ବିଜେପିର ମିଛ ଧରାପକାଇଲେ ବିଶ୍ବଭୂଷଣ

ଭୁବନେଶ୍ବର (): ବିଶ୍ବଭୂଷଣ ବାବୁ ଜଣେ ବରିଷ୍ଠ ନେତା ଏବଂ ସେ ଯାହା କହିଛନ୍ତି, ତାହା ସଂପୂର୍ଣ୍ଣ ଠିକ୍‍ । ଅଥଚ, ଗତ ୪ବର୍ଷ ଧରି ବିଜେପିର ପ୍ରବକ୍ତାମାନେ ଅଲଗା କଥା କହିବାରେ ବ୍ୟସ୍ତ । ସେମାନେ କହୁଛନ୍ତି, ବିଜେଡି ୧୮ବର୍ଷ ଧରି ଶାସନରେ ଅଛନ୍ତି । ଧର୍ମେନ୍ଦ୍ରବାବୁ ସବୁବେଳେ ଗାଉଛନ୍ତି, ବିଜେଡି ୧୮ବର୍ଷରେ ଏଇଆ କଲା, ସେଇଆ କଲା । କିନ୍ତୁ ସେ ଭଲ ଭାବେ ଜାଣିବା ଉଚିତ୍‍ ଯେ ଏହି ୧୮ବର୍ଷରୁ ୯ବର୍ଷ ବିଜେପି ଆମ ସହିତ ଶାସନରେ ଥିଲା । ଏ ସଂପର୍କରେ ବିଶ୍ବଭୂଷଣ ବାବୁ ଯାହା କହୁଛନ୍ତି ତାହା ସଂପୂର୍ଣ୍ଣ ଠିକ୍‍ ଏବଂ ଗ୍ରହଣୀୟ କଥା । ଇଚ୍ଛାଧୀନ କୋଟା ହେଉ ଅବା ଆଉ ଯାହା ହେଉ, ଆମେ ସତିଆ ଥିଲୁ, ବାକି ବିଜେଡି ଚୋର ଥିଲା ଏବଂ ୧୮ବର୍ଷ ଶାସନ କାଳରେ ସବୁ ବିଜେଡି ଖାଇଗଲା, ଆମେ ଭଦ୍ରଲୋକ ହୋଇ ବସିଥିଲୁ, ଏପରି ଉକ୍ତି ବିଜେପିର ଯେଉଁ ପ୍ରବକ୍ତାମାନେ ଦେଇଆସୁଥିଲେ, ଏଥିରେ ପ୍ରକୃତ ସତ୍ୟାସତ୍ୟ କ’ଣ, ବିଶ୍ବଭୂଷଣ ବାବୁ ତା’ର ପର୍ଦ୍ଦାଫାସ୍‍ କରିଛନ୍ତି ବୋଲି ଆଜି ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ।

ସେ କହିଛନ୍ତି ଯେ ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ବିଜେଡି-ବିଜେପି ମେଣ୍ଟ ନେଇ ଗଣମାଧ୍ୟମରେ ଯାହା କହିଛନ୍ତି, ତାହା ଏହି ଦଳର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ କେତେକ ପ୍ରମୁଖ ନେତାମାନେ ବିଗତ ୪ବର୍ଷ ଧରି ଲଗାତାର ଦେଇଆସୁଥିବା ଷଡ଼ଯନ୍ତ୍ରମୂଳକ ବୟାନର ପର୍ଦ୍ଦାଫାସ କରିଛି ।

ଏ ସଂପର୍କରେ ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଅନ୍ୟମାନେ ଏହା ପୂର୍ବରୁ ସଦାସର୍ବଦା ବିଗତ ୧୮ବର୍ଷର ଶାସନଗତ ଭଲମନ୍ଦ ପାଇଁ ବିଜେଡିକୁ ଦାୟୀ କରିଆସୁଥିଲେ । ଆଜି କିନ୍ତୁ ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ହରିଚନ୍ଦନ ଯାହା କହିଛନ୍ତି, ତାହା ଆଜି ବିଜେପିର କୁହାଳିଆ ପ୍ରବକ୍ତାମାନଙ୍କୁ ଶକ୍ତ ଚାପୁଡା ସଦୃଶ ହୋଇଛି । ସଦାସର୍ବଦା ଅନ୍ୟକୁ ଦୋଷ ଦେଉଥିବା ବିଜେପି ନେତାମାନେ ଏବେ ବରିଷ୍ଠ ନେତା ଶ୍ରୀ ହରିଚନ୍ଦନଙ୍କ ଠାରୁ କିଛି ଶିକ୍ଷା କରନ୍ତୁ ।

ନିଜର ଦୋଷ ତ୍ରୁଟିକୁ ଲୁଚାଇ, ଅନ୍ୟକୁ ଦୋଷ ଦେଇ ଆଉ କେତେଦିନ ଲୋକଙ୍କୁ ଭୂଆଁ ବୁଲାଇବ । ‘ଗୋଦରୀଲୋ, ନିଜ ଗୋଡ଼କୁ ଅନା’ ନ୍ୟାୟରେ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟର ପ୍ରବକ୍ତାମାନେ ଏବେଠାରୁ ସାବଧାନ ହୋଇଯାଆନ୍ତୁ । ନଚେତ୍‍ ଓଡ଼ିଶାର ଜନସାଧାରଣ ଠିକଣା ସମୟରେ ଉପଯୁକ୍ତ ଜବାବ ଦେବେ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × five =