ଜଳବନ୍ଦୀ ଲୋକମାନଙ୍କୁ ଦୁଇଟି ମୋଟର ଲଞ୍ଚ ଓ ପରେ କିଛି ଡଙ୍ଗା ଯୋଗାଇ ଦିଆଯାଇଥିଲା । ଚିତ୍ରକୋଣ୍ଡାବାସୀ ବିପଦସଂକୁଳ ଅବସ୍ଥାରେ ଯାତାୟତ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସଂଘର୍ଷ କରିବାକୁ ବାଧ୍ୟ ହେଉଥିଲେ । ଯୋଡାମ୍ବ, ଯନ୍ତ୍ରୀ, ଗୁରାସେତୁ, ପଣସପୁଟ, ଅଣ୍ଡାପାଲି, ଗାଜଲମାମୁଡି ପଞ୍ଚାୟତର ଲୋକମାନେ ମୋଟର ଲଞ୍ଚ ଓ ଡଙ୍ଗା ଯୋଗେ ନିଜ ଘରେ ପହଞ୍ଚୁଥିଲେ । ଅନ୍ୟପକ୍ଷରେ ବଡପେଟା, ପାପରମେଟଲାର ଅଧିବାସୀମାନେ ଯାତାୟତ ପାଇଁ ଦେଶୀ ଡଙ୍ଗା ଉପରେ ନିର୍ଭର କରୁଥିଲେ । ତା ସହିତ ମାଇଲ ମାଇଲ ପାଦରେ ମଧ୍ୟ ଚାଲିବାକୁ ପଡୁଥିଲା । ଫଳରେ ମାଲକାନଗିରି ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ ଯନ୍ତ୍ରଣା ଅତିଶୟ ହୋଇପଡିଥିଲା ।

ଏହାପରେ ଲୋକମାନଙ୍କ ବାରମ୍ବାର ଦାବି ପରେ ୧୯୮୨ରେ ଗୁରୁପ୍ରିୟା ନଦୀ ଉପରେ ଝୁଲା ପୋଲ ନିର୍ମାଣ ପାଇଁ ୮କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଏଥିପାଇଁ ତତ୍‍କଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଶିଳାନ୍ୟାସ ମଧ୍ୟ କରିଥିଲେ । କିନ୍ତୁ ଏହି ଝୁଲା ପୋଲ ନିର୍ମାଣ ହୋଇପାରିନଥିଲା । ପରେ ୨୦୦୫ରେ ଗମାନ ଇଣ୍ଡିଆ କମ୍ପାନୀ ୪୭କୋଟି ଟଙ୍କାରେ ପୋଲ ନିର୍ମାଣ କାମ ନେଇଥିଲା । ମାଓବାଦୀଙ୍କ ଧମକ ଓ ବିସ୍‍ଫୋରଣ ଯୋଗୁ ଏହି କମ୍ପାନୀ ଅଧାରୁ କାମ ଛାଡି ପଳାଇଥିଲା । ୧୮୨ରୁ ଆଜି ପର୍ଯ୍ୟନ୍ତ ପୋଲର ନିର୍ମାଣ ବଜେଟ ୧୧ଥର ବୃଦ୍ଧି ପାଇ ୧୭୨କୋଟି ୫୮ଲକ୍ଷରେ ପହଁଞ୍ଚିଥିଲା । ୧୯୮୨ରେ ସରକାରଙ୍କ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ବଡ ଚ୍ୟାଲେଞ୍ଜ ଥିଲା । ଏଥିପାଇଁ ଜାନବାଇ ଘାଟର ଉଭୟ ପାର୍ଶ୍ବରେ ଦୁଇଟି ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇ ପୋଲ ନିର୍ମାଣ କାମ ଆରମ୍ଭ କରାଯାଇଥିଲା ।

