ବିଶ୍ବର ପରିବର୍ତ୍ତନରେ ଗାନ୍ଧୀ ହିଁ ଏକମାତ୍ର ବିକଳ୍ପ

ଭୁବନେଶ୍ବର () ଗାନ୍ଧୀ ଏକ ବ୍ୟକ୍ତିର ନାମ ନୁହେଁ । ଗାନ୍ଧୀ ଏକ ମାର୍ଗ । ଗାନ୍ଧୀ ଏକ ବିକଳ୍ପ । ଆଜିର ବିଶ୍ବ ଯେଉଁ ପରିବର୍ତ୍ତନ ଆଡକୁ ମୁହାଁଇଛି ସେହି ପରିବର୍ତ୍ତନ ଧାରାରେ ଏବେ ୟୁ ଟର୍ଣ୍ଣ ବା ପଛକୁ ଫେରିବାର ସମୟ ଆସିଯାଇଛି । ପଛକୁ ଫେରିଲେ ବିଶ୍ବ ପୁଣି କେଉଁ ଦିଗରେ ଗତି କରିବ ତାହା କେହି କହୁନାହାନ୍ତି, କିନ୍ତୁ ବିଶ୍ବର ବହୁ ବୈଜ୍ଞାନିକ, ବୁଦ୍ଧିଜୀବୀ ତଥା ଚିନ୍ତାଶୀଳ ବ୍ୟକ୍ତିଙ୍କ ମତ ହେଉଛି ପରିବର୍ତ୍ତନର ଏହି ଧାରାରେ ବିଶ୍ବକୁ ଯେଉଁ ବିକଳ୍ପ ଗ୍ରହଣ କରିବାକୁ ହେବ ତାହା ହେଉଛି ଗାନ୍ଧୀ । ଗାନ୍ଧୀ ହିଁ ସବୁ ସମସ୍ୟାର ସମାଧାନ । ଗାନ୍ଧୀ ହିଁ ସବୁ ପ୍ରଶ୍ନର ଉତ୍ତର ।

ଭୁବନେଶ୍ବର ଜୟଦେବ ଭବନରେ ଆଜିଠାରୁ ଆରମ୍ଭ ହୋଇଥିବା  ୩ଦିନିଆ ଗାନ୍ଧୀ କଥାର ପ୍ରଥମ ସଂଧ୍ୟାରେ ‘ଗାନ୍ଧୀ ଓ ବର୍ତ୍ତମାନ’ ବିଷୟ ଉପରେ ବକ୍ତବ୍ୟ ରଖି ବିଶିଷ୍ଟ ଗାନ୍ଧୀବାଦୀ ବକ୍ତା ତଥା ସ୍ତମ୍ଭକାର ଓ ରାଷ୍ଟ୍ରୀୟ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଏହି ମତ ରଖିଛନ୍ତି । ସେ କହିଛନ୍ତି ଯେ, ଗାନ୍ଧୀ ଏକ ବିକଳ୍ପର ନାମ ବୋଲି ସେ କହୁନାହାନ୍ତି । କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ତଥା ବିଶ୍ବବିଖ୍ୟାତ ଷ୍ଟିଫେନ ହକିଂ ଏହା କହିସାରିଛନ୍ତି । ଗାନ୍ଧୀଙ୍କ ବିଷୟରେ ପୂର୍ବରୁ କେବେ ମତ ରଖିନଥିବା ବହୁ ଅର୍ଥଶାସ୍ତ୍ରବିତ ଓ ବୈଜ୍ଞାନିକ ମଧ୍ୟ ଗାନ୍ଧୀବାଦ  ହିଁ ଏକମାତ୍ର ବିକଳ୍ପ ବୋଲି ଏବେ କହୁଛନ୍ତି ।

