ବାରମ୍ବାର କୋଭିଡ୍ ନିୟମକୁ ଉଲଙ୍ଘନ କରୁଛନ୍ତି ସାଂସଦ: ଦିବ୍ୟଶଙ୍କର

ଭୁବନେଶ୍ୱର() କୋଭିଡ଼ ନିୟମ ଉଲ୍ଲଘଂନ କରି ସାଂସଦ ପାଳିଲେ ଜନ୍ମଦିନ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗି ଜନ୍ମଦିନ ପାଳନ କରିଥିବା ବେଳେ ଏହି ଉତ୍ସବରେ ଶତାଧିକ କର୍ମୀ ଏକାଠି ହୋଇଥିବାର ଦେଖିବାକୁ ମିଳିଛି । ତେବେ ସାଂସଦଙ୍କ ଉପସ୍ଥିତିରେ ଚାଲିଥିବା ନାଚ । କାହା ମଧ୍ୟରେ ନଥିଲା ସାମାଜିକ ଦୁରତା ।ମାସ୍କ ନ ପିନ୍ଧି ନାଚ, ଗୀତ ଓ ଗହଳି ମଧ୍ୟରେ ଅପରାଜିତା ଜନ୍ମଦିନ ପାଳିବା ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

ଏନେଇ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ସାଂସଦ ବାରମ୍ବାର କୋଭିଡ୍ କଟକଣାକୁ ଉଲଙ୍ଘନ କରୁଥିବା ବେଳେ ଚେତାବନୀ ପରେ ମଧ୍ୟ ଆଚରଣରେ ପରିବର୍ତ୍ତନ କରିନାହାଁନ୍ତି । ଏହି ଅଭିଯୋଗ ସହ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଘଟଣାର ପ୍ରମାଣ ଲାଗି ଭିଡିଓ ମଧ୍ୟ ପଠାଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ।

ସେ ଆହୁରି ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତ ୮ ତାରିଖ ( ଅକ୍ଟୋବର ୮) ଦିନ  ନିଜ ଜନ୍ମଦିନ ପାଳନ କରିବା ସମୟରେ କୋଭିଡ୍ କଟକଣା ମାନି ନଥିଲେ । ତାଙ୍କ ସହ ଶତାଧିକ ମହିଳା ଥିଲେ । ଏହି ମହିଳାଙ୍କ ମଧ୍ୟରୁ ଜଣଙ୍କୁ ଛାଡି ଅନ୍ୟ କେହି ମାସ୍କ ପିନ୍ଧିନଥିଲେ । ଏପରିକି କେହି ସାମାଜିକ ଦୂରତା ରକ୍ଷା କରିନଥିଲେ । ସାଂସଦଙ୍କ ନାମରେ ପୂର୍ବରୁ ମଧ୍ୟ କୋଭିଡ୍ କଟକଣା ଉଲଙ୍ଘନ ନେଇ ଅଭିଯୋଗ ରହିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସାଂସଦ ଅପରାଜିତ ଷଡଙ୍ଗୀ ଚେତୁନାହାଁନ୍ତି । ଭାରତୀୟ ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିବା ସାଂସଦଙ୍କ ଏପରି କଟକଣାର ଉଲଙ୍ଘନ ଅନ୍ୟମାନଙ୍କ ଜୀବନକୁ ବିପଦ ମୁହଁକୁ ଟାଣିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ଭୁବନେଶ୍ୱରବାସୀ କରୋନା ଭାଇରସର ମୁକାବିଲା କରୁଛନ୍ତି । କରୋନା ଯୋଦ୍ଧାମାନେ ଦିନ ରାତି ଏକ କରି କରୋନା ବିରୋଧରେ ଲଢେଇ ଜାରି ରଖିଛନ୍ତି । ଏପରିକି ଅନେକ କରୋନା ଯୋଦ୍ଧା ନିଜ ଜୀବନ ମଧ୍ୟ ହାରିଛନ୍ତି । ତେବେ ସାଂସଦ ଶ୍ରୀମତି ଅପରାଜିତା ଷଡଙ୍ଗୀଙ୍କ ଏପରି କାର୍ଯ୍ୟକଳାପ ଜୀବନ ହାରିଥିବା କରୋନା ଯୋଦ୍ଧାଙ୍କ ପ୍ରତି ଅପମାନ ସଦୃଶ ଅଟେ ।

ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ମୁଁ ନିଶ୍ଚିତ ଯେ, ‘ଆପଣଙ୍କ କାର୍ଯ୍ୟାଳୟ ଏହି ପ୍ରସଙ୍ଗକୁ ମାନନୀୟ. ପ୍ରଧାନମନ୍ତ୍ରୀ ଏବଂ ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଷ୍ଚିକୁ ନେବା ସହ ମାନ୍ୟବର ଭୁବନେଶ୍ୱର ସାଂସଦଙ୍କୁ ଏପରି ଆଚରଣରୁ ତଥା ଲୋକଙ୍କ ଜୀବନ ସହ ଖେଳ ନଖେଳିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେବେ ।’

Share

Leave a Reply

Your email address will not be published. Required fields are marked *

twenty + ten =