ଆଦିବାସୀ ମେଳା ଜନଜାତି ବିକାଶର ପ୍ରତୀକ

500 ସଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାର ସୁଫଳ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ 

ଭୁବନେଶ୍ବର () ଉଦଘାଟିତ ହେଲା ଆଦିବାସୀ ମେଳା । 1951 ମସିହାରୁ ଏହି ମେଳା ଅନୁଷ୍ଠିତ ହୋଇଆସୁଛି । ତତ୍କାଳିନ ରାଜଧାନୀ କଟକରେ ପ୍ରଥମେ ଆଦିବାସୀ ମେଳା ଆରମ୍ଭ ହୋଇଥିଲା । ପରେ ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତରିତ ହେବା ପରେ ଏହି ମେଳା ୟୁନିଟ-1 ସ୍ଥିତ ଆଦିବାସୀ ପଡିଆରେ ଅନୁଷ୍ଠିତ ହୋଇଆସୁଥିଲା । ତେବେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଗତ ବର୍ଷଠାରୁ ଏହି ମେଳା ୟୁନିଟ 3 ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେଉଛି ।

ଆଜିଠାରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା 15 ଦିନ ଯାଏଁ ଚାଲିବ । ମେଳା ପରିସରକୁ 7ଟି ବିଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା ଆଦିବାସୀ ଗ୍ରାମ, ଜନଜାତି ସ୍ବୟଂ ସହାୟକ ଗୋଷ୍ଠି ପ୍ରଭାଗ, ଆଦିବାସୀ ହାଟ, ଆଦିବାସୀ କଳାସାମଗ୍ରୀ, ସରକାରୀ ପ୍ରଭାଗ, ଆଦିବାସୀ ଖାଦ୍ୟ ବଜାର ଓ ଆଦିବାସୀ ନୃତ୍ୟ ପ୍ରାଙ୍ଗଣ । ଚଳିତ ବର୍ଷ ଏହିମେଳାରେ ମୋଟ 180ଟି ଷ୍ଟଲ ନିର୍ମାଣ କରାଯାଇଛି । ଆଦିବାସୀ ଗ୍ରାମରେ ବିଭିନ୍ନ ଜନଜାତିଙ୍କ 24ଟି ପାରମ୍ପାରିକ ଗୃହ ସହିତ ଗୃହ ଉପକରଣ, ଚଳଣି ଓ ପରମ୍ପରାର ଝଲକ ପ୍ରଦର୍ଶିତ ହୋଇଛି । ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲ ଜାତ ସାମଗ୍ରୀର ବିକ୍ରିବଟାର ବ୍ୟବସ୍ଥା ହୋଇଛି । ଏଠାରେ 34ଟି ପିଣ୍ଡି ରହିଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠିର ସଭ୍ୟାମାନେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରୁଛନ୍ତି । ଜନଜାତି ସ୍ବୟଂ ସହାୟକ ଗୋଷ୍ଠି ବିଭାଗରେ 28ଟି ଷ୍ଟଲ ରହିଛି । ଏଠାରେ ସେମାନଙ୍କ ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରୁଛନ୍ତି । ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ ବିକ୍ରି ପାଇଁ 34ଟି ଷ୍ଟଲ ହୋଇଛି ।

ଏହି ମେଳାକୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟର ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନିଷ୍ଠାର ସହ କାମ କରୁଛନ୍ତି । ସେ ଗୁରୁପ୍ରିୟା ସେତୁ ହେଉ ବା ଆଦିବାସୀ ହଷ୍ଟେଲ ବା କୋରାପୁଟରେ ମେଡିକାଲ କଲେଜ । ବିକାଶର ସୁଫଳ ଆଜି ସେମାନଙ୍କ ପାଖରେ ପହଁଚିପାରିଛି । ଏହି ମେଳାର ପ୍ରତିଟି ଷ୍ଟଲ ଜନଜାତି ଅଂଚଳର ବିକାଶର ସଫଳ କାହାଣୀ ।

ଜନଜାତୀ କଳା ଓ ସଂସ୍କୃତିର ସୁରକ୍ଷା ଓ ବିକାଶ ପାଇଁ ରାଜ୍ୟ ସରକାର 9ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଆହୁରି ଆଗେଇ ନେବା ପାଇଁ 9ଟି ଜନଜାତି ଜିଲ୍ଲାରେ ଟ୍ରାଇବାଲ ମ୍ୟୁଜିୟମ କରିବାକୁ ସ୍ଥିର କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଜନଜାତୀଙ୍କ ମଧ୍ୟରେ ବହୁତ ଛୋଟ ଚାଷୀ ଅଛନ୍ତି । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରୁ ସେମାନେ ବହୁତ ଉପକାର ପାଇବେ । ଏହି ଯୋଜନାର ସେମାନେ ପୂରା ସୁଯୋଗ ନିଅନ୍ତୁ ଏବଂ ନିଜ ରୋଜଗାର ବଢାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ 500 ସଯ୍ୟା ବିଶିଷ୍ଟ ହଷ୍ଟେଲର ଉଦଘାଟନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 1 =