କୁମାର ପ୍ରଶାନ୍ତ କହିଥିଲେ ଯେ, ଗାନ୍ଧୀ ପରିବେଶବିତ ନଥିଲେ । କିନ୍ତୁ ପ୍ରକୃତି ଆମକୁ ଯାହା ଦେଉଛି ପ୍ରକୃତିକୁ ଆମେ ତାହା ଫେରାଇବାକୁ ପଡିବ ବୋଲି କହିଥିଲେ । ଗାନ୍ଧୀଜୀଙ୍କ  ସେହି କଥା ପଦକ ପରିବେଶ ରକ୍ଷା କ୍ଷେତ୍ରରେ ବିଶ୍ବବ୍ୟାପୀ ଏକ ପ୍ରେରଣାଦାୟୀ ମନ୍ତବ୍ୟ ହୋଇ ରହିଛି । ଗାନ୍ଧୀଜୀ ଅର୍ଥଶାସ୍ତ୍ରୀ ନଥିଲେ, କିନ୍ତୁ ତାଙ୍କ ଅର୍ଥନୀତିକୁ ଭାରତର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିବା ଅର୍ଥନୀତିଜ୍ଞ ରଘୁରାମ ରାଜନଙ୍କ ଠାରୁ ଆରମ୍ଭ କରି ବହୁ ଅର୍ଥଶାସ୍ତ୍ରବିଦ ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି । ଗାନ୍ଧୀ କହୁଥିଲେ ସମ୍ବଳକୁ ମହଜୁଦ କରି ରଖିଲେ ଏହାର ସଦୁପଯୋଗ ହୋଇପାରିବ ନାହିଁ, ସମ୍ବଳର ସମବଣ୍ଟନ ହେବା ଦରକାର ।

କାଶ୍ମୀର ପ୍ରସଙ୍ଗରେ ମତ ରଖି କୁମାର ପ୍ରଶାନ୍ତ କହିଥିଲେ ଯେ, ଭାରତ ଯେତେବେଳେ ସ୍ବାଧୀନ ହେଲା ସେତେବେଳେ ୬ଶହ ରାଜ୍ୟ ଭାରତ ସହିତ ମିଶିଥିଲେ । ଅନେକ ରାଜ୍ୟକୁ ଭାରତ ସହିତ ମିଶାଇବା ବେଳେ ଅନେକ ସର୍ତ୍ତ ରଖାଯାଇଥିଲା । ସେମାନଙ୍କର ସେହି ସର୍ତ୍ତ ସବୁ ଭାରତ ସରକାର ପୂରଣ କରିବାର ପ୍ରତିଶ୍ରୁତି ଦେଇ ଚୁକ୍ତିବଦ୍ଧ ହୋଇଥିଲେ । କାଶ୍ମୀର ସେହିଭଳି ଏକ ପରିସ୍ଥିତିରେ ଭାରତ ସହିତ ମିଶିଥିଲା । କେବଳ କାଶ୍ମୀର ନୁହେଁ, ହିମାଳୟ ପାଦଦେଶର ୭ଟି ରାଜ୍ୟ ମଧ୍ୟ ଭାରତକୁ ଆସିଥିଲେ । ସେହି ପରିସ୍ଥିତିରେ କାଶ୍ମୀରକୁ ଭାରତରେ ରଖିବା ପାଇଁ ସେତେବେଳର ସରକାର ଅନେକ ପଦକ୍ଷେପ ନେଇଥିଲେ ।

କାଶ୍ମୀର ଭାରତରେ ମିଶିବା ଏବଂ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବାରେ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ସେକ ଅବଦୁଲ୍ଲାଙ୍କର ବଡ଼ ଭୂମିକା ଥିଲା ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ, ଇତିହାସକୁ ଭଲଭାବେ ନଜାଣି ଯେଉଁମାନେ ସଂସଦରେ ଇତିହାସ ସଂପର୍କରେ ପଢ଼ାଉଛନ୍ତି ସେମାନଙ୍କୁ ପ୍ରଥମେ ଇତିହାସକୁ ଜାଣିବାକୁ ପଡିବ । କୌଣସି ନିଷ୍ପତ୍ତି ନେଲାବେଳେ ସେତେବେଳର ପରିସ୍ଥିତିକୁ ଦେଖି କିଏ ଭୁଲ ଅବା ଠିକ ନିଷ୍ପତ୍ତି ନେଇଥାଇପାରେ । କିନ୍ତୁ ପରବର୍ତ୍ତୀ ସମୟରେ ତା’ର ପରିବର୍ତ୍ତନ କରିବାକୁ ଗଲାବେଳେ ସେତେବେଳ ସ୍ଥିତିକୁ ନବୁଝି ନିଷ୍ପତ୍ତି ନେଇଥିବା ଲୋକଙ୍କୁ ଦୋଷୀ କରାଯିବା ଠିକ ନୁହେଁ ।

