ବାଲ୍ୟବିବାହ, ଯୌତୁକ ଏବଂ ଘରୋଇ ହିଂସା ପ୍ରତିରୋଧ ନେଇ ବିଜୁ ଯୁବ ବାହିନୀର ସଚେତନତା ଅଭିଯାନ

ଭୁବନେଶ୍ୱର () ବିଜୁ ଯୁବ ବାହିନୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ନନ୍ଦିନୀ କାର୍ଯ୍ୟକ୍ରମର ଏକ ପ୍ରାକ ପ୍ରସ୍ତୁତି ବୈଠକ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ, ରୂପରେଖ ଏବଂ କାର୍ଯ୍ୟକାରିତା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସମଗ୍ର ରାଜ୍ୟରେ ବାଲ୍ୟବିବାହ, ଯୌତୁକ ଏବଂ ଘରୋଇ ହିଂସା ଆଦିର ପ୍ରତିରୋଧ ଲକ୍ଷ୍ୟ ନେଇ ଜନସଚେତନତା ସୃଷ୍ଟି କରାଯିବା ସହିତ ଏ ସମ୍ପର୍କରେ ପ୍ରଚଳିତ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ ।

ରାଜ୍ୟରେ କାର୍ଯ୍ୟ କରୁଥିବା ବିଜୁ ଯୁବ ବାହିନୀର କର୍ମକର୍ତା ତଥା ସ୍ୱେଚ୍ଛାସେବୀମାନେ ୩୧୪ଟି ବ୍ଲକ ଅଧୀନରେ ଥିବା ପ୍ରତ୍ୟେକ ଗ୍ରାମ ଓ ୱାର୍ଡ଼ରେ ଏହି ସଂସ୍କାରଧର୍ମୀ କାର୍ଯ୍ୟକ୍ରମ କରିବେ । ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ପୋଷ୍ଟର ଓ ପ୍ଲାକାର୍ଡ଼ ମାଧ୍ୟମରେ ପ୍ରଚାର ସହ ଘରକୁ ଘର ଯାଇ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବେ । ଏଥିସହିତ ବିଭିନ୍ନ ସରକାରୀ ନିୟମ ଓ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ । ସ୍ୱେଚ୍ଛାସେବୀମାନେ ବିଭିନ୍ନ ସରକାରୀ ବିଭାଗ ସହିତ ଯୋଗସୂତ୍ର ସ୍ଥାପନ କରି ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ସହିତ ବ୍ଲକ୍ ଓ ଗ୍ରାମ ପଂଚାୟତ ସ୍ତରରେ ସମସ୍ତଙ୍କ ନିକଟରେ ଏହି କାର୍ଯ୍ୟକ୍ରମ ପହଂଚାଇବା ନେଇ କାର୍ଯ୍ୟ କରିବେ ।

ବିଜୁ ଯୁବ ବାହିନୀ ପକ୍ଷରୁ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇ ଅଂଚଳକୁ ବାଲ୍ୟବିବାହମୁକ୍ତ, ଯୌତୁକମୁକ୍ତ ଏବଂ ଘରୋଇ ହିଂସାମୁକ୍ତ ଅଂଚଳ ଭାବେ ଗଠନ କରିବା ପାଇଁ ସଂକଳ୍ପ ସଭାମାନେ ଆୟୋଜନ କରିବେ । ବାଲ୍ୟବିବାହ ରୋକିବା ଦିଗରେ ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ନୟାଗଡ଼, ଗଞ୍ଜାମ, କେଉଁଝର, ବାଲେଶ୍ୱର, ଢେଙ୍କାନାଳ, ଗଜପତି, ବୌଦ୍ଧ, ଦେବଗଡ଼, ସୁବର୍ଣ୍ଣପୁର ଓ କନ୍ଧମାଳ ଆଦି ୧୫ଟି ଜିଲ୍ଲାକୁ ଫୋକସରେ ରଖାଯାଇଥିବାବେଳେ ଯୌତୁକ ଏବଂ ଘରୋଇ ହିଂସା ପ୍ରତିରୋଧ ପାଇଁ ଅନୁଗୋଳ, କଳାହାଣ୍ଡି, ନୂଆପଡ଼ା, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, କେନ୍ଦ୍ରାପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ଜଗତସିଂହପୁର, ଯାଜପୁର, ପୁରୀ ଏବଂ ଭଦ୍ରକ ଆଦି ବାକି ୧୫ଟି ଜିଲ୍ଲାକୁ ଫୋକସରେ ରଖାଯାଇଛି ।

ଏହି ବୈଠକରେ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, କ୍ରୀଡ଼ା ଓ ଯୁବସେବା ବିଭାଗର ଉପଶାସନ ସଚିବ ଶ୍ରୀ ବିଜୟାନନ୍ଦ ନାୟକଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

five × three =