ବିଏସଏଫ ସୁରକ୍ଷା ପାଇବା ପରେ କୋଲକାତାର ପୋଲ ନିର୍ମାଣକାରୀ ସଂସ୍ଥା ରୟାଲ ଇନଫ୍ରା କମ୍ପାନୀ ନିର୍ମାଣ ଦାୟିତ୍ବ ନେଇଥିଲେ । ୨୦୧୪ରେ ଏହି କମ୍ପାନୀ ପୋଲ ନିର୍ମାଣ କାମ ଆରମ୍ଭ କରିଥିଲା । ୯୧୦ ମିଟର ଲମ୍ବ ସେତୁ ପାଇଁ ଗଭୀର ପାଣିରେ ୧୦୨ଟି ପାଇଲ ଉପରେ ୨୩ ପିଲାର ନିର୍ମାଣ ଲାଗି ସ୍ଥିର ହୋଇଥିଲା । ଏଥିରେ ୬୬ଟି କଂକ୍ରିଟ ଗାଡର ୨୨ଟି କଂକ୍ରିଟ ସ୍ଲାବ ଲାଗି ଡିଜାଇନ ପ୍ରସ୍ତୁତ ହୋଇଥିଲା । ସେତୁ ନିର୍ମାଣ କାମ ୩ବର୍ଷ ମଧ୍ୟରେ ସାରିବାକୁ ରୟାଲ ଇନଫ୍ରା କମ୍ପାନୀ ଚୁକ୍ତି ମଧ୍ୟ କରିଥିଲା । ସେତୁ ନିର୍ମାଣ ଆରମ୍ଭରୁ ବହୁ ପଧତିବନ୍ଧକ ଦେଖା ଦେବା ସହିତ ଅନେକ ସୁରକ୍ଷାକର୍ମୀଙ୍କୁ ସହିଦ ହେବାକୁ ପହିଥିଲା । ୨୦୧୨ରେ ଜାନବାଇ ଘାଟରେ ବିସ୍‍ଫୋରଣ ଯୋଗୁଁ ଜଣେ କମାଣ୍ଡଙ୍କ ସହିତ ୪ଜଣ ବିଏସଏଫ ଅଧିକାରୀ ସହିଦ ହୋଇଥିଲେ ।

କାମ ଆରମ୍ଭ ହେବା ପରେ ୨୦୦୮ ଅଗଷ୍ଟରେ ପାଲଙ୍ଗରାଏରେ ୩ଜଣ ବିଏସଏଫ ଯବାନ ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ । ୨୦୧୬ ଏପ୍ରିଲ ୩ରେ ଗଭୀର ସ୍ରୋତରେ ନିର୍ମାଣ ହେଉଥିବା ୩ଟି ପାଇଲ ଢଳିପଡିଥିଲା । ଫଳରେ ପୁଣି ଥରେ ପୋଲ ନିର୍ମାଣ ଡିଜାଇନରେ ପରିବର୍ତ୍ତନ କରାଯାଇଥିଲା । ୧୦୨ ସ୍ଥାନରେ ପାଇଲ ସଂଖ୍ୟା ୧୭୮କୁ ବୃଦ୍ଧି କରାଯାଇଥିଲା । ୨୦୧୭ ଜୁଲାଇ ୨୫ରେ ପବନ ବେଗରେ ୧୦ଓ ୧୧ ନଂ ସ୍ପାନ ମଧ୍ୟରେ ୩ଟି କଂକ୍ରିଟ ଗାଡରରେ ୧୮ଟି ଷ୍ଟିଲ ଗାଡର ସ୍ଥାପନ କରାଗଲା । ଏସବୁ ବାଧାବଘ୍ନକୁ ଅତିକ୍ରମ କରି ଗୁରୁପ୍ରିୟା ନଦୀ ଉପରେ ଠିଆ ହୋଇଛି ସ୍ବପ୍ନ, ଆଶା ଓ ଆକାଂକ୍ଷାର ପୋଲ ।

Share

Leave a Reply

Your email address will not be published. Required fields are marked *

1 × 3 =