୨୬ରେ ଗୁରୁପ୍ରିୟା ସେତୁର ଲୋକାର୍ପଣ

ଭୁବନେଶ୍ବର (ନିପ୍ର) ବର୍ଷା ଯୋଗୁଁ ଗତ ୧୮ ତାରିଖରେ ଗୁରୁପ୍ରିୟା ସେତୁ ଉଦଘାଟନ ବାତିଲ ହୋଇଥିଲା । ଆସନ୍ତା ୨୬ ତାରିଖରେ ପୁଣି ଥରେ ଗୁରୁପ୍ରିୟା ସେତୁ ଉଦଘାଟନ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଦୀର୍ଘ ବର୍ଷ ୪୬ ଧରି ଯେଉଁ ସେତୁ ନିର୍ମାଣକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ସେହି ସ୍ବପ୍ନ ସାକାର ହେବାକୁ ଯାଉଛି । ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉଦ୍ଦେଶ୍ୟରେ ଗୁରୁପ୍ରିୟା ସେତୁକୁ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ । ଏହି ସେତୁ ନିର୍ମାଣ ହେବାକୁ ସ୍ବାଧିନ ଭାରତରେ ବୋଧହୁଏ ସବୁଠାରୁ ଲମ୍ବା ସମୟ ନେଇଛି । ଏହି ସେତୁ ବିଛିନ୍ନାଞ୍ଚଳରେ ମାଓବାଦୀ ସମସ୍ୟାର ମଧ୍ୟ ସମାଧାନ ହେବ ବୋଲି ଆଶା କରାଯାଉଛି ।

୧୯୭୨ ମସିହାରେ ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ର ନିର୍ମାଣ ହୋଇଥିଲା । ଏହି ବିଦ୍ୟୁତ କେନ୍ଦ୍ରରୁ ଅନ୍ୟକୁ ବିକାଶର ଆଲୋକ ଦେଖାଇ ସ୍ଥାନୀୟ ଚିତ୍ରକୋଣ୍ଡା ଅଞ୍ଚଳର ୧୫୧ଗାଁର ଜନସାଧାରଣ ଅନ୍ଧାରକୁ ଅନିଛା ସତ୍ତ୍ବେ ଆବୋରି ନେଇଥିଲେ । ଫଳରେ ଏହି ୧୫୧ଗାଁର ୭୫ହଜାର ଲୋକ ଜଳବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହେଲେ । ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ସେଠାକାର ଜଳବନ୍ଦୀ ଲୋକମାନଙ୍କୁ ଦୁଇଟି ମୋଟର ଲଞ୍ଚ ଓ ପରେ କିଛି ଡଙ୍ଗା ଯୋଗାଇ ଦିଆଯାଇଥିଲା । ଚିତ୍ରକୋଣ୍ଡାବାସୀ ବିପଦସଂକୁଳ ଅବସ୍ଥାରେ ଯାତାୟତ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସଂଘର୍ଷ କରିବାକୁ ବାଧ୍ୟ ହେଉଥିଲେ । ଯୋଡାମ୍ବ, ଯନ୍ତ୍ରୀ, ଗୁରାସେତୁ, ପଣସପୁଟ, ଅଣ୍ଡାପାଲି, ଗାଜଲମାମୁଡି ପଞ୍ଚାୟତର ଲୋକମାନେ ମୋଟର ଲଞ୍ଚ ଓ ଡଙ୍ଗା ଯୋଗେ ନିଜ ଘରେ ପହଞ୍ଚୁଥିଲେ । ଅନ୍ୟପକ୍ଷରେ ବଡପେଟା, ପାପରମେଟଲାର ଅଧିବାସୀମାନେ ଯାତାୟତ ପାଇଁ ଦେଶୀ ଡଙ୍ଗା ଉପରେ ନିର୍ଭର କରୁଥିଲେ । ତା ସହିତ ମାଇଲ ମାଇଲ ପାଦରେ ମଧ୍ୟ ଚାଲିବାକୁ ପଡୁଥିଲା । ଫଳରେ ମାଲକାନଗିରି ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ ଯନ୍ତ୍ରଣା ଅତିଶୟ ହୋଇପଡିଥିଲା ।