କୁମାର ପ୍ରଶାନ୍ତ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କୁ ୧୯୪୮ ମସିହାରେ ଗୁଳିକରି ମାରି ଦିଆଗଲା କିନ୍ତୁ ମହାମ୍ଖା ଗାନ୍ଧୀ ମଲେ ନାହିଁ । ଜଣେ  ୮୦ ବର୍ଷର ବୃଦ୍ଧଙ୍କୁ ମାରିବା ପାଇଁ ୩ଟି ଗୁଳି ଯଥେଷ୍ଟ ଥ୍ଖଲା, ତାହା ମଧ୍ୟ ଠିକ ଲକ୍ଷ୍ୟରେ ବାଜିଲା, ମହାମ୍ଖା ଟଳି ପଡିଲେ ଓ ତାଙ୍କ ମରଶରୀରକୁ ରାଜଘାଟରେ ସଂସ୍କାର କରାଗଲା, କିନ୍ତୁ ଆଜି ବି ସେ ବଞ୍ଚ୍ଖଛନ୍ତି । ସେ ଯଦି ଆଜି ବଞ୍ଚ୍ଖନଥାନ୍ତେ ତେବେ କେବଳ ଭାରତ କାହିଁକି ସାରା ବିଶ୍ବରେ ଗାନ୍ଧୀବାଦର ଆଲୋଚନା ହେଉନଥାନ୍ତା କାହିଁକି ଗାନ୍ଧୀ ବଞ୍ଚ୍ଖ ରହିଛନ୍ତି ତାକୁ ବୁଝିବାକୁ ପଡିବ । ତା’ର ମର୍ମ ଜାଣିଲେ ଗାନ୍ଧୀ କିଏ ଓ ଗାନ୍ଧୀବାଦ କ’ଣ ତାହା  ଅଛପା ହେବନାହିଁ ।

ଓଡ଼ିଶା ସରକାରଙ୍କ ଗାନ୍ଧୀ ୧୫୦ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ପାଳନ କମିଟି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଓଡ଼ିଶାର ମିଳିତ ଆୟୋଜନରେ ଆରମ୍ଭ ହୋଇଥିବା ଏହି ଗାନ୍ଧୀ କଥାରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ରହି କୁମାର ପ୍ରଶାନ୍ତଙ୍କୁ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରିଥିଲେ । ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଞ୍ଜୟ ସିଂ, ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ରାଜ୍ୟ ଶାଖା ସଭାପତି ଜଷ୍ଟିସ ମନୋରଂଜନ ମହାନ୍ତି ଓ ସଂପାଦକ ବିରୂପାକ୍ଷ ତ୍ରିପାଠୀ, ରାଷ୍ଟ୍ରୀୟ ଯୁବା ସଂଗଠନ ସଂଯୋଜକ ଡକ୍ଟର ବିଶ୍ବଜିତ, ସଦସ୍ୟ ମିହିର ପ୍ରତାପ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଶନିବାର ଜୟଦେବ ଭବନରେ ଜବାହାରଲାଲ ଓ ଗାନ୍ଧୀଜୀ ବିଷୟରେ କୁମାର ପ୍ରଶାନ୍ତ ତାଙ୍କର ବକ୍ତବ୍ୟ ରଖିବା ବେଳେ ରବିବାର ଗାନ୍ଧୀ ଓ ଭାରତ ବିଭାଜନ ପ୍ରସଙ୍ଗରେ ବକ୍ତବ୍ୟ ରଖିବେ । ଶୁକ୍ରବାର ପୂର୍ବାହ୍ନରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ଏକ  ସଭାରେ ଯୋଗଦେଇ ସେ ଗାନ୍ଧୀ ଓ ବର୍ତ୍ତମାନର ଯୁବପୀଢ଼ି ସଂପର୍କରେ ତାଙ୍କର ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁପ୍ରଭା ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ଅଭିରାମ ବିଶ୍ବାଳ ସଂଯୋଜନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

six + 2 =