ସବୁଜ ଓଡିଶା ଗଠନରେ ଛାତ୍ରଛାତ୍ରୀମାନେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସ୍ତରୀୟ ବନମହୋତ୍ସବ କାର୍ଯ୍ୟକ୍ରମରେ ୟୋ ଦେଇ ଛାତ୍ରଛାତ୍ରୀଙ୍କୁ ବହୁ ସଂଖ୍ୟାରେ ସାମିଲ ହୋଇ ଗଛ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ପିଲାମାନେ ଗଛ ହିଁ ଜୀବନ । ଗଛ ରହିଲେ ଆମ ପରିବେଶ ଭଲ ରହିବ । ପରିବେଶ ଭଲ ରହିଲେ, ଆମେ ସମସ୍ତେ ଭଲ ରହିବା । ତେଣୁ ଗଛର ଯତ୍ନ ନେଲେ, ଗଛ ଆମର ଯତ୍ନ ନେବ” ।

ଫନୀ ବାତ୍ୟା ଯୋଗୁ ଆମର ଉପକୂଳ ଅଂଚଳରେ ବହୁତ କ୍ଷତି ହୋଇଛି । 22 ଲକ୍ଷ ଗଛ ନଷ୍ଟ ହୋଇଛି । ସେଥିପାଇଁ ଆମେ ଫନୀ ପରବର୍ତ୍ତି ଉପକୂଳ ଆଶ୍ରୟ ଅଂଚଳ ଓ ବନୀକରଣ ମିଶନ ଆରମ୍ଭ କରିଛୁ । ଏଥିରେ ଚଳିତ ବର୍ଷ 80 ଲକ୍ଷ ଗଛ ଲଗାଯିବ । ଏଥିସହିତ ଫନୀ ପ୍ରଭାବିତ ଅଂଚଳରେ 50 ଲକ୍ଷ ଚାରା ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣଙ୍କୁ ମାଗଣାରେ ଦିଆଯିବ । ସେହିପରି ସବୁଜ ମହାନଦୀ ମିଶନ, ଆମ ଜଙ୍ଗଲ ଯୋଜନା, ସବୁଜ ଓଡିଶା ମିଶନ ଏବଂ ଅନ୍ୟାନ ବହୁ ବନୀକରଣ କାର୍ଯ୍ୟକ୍ରମ ଜାରିରହିଛି । ଚଳିତ ବର୍ଷା ଋତୁରେ ରାଜ୍ୟ ଜଙ୍ଗଲ ବିଭାଗ 7 କୋଟି ଗଠ ଲଗାଇବ । 4 କୋଟି ଗଛ ବିଭିନ୍ନ ଅନୁଷ୍ଠାନ, ସଂଗଠନ ଓ ଜନସାଧାରଣଙ୍କୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସବୁ ପିଲା ଏହି ବନୀକରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସବୁଜ ଓ ସୁନ୍ଦର ଓଡିଶା ଗଠନରେ ସହାୟକ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବନ ସଂରକ୍ଷଣ ସମିତି ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜେ ଏକ ବଉଳ ଗଛ ଲଗାଇବା ସହ ଚାରା ବଣ୍ଟନ କରିଥିଲେ ।

ଏଥିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆକୁଖ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

7 + 17 =