ଚାଷୀଙ୍କ କଥା ଶୁଣିବାକୁ ଦିଲ୍ଲୀ ଦରବାର ପାଖରେ ସମୟ ନାହିଁ

ବରଗଡ () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଓ ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର ଓ ରୋଡ ସୋ କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଏହି ଦୁଇଟି ଆସନ ପାଇଁ ଆସନ୍ତା 18 ତାରିଖରେ ଭୋଟଗ୍ରହଣ କରାଯିବ । ମାରାଥନ ପ୍ରଚାର ସମୟରେ ସେ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଥିଲେ ।

ଏହି ଅବସରରେ ସେ ବିଭିନ୍ନ ସ୍ଥାନରେ ସମବେତ ଜନତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ, କାଳିଆ ଯୋଜନାରେ ଏପର୍ଯ୍ୟନ୍ତ 40 ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ତେବେ ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦୃଢତାର ସହ କହିଥିଲେ । ଏଥିସହିତ ପୁଣି ଥରେ ଘୋଷଣା କରିଛନ୍ତି ଯେ, ବିଜେଡି ସରକାର ଗଠନର ପ୍ରଥମ ଦିନରେ ହିଁ ସବୁ ଚାଷୀ କାଳିଆ ଯୋଜନାର ଦୁଇଟି କିସ୍ତିର 10ହଜାର ଟଙ୍କା ଏକା ଥରକେ ପାଇବେ ।

ବିଜେପି 2014 ନିର୍ବାଚନ ଇସ୍ତାହାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇ ଗୁଣ କରିବାକୁ କହିଥିଲା । ଏହା ଏକ ସ୍ବାଗତ ଯୋଗ୍ୟ ଘୋଷଣା ଥିଲା, ଚାଷୀ ଦି ପଇସା ଅଧିକ ପାଇଥାନ୍ତେ । ସମସ୍ତେ ଅପେକ୍ଷା କରିଥିଲେ । 2016ରେ ଏ ସଂପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କଲେ । ତା ପରେ କି କିଛି ହେଲାନା ନାହିଁ । ବିଧାନସବାରେ ସମସ୍ତେ ନିଷ୍ପତ୍ତି ନେଲେ । ଗୃହ କମିଟି ଗଟନ ହେଲା । ସବୁ ଦଳ ଏଥିରେ ସାମିଲ ହେଲେ । ଚାଷୀଙ୍କ ଦାବି ନେଇ ଦିଲ୍ଲୀ ଗଲେ । ଏଭିତରେ ଦୁଇ ବର୍ଷ ବିତିଗଲାଣି । ଚାଷୀଙ୍କ ପାଇଁ ଦିଲ୍ଲୀ ଦରବାର ଦୁଇ ମିନିଟ ସମୟ ଦେଇପାରିଲା ନାହିଂ । ଦୁଇ ଜଣ ଓଡିଆ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ସେମାନେ ବି ପାଟି ଖୋଲିବାକୁ ସାହସ କଲେ ନାହିଁ ।

ସେହିପରି ହସ୍ତତନ୍ତ ସାମଗ୍ରୀ ଉପରେ ଜିଏସଟି ଲାଗିଲା । ବୁଣାକାରମାନେ ହଇରାଣ ହେଲେ । ବେପାର ବନ୍ଦ ହେଲା । ବିଜେଡି ସରକାର ଜିଏସଟି କମାଇବା ପାଇଁ କେନ୍ଦ୍ର ନିକଟରେ ଦୃଢ ଦାବି କଲା ପରେ ଜିଏସଟି କମିଲା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଥିଲେ ଯେ, କୋଶଳୀ ଭାଷା ଏକ ସମ୍ବୃଦ୍ଧ ଭାଷା । କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ରଖିବା ପାଇଁ ମୁଁ ଦାବୀ କରିଥିଲା । ହେଲେ କିଛି ହେଲା ନାହିଁ । ଓଡିଶା ପ୍ରତି, କୋଶଳୀ ଭାଷା ପ୍ରତି, ଓଡିଶା ବିଧାନସଭା ଗୃହ କମିଟି ପ୍ରତି, ଆମ ଚାଷୀ ଓ ବୁଣାକାରଙ୍କ ପ୍ରତି କେନ୍ଦ୍ରର ବିଜେପି ସରକାରର ଏମିତି ଦରଦ ।

ନିର୍ବାଚନ ସମୟରେ କେନ୍ଦ୍ରର ବଡ ବଡ ନେତାମାନେ ଆସିବେ ଆଉ ବଡ ବଡ କଥା କହିବେ । ପରେ କିନ୍ତୁ ଦେଖା ଦର୍ଶନ ମିଳିବ ନାହିଁ । ସୁଖରେ ନୁହେଁ କି ଦୁଃଖରେ ନୁହେଁ । ମୁଁ କିନ୍ତୁ ଆପଣଙ୍କ ସାଥିରେ ସବୁବେଳେ ଅଛି, କାମ କରୁଛି ଓ କରୁଥିବା ବୋଲି କହିଥିଲେ ନବୀନ ।

Share

Leave a Reply

Your email address will not be published. Required fields are marked *

nineteen − 15 =