ବାରମ୍ବାର ଦାବି ପରେ ୧୯୮୨ରେ ଗୁରୁପ୍ରିୟା ନଦୀ ଉପରେ ଝୁଲା ପୋଲ ନିର୍ମାଣ ପାଇଁ ୮କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଏଥିପାଇଁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଶିଳାନ୍ୟାସ ମଧ୍ୟ କରିଥିଲେ । କନ୍ତୁ ଏହି ଝୁଲା ପୋଲ ନିର୍ମାଣ ହୋଇପାରିନଥିଲା । ପରେ ୨୦୦୫ରେ ଗେମନ ଇଣ୍ଡିଆ କମ୍ପାନୀ ୪୭କୋଟି ଟଙ୍କାରେ ପୋଲ ନିର୍ମାଣ କାମ ନେଇଥିଲା । ମାଓବାଦୀଙ୍କ ଧମକ ଓ ବିସ୍ଫୋରଣ ଯୋଗୁ ଏହି କମ୍ପାନୀ ଅଧାରୁ କାମ ଛାଡି ପଳାଇଥିଲା । ୧୯୮୨ରୁ ଆଜି ପର୍ଯ୍ୟନ୍ତ ପୋଲର ନିର୍ମାଣ ବଜେଟ ୧୧ଥର ବୃଦ୍ଧି ପାଇ ୧୭୨କୋଟି ୫୮ଲକ୍ଷରେ ପହଁଞ୍ଚିଥିଲା । ୧୯୮୨ରେ ସରକାରଙ୍କ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ବଡ ଚ୍ୟାଲେଂଜ ଥିଲା । ଏଥିପାଇଁ ଜାନବାଇ ଘାଟର ଉଭୟ ପାଶ୍ୱର୍ରେ ଦୁଇଟି ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇ ପୋଲ ନିର୍ମାଣ କାମ ଆରମ୍ଭ କରାଯାଇଥିଲା ।

ବିଏସଏଫ ସୁରକ୍ଷା ପାଇବା ପରେ କୋଲକାତାର ପୋଲ ନିର୍ମାଣକାରୀ ସଂସ୍ଥା ରୟାଲ ଇନଫ୍ରା କମ୍ପାନୀ ନିର୍ମାଣ ଦାୟିତ୍ବ ନେଇଥିଲେ । ୨୦୧୪ରେ ଏହି କମ୍ପାନୀ ପୋଲ ନିର୍ମାଣ କାମ ଆରମ୍ଭ କରିଥିଲା । ୯୧୦ ମିଟର ଲମ୍ବ ସେତୁ ପାଇଁ ଗଭୀର ପାଣିରେ ୧୦୨ଟି ପାଇଲ ଉପରେ ୨୩ ପିଲାର ନିର୍ମାଣ ଲାଗି ସ୍ଥିର ହୋଇଥିଲା । ଏଥିରେ ୬୬ଟି କଂକ୍ରିଟ ଗାଡର ୨୨ଟି କଂକ୍ରିଟ ସ୍ଲାବ ଲାଗି ଡିଜାଇନ ପ୍ରସ୍ତୁତ ହୋଇଥିଲା । ସେତୁ ନିର୍ମାଣ କାମ ୩ବର୍ଷ ମଧ୍ୟରେ ସାରିବାକୁ ରୟାଲ ଇନଫ୍ରା କମ୍ପାନୀ ଚୁକ୍ତି ମଧ୍ୟ କରିଥିଲା । ସେତୁ ନିର୍ମାଣ ଆରମ୍ଭରୁ ବହୁ ପ୍ରତିବନ୍ଧକ ଦେଖା ଦେବା ସହିତ ଅନେକ ସୁରକ୍ଷାକର୍ମୀଙ୍କୁ ସହିଦ ହେବାକୁ ପହିଥିଲା । ପୁଣି ଥରେ ପୋଲ ନିର୍ମାଣ ଡିଜାଇନରେ ପରିବର୍ତ୍ତନ କରାଯାଇଥିଲା । ପାଇଲ ସଂଖ୍ୟା ୧୦୨ରୁ ୧୭୮କୁ ବୃଦ୍ଧି କରାଯାଇଥିଲା ।

ଏଥିସହିତ ବିଛିନ୍ନାଞ୍ଚଳରେ ମାଓବାଦୀ ସମସ୍ୟାର ସମାଧାନ ଦିଗରେ ମଧ୍ୟ ଏହି ସେତୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମୀକା ନେବ । ଯାତାୟତ ଅଭାବରୁ ସୁରକ୍ଷାକର୍ମୀ ବିଛିନ୍ନାଞ୍ଚଳକୁ ଯାଇପାରୁନଥିଲେ । ଏପରିକି ଚିତ୍ରକୋଣ୍ଡା ଜଳଭଣ୍ଡାର ପାର ହେବା ସମୟରେ ଅନେକ ଥର ସୁରକ୍ଷା କର୍ମୀ ମାଓବାଦୀଙ୍କ ଆକ୍ରମଣର ଶୀକାର ମଧ୍ୟ ହୋଇଛନ୍ତି । ତେଣୁ ଏହି ସେତୁ ମାଓବାଦୀଙ୍କ ପାଇଁ ଏକ ବଡ ସେଟବ୍ୟାକ ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

twelve − two =