ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର

ଖୋଲିବ ଉପାସନା ପୀଠ ମାନ୍ୟତାପ୍ରାପ୍ତ ୮୨୦ଟି କିର୍ତୀରାଜି
ଏସବୁ କିର୍ତୀରାଜି କେନ୍ଦ୍ର ସରକାରଙ୍କ ଦ୍ୱାରା ଏଏସଆଇ ଅଧୀନରେ ସଂରକ୍ଷିତ
ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସମସ୍ତ ନିୟମ ପାଳନ କରାଯିବ

ଆସନ୍ତାକାଲି ଅର୍ଥାତ ଜୁନ ୮, ୨୦୨୦ ପରଠାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀନରେ ସଂରକ୍ଷିତ ୮୨୦ଟି ଐତିହାସିକ କିର୍ତୀରାଜି ଖୋଲିବ । ଏସବୁ କିର୍ତୀରାଜି ଉପାସନା ପୀଠ ଭାବେ ମାନ୍ୟତା ଲାଭ କରିଛି । ତେବେ ଏସବୁ ସ୍ଥାନରେ କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମକୁ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରହ୍ଲାଦ ସିଂ ପଟେଲ ।

ଏହି ୮୨୦ଟି ଉପାସନା ପୀଠ ତଥା ଐତିହାସିକ କିର୍ତୀରାଜି ମଧ୍ୟରେ ଓଡ଼ିଶାରେ ଥିବା ଏଏସଆଇ ଅଧୀନ ୪୬ଟି କିର୍ତୀରାଜି ଖୋଳିବା ପାଇଁ ମଧ୍ୟ ଅନୁମତି ମିଳିଛି । ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ରାଜଧାନୀ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର, ଅନନ୍ତ ବାସୁଦେବ ମନ୍ଦିର ଓ ଅନ୍ୟ ପ୍ରାଚୀନ ଶୈବପୀଠ, ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ ୬୪ ଯୋଗିନୀ ପୀଠ, ଢେଙ୍କାନାଳର ପ୍ରସିଦ୍ଧ ଶ୍ରୀ କପିଳାସ ପୀଠ ଆଦି ଉପସନାସ୍ଥଳୀ ।

ତେବେ ଏସବୁ ସଂରକ୍ଷିତ କିର୍ତୀରାଜି ଖୋଲାଯିବା ସମୟରେ ୪.୬.୨୦୨୦ରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ମାନକ ପରିଚାଳନା ପଦ୍ଧତି (ଏସଓପି)କୁ କଡ଼ାକଡ଼ି ଭାବେ ପାଳନ କରାଯିବ । କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ଆବଶ୍ୟକ ସତର୍କତା ପଦକ୍ଷେପର କାର୍ଯ୍ୟାନ୍ୱୟନ ଏଏସଆଇ ପକ୍ଷରୁ ସୁନିଶ୍ଚିତ କରାଯିବ । ଆହୁରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଅନ୍ୟ ସମସ୍ତ ଦିଶାନିର୍ଦ୍ଦେଶ ପାଳନ ଏଏସଆଇ ଦ୍ୱାରା ସୁନିଶ୍ଚିତ କରାଯିବ ।

୮.୬.୨୦୨୦ରେ ଖୋଲିବାକୁ ଥିବା ଏହି ୮୨୦ଟି ଉପାସନା ସ୍ଥଳୀ ତଥା କିର୍ତୀରାଜିର ତାଲିକା ସମ୍ପୃକ୍ତ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦେବା ନିମନ୍ତେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଏସଆଇକୁ ଅନୁରୋଧ କରାଯାଇଛି । ଯାହାଫଳରେ କୋଭିଡ-୧୯ ସଂକ୍ରମଣ ପ୍ରତିହତ ଓ ନିରାକରଣ ଲାଗି ସମସ୍ତ ପଦକ୍ଷେପ ସେମାନେ କାର୍ଯ୍ୟକାରୀ କରିପାରିବେ ।

Share

Leave a Reply

Your email address will not be published. Required fields are marked *

4 × five =