ଚାଷୀଙ୍କୁ ଶୁଣିବେ ଆଉ ସମାଧାନ କରିବେ ସରକାର

ଆରମ୍ଭ ହେଲା ଚାଷୀ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର, (ନିପ୍ର): ଏଣିକି ଚାଷୀଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ସାଙ୍ଗକୁ କୃଷି ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମ, ଆଧୁନିକ ଚାଷ ଓ ବଜାର ସୁବିଧା ଆଦି ସଂପର୍କରେ ସଚେତନତା ପାଇଁ ପ୍ରଶାସନ ସିଧାସଳଖ ସେମାନଙ୍କ ସହ ଆଲୋଚନା କରିବ  । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବୁଧବାର ଚାଷୀ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକର ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଦୈନିକ ପ୍ରତି ପଞ୍ଚାୟତରୁ ୨ ଜଣ ହିସାବରେ ୬,୭୯୮ ଗ୍ରାମ ପଞ୍ଚାୟତର ୧୩, ୫୯୬ ଜଣ କୃଷକ  ଅଂଶଗ୍ରହଣ କରିବେ।

ପ୍ରତ୍ୟେକ ଦିନ ଗୋଟିଏ ବ୍ଲକର ଅନ୍ୟୁନ ୪୦ ରୁ ୫୦ ଜଣ କୃଷକଙ୍କ ପାଇଁ ଅନୁଷ୍ଠିତ ହେବ ଏହି ସଚେତନତା କାର୍ଯ୍ୟକ୍ରମ। କୃଷକମାନଙ୍କୁ ଆଧୁନିକ ବୈଷୟିକ କୃଷି ଜ୍ଞାନକୌଶଳ ସହିତ ବିଭିନ୍ନ କୃଷି ସମ୍ପର୍କୀତ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ସଚେତନତା କରାଯିବ । ପ୍ରଶିକ୍ଷିତ ଚାଷୀ ପଞ୍ଚାୟତ ସ୍ତରର ଅନ୍ୟ ଚାଷୀଙ୍କୁ ପ୍ରଶିକ୍ଷଣ ଦେବେ। ବର୍ଷକ ମଧ୍ୟରେ ଏହି ଚାଷୀ ସଚେତନତା କାର୍ଯ୍ୟକ୍ରମ ଶେଷ ହେବ  ।

ଆଜିର ପ୍ରଥମ ଦିନରେ ବଲାଙ୍ଗୀର ଜିଲ୍ଲାର ୫୬ ଜଣ ଚାଷୀ ତାଲିମ ନେଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସେଠାରେ ଚାଷୀଙ୍କ ସମସ୍ୟା କଥା ଶୁଣିଥିଲେ। ଚାଷୀମାନେ ଅଭାବୀ ବିକ୍ରି ଓ ଶୀତଳ ଭଣ୍ଡାର କଥା କହିବା ସହ ଅନ୍ୟାନ୍ୟ ସମସ୍ୟା କଥା ଉଠାଇଥିଲେ। ତେବେ ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବା ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷି ଉତ୍ପାଦନ ଏବଂ ଉତ୍ପାଦକତାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିବା ଏବଂ କୃଷି କ୍ଷେତ୍ରରେ ସାମୂହିକ ବିକାଶ କରିବା ସହ ଚାଷୀ ମାନଙ୍କର ରୋଜଗାର ବୃଦ୍ଧି ପାଇଁ କୃଷକ ମାନଙ୍କୁ ବିଭିନ୍ନ ରାଜ୍ୟ ଓ ଜାତୀୟସ୍ତରୀୟ କୃଷି ଗବେଷଣା ଅନୁଷ୍ଠାନ ମାନଙ୍କୁ ନିଆଯାଇ କୃଷି ସମ୍ବନ୍ଧୀୟ ନୂତନ ଜ୍ଞାନ କୌଶଳ ବିଷୟରେ ଅବଗତ କରାଇବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।

ଏହି ଅବସରରେ ମୁଖ୍ୟମବୀ ଚାଷୀ ମାନଙ୍କୁ ସରକାରଙ୍କୁ ବିଭିନ୍ନ କୃଷି କାର୍ଯ୍ୟକ୍ରମର ସୁଯୋଗ ନେବା ସହିତ କୃଷି କ୍ଷେତ୍ରରେ ଥିବା ଓଡ଼ିଶାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ଉପଯୋଗ କରିବାପାଇଁ ପରାମର୍ଶ ଦେଇଥିଲେ । ସେ ଆହୁରି କରିଥିଲେ ଯେ, କୃଷିର ଆଧୁନିକୀକରଣ ସହିତ ୧ ପ୍ରତିଶତ ସୁଧରେ ଋଣ ଦିଆଯାଉଛି ।

Share

Leave a Reply

Your email address will not be published. Required fields are marked *

4 × 3 =