299 ନୂଆ ଅଧ୍ୟାପକଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚଶିକ୍ଷା ବିଭାଗରେ 299 ଜଣ ନୂଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗରେ ମୋଟ 833 ଜଣ ନୂଆ ଅଧ୍ୟାପକ ଚୟନ ହୋଇଛନ୍ତି । ଏହି ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସ ପର୍ଯ୍ୟନ୍ତ ଜାରି ରହିବ ଏବଂ ନବ ନିଯୁକ୍ତ ଅଧ୍ୟାପକମାନେ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତି ପାଇବେ ।

ଜୟଦେବ ଭବନରେ ଆୟୋଜିତ ଏସମ୍ପର୍କିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଅଧ୍ୟାପକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଶିକ୍ଷା ବୃତ୍ତି ସମାଜର ସବୁଠାରୁ ସମ୍ମାନସ୍ପଦ ପେଶା । ଗୋଟେ ଦୃଷ୍ଟିରୁ ଅଧ୍ୟାପକମାନେ ହିଁ ଭବିଷ୍ୟତ ପାଇଁ ପଥ ପ୍ରସ୍ତୁତ କରିଥାନ୍ତି । ସେମାନେ କଳ୍ପନା, ସମାଲୋଚନାମୂଲକ ଚିନ୍ତାଧାରା ଓ ସୃଜନଶିଳତାକୁ ପ୍ରୋତ୍ସାହିତ କରିଥାନ୍ତି ।

ସେ କହିଥିଲେ ଯେ, ବୃତ୍ତି ପ୍ରତି ଉତ୍ସର୍ଗୀକୃତ ଶିକ୍ଷକଙ୍କ ଦ୍ବାରା ହିଁ ଶିକ୍ଷାର ସାମାଜିକ ଓ ଆର୍ଥିକ ସ୍ଥିତିକୁ ଆକଳନ କରାଯାଇପାରିବ । ଶିକ୍ଷକମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ନିୟୋଜନ ପାଇଁ ଉପଯୁକ୍ତ ବ୍ୟକ୍ତି ଭାବେ ଗଢି ତୋଳିବା ସହ ସମାଜକୁ ସେମାନେ ଜୀବନର ପ୍ରକୃତ ଅର୍ଥ ପ୍ରଦାନ କରିଥାନ୍ତି । ଯାହାଦ୍ବାରା ଛାତ୍ରଛାତ୍ରୀମାନେ ତଦନୁଯାୟୀ ସେମାନଙ୍କ ଚିନ୍ତାଧାରା ଓ ଦକ୍ଷତାକୁ ପ୍ରତିପାଦିତ କରିପାରିଥାନ୍ତି । ଏକଦା ଗାନ୍ଧିଜୀ ଶିକ୍ଷାର ପ୍ରକୃତ ଅର୍ଥ ବୁଝାଇବାକୁ ଯାଇ କହିଥିଲେ “ଶିକ୍ଷାର ଅର୍ଥ ଶାରିରୀକ, ମାନସିକ ଓ ବୌଧିକ ଦୃଷ୍ଟିରୁ ବିକଶିତ ଶିଶୁ ଓ ମଣିଷର ଗଠନ” । ସମୟ ଆସିଛି ଆମ ଭିତରେ ଥିବା ଭଲ ମଣିଷତ୍ୟ ଓ ଗୁଣକୁ ଆବିଷ୍କାର କରିବା ଏବଂ ଶିକ୍ଷକମାନେ ହିଁ ସମାଜରେ ଭଲ ମଣିଷ ଚିହ୍ନିପାରିବେ ।

ରାଜ୍ୟ ସରକାର ରାଜ୍ୟରେ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରୁଛନ୍ତି । ବିଶ୍ବବିଦ୍ୟାଳୟଗୁଡିକରେ ସେଣ୍ଟର ଅଫ ଅକ୍ସିଲେନ୍ସ ଖୋଲାଯାଉଛି, ଯେଉଁଠାରେ ