ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 2019-20 ବର୍ଷ ପାଇଁ ଲାପଟପ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ 10 ଜଣ ଯୁକ୍ତ ଦୁଇର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ କରି ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

ଏହି ଅବସରରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କହିଥିଲେ ଯେ, ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ 15 ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରାଯିବ । ଏଥିରୁ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ସଂଖ୍ୟା 5508 ଏବଂ ସାଧାରଣ ବର୍ଗର 9491 ଜଣ ଛାତ୍ରଛାତ୍ରୀ ଅଛନ୍ତି ।

ବିଜୁ ସଶକ୍ତିକରଣ ଯୋଜନାରେ ଯୁକ୍ତ ଦୁଇର ମେଧାବୀ ଛାତ୍ରଛାତ୍ରୀଙ୍କୁ 2013 ମସିହାରୁ ମାଗଣା ଲାପଟପ ବଣ୍ଟନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ 90 ହଜାର 203ଜଣ ଛାତ୍ରଛାତ୍ରୀଙ୍କୁ ଲପଟପ ବଣ୍ଟନ କରାଯାଇଛି । ଚଳିତ ବର୍ଷ ଏଥିପାଇଁ ଚୟନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇ ରାଜ୍ୟସ୍ତରୀୟ ମେଧା ତାଲିକା ପରିବର୍ତ୍ତେ ଜିଲ୍ଲା ସ୍ତରୀୟ ମେଧା ତାଲିକା ପ୍ରସ୍ତୁତ କରାଯାଇଛି । ଏହାଦ୍ବାରା ରାଜ୍ୟର ସମସ୍ତ 30 ଜିଲ୍ଲାର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇପାରିଛନ୍ତି ।

ଚଳିତ ବର୍ଷ OCAC ମାଧ୍ୟମରେ ଲାପଟପ ସଂଗ୍ରହ କରାଯାଇ 30 ଟି ନୋଡାଲ ସେଣ୍ଟରକୁ ବଣ୍ଟନ ପାଇଁ ପଠାଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ଆର. ବାଲକ୍ରିଷ୍ଣନ ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

five × 3 =