ଶ୍ରମିକଙ୍କ ସାମାଜିକ ସୁରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ବ

ଭୁବନେଶ୍ବର () ସଂଗଠିତ ଓ ଅସଂଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା । ରାଜ୍ୟ ସରକାର ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ସୁଦୃଢ ଓ ସୁସଂଗଠିତ କରିବା ପାଇଁ ଏବଂ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ସମୂହ ସଫଳ ଭାବରେ ଶ୍ରମିକମାନେ ଓ ସେମାନଙ୍କ ପରିବାରବର୍ଗଙ୍କ ପାଖରେ ପହଁଚାଇବା ପାଇଁ ବିଭିନ୍ନ ଶ୍ରମ ଆଇନର କାର୍ଯ୍ୟକାରୀ ହୋଇଥିବା ବେଳେ ତିନୋଟି ଶ୍ରମିକ କଲ୍ୟାଣ ବୋର୍ଡ କରିଛନ୍ତି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ।

ପେନସନ ସପ୍ତାହ ଉପଲକ୍ଷେ ରାଜ୍ୟସ୍ତରୀୟ ସଚେତନତା ଶିବିରର ଉଦଘାଟନ କରି ଶ୍ରମ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଅଣସଂଗଠିତ ଶ୍ରମିକଙ୍କ ସାମାଜିକ କଲ୍ୟାଣକୁ ଆଖି ଆଗରେ ରଖି ଓଡିଶା ଅଣସଂଗଠିତ ସମାଜିକ ସୁରକ୍ଷା କଲ୍ୟାଣ ବୋର୍ଡ ଗଠନ କରାଯାଇଛି । ଅଣସଂଗଠିତ ସାମାଜିକ ସୁରକ୍ଷା ନିୟମାବଳୀ 2010କୁ ସଂଶୋଧନ କରାଯାଇ ହିତାଧିକାରୀଙ୍କ ପଂଜିକରଣ ଦେୟ 30 ଟଙ୍କା ଏବଂ ବାର୍ଷିକ ଦେୟ 50 ଟଙ୍କାକୁ ସମ୍ପୁର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ପଂଜିକୃତ ଶ୍ରମିକଙ୍କ ନବୀକରଣକୁ 1ବର୍ଷରୁ 30 ବର୍ଷକୁ ବୃଦ୍ଧି କରାଯାଇଛି । ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା, ଦୁର୍ଘଟଣାଜନିତ ସହାୟତା ଓ ଚିକିତ୍ସା ସହାୟତା ଆଦି ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି ।

ଏହାବ୍ୟତିତ ନିର୍ମାଣ ଶ୍ରମିକମାନେ ଯେଉଁମାନେ ଅଣସଂଗଠିତ ଶ୍ରମିକ ତାଲିକାଭୁକ୍ତ ଅଟନ୍ତି, ସେମାନଙ୍କର କଲ୍ୟାଣ ପାଇଁ ରାଜ୍ୟ ସରକାର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ 29 ଲକ୍ଷ ହିତାଧିକାରୀଙ୍କୁ ପଂଜିକୃତ କରିଥିବା ବେଳେ 17ଟି କଲ୍ୟାଣକାରୀ ଯୋଜନା ମାଧ୍ୟମରେ 1470 କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଅଣସଂଗଠିତ ସାମାଜିକ ସୁରକ୍ଷା କଲ୍ୟାଣ ଆଇନ 2008 ଅନୁସାରେ କେନ୍ଦ୍ର ସରକାର 2ଟି ପେନସନ ଯୋଜନା – ଅଣସଂଗଠିତ ଶ୍ରମିକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଓ ବ୍ୟବସାୟୀ ଓ ସ୍ବରୋଜଗାରୀଙ୍କ ପାଇଁ ଜାତୀୟ ପେନସନ ଯୋଜନା ପ୍ରଣୟନ କରିଛନ୍ତି । ଏହାଦ୍ବାରା 60 ବର୍ଷ ବୟସ ପୂରା ହେବା ପରେ ଉକ୍ତ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ମାସିକ 3 ହଜାର ଟଙ୍କାର ପେନସନ ପାଇବାର ବ୍ୟବସ୍ଥା ଅଛି । ଏହା ନିଶ୍ଚିତ ରୂପେ ବାର୍ଦ୍ଧକ୍ୟ ସମୟରେ ଶ୍ରମିକଙ୍କ ସାମାଜିକ ନିରାପତ୍ତାର ସୁରକ୍ଷା ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି ।

ମାତ୍ର 41ରୂ 60 ବର୍ଷ ବୟସର ଶ୍ରମିକମାନେ ଏହି ଯୋଜନାରୁ ବାଦ ପଡୁଥିବାର ଅଭିଯୋଗ ହସ୍ତଗତ ହୋଇଛି, ଯାହାକି ଆଗାମୀ ଦିନରେ ଆଲୋଚନା ଏବଂ ସଂଶୋଧନ ମାଧ୍ୟମରେ ସମାଧାନ ହୋଇପାରିବ । ଏହି ସଚେତନତା ଶିବିରରୁ ହିତାଧିକାରୀମାନେ ଲାଭ ଉଠାନ୍ତୁ ଏବଂ ଅଧିକରୁ ଅଧିକ ଅଣସଂଗଠିତ ଶ୍ରମିକ ଏହି ଯୋଜନାରେ ସାମିଲ ହୋଇ ନିଜର ସାମାଜିକ ସୁରକ୍ଷାକୁ ସୃଦୃଢ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − 6 =