ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ କେନ୍ଦ୍ରୀୟ ବିଦ୍ୟାଳୟ ମାନୁନି

ଭୁବନେଶ୍ବର () ଭୁବନେଶ୍ବର ୟୁନିଟ 9 ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-ୱାନକୁ ନୋଟିସ କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ସଚିବ  । କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏହି ନୋଟିସ ଜାରି କରାଯାଇଥିବା ବେଳେ ତିନି ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି  । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଥମେ ଖରାଛୁଟିକୁ ଜୁନ 21 ତାରିଖ ଏବଂ ପରେ ଜୁନ 25 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଥିଲେ  । କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶକୁ ଉଲଂଘନ କରି କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ 21 ତାରିଖରେ ସ୍କୁଲ ଖୋଲିଥିଲେ ।

ଏ ସଂପର୍କରେ ଗତ 20 ତାରିଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଥିଲେ  । କିଛି ଗଣମାଧ୍ୟମରେ ମଧ୍ୟ ଏ ସଂପର୍କିତ ଖବର ଫଟୋ ସହ ପ୍ରକାଶ ପାଇଥିଲା  । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ରାଜ୍ୟର ପ୍ରାୟ ସବୁ ସହରେ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବାରୁ ରାଜ୍ୟ ସରକାର ଖରାଛୁଟିର ଅବଧି ବୃଦ୍ଧି କରିଥିଲେ  । ଏହାର ମୂଳ ଉଦ୍ଦେଶ୍ୟ ଥିଲା ଖରାରେ ପିଲାମାନଙ୍କ ସ୍ବାସ୍ଥ୍ୟ ଖରାପ ନହେଉ  । କିନ୍ତୁ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିଲେ  । ଫଳରେ 6 ବର୍ଷର ପିଲାମାନେ ମାନେ ପ୍ରଚଣ୍ଡ ଖରାରରେ ସ୍କୁଲ ଯିବାକୁ ବାଧ୍ୟ ହୋଇଥିଲେ  ।

ଏହିଦୃଷ୍ଟିରୁ ଓଡିଶା ବିପର୍ଯ୍ୟୟ ପରିଚାଳନା ଆଇନ 2005ର ଧାରା 51 (ଖ) ଅନୁଯାୟୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବନି ବୋଲି ପ୍ରଶ୍ନ କରାଯାଇଛି  । 3 ଦିନ ମଧ୍ୟରେ ଅଧ୍ୟକ୍ଷଙ୍କ ଉତ୍ତର ନପହଁଚିଲେ ଧରିନିଆଯିବ ଯେ, ସ୍ପଷ୍ଟିକରଣ ଦେବା ନେଇ ତାଙ୍କ ପାଖରେ ଉତ୍ତର ନାହିଁ  । ତେଣୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ  । ବିପର୍ଯ୍ୟୟ ପରିଚାଳନା ଆଇନ 2005ର ଧାରା 51 ଅନୁଯାୟୀ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ନିର୍ଦ୍ଦେଶକୁ କେହି ସରକାରୀ ଅଧିକାରୀ ଉଲଂଘନ କଲେ ତାଙ୍କ ବିରୋଧରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଓ ଫାଇନର ବ୍ୟବସ୍ଥା ରହିଛି  ।

Share

Leave a Reply

Your email address will not be published. Required fields are marked *

4 − 1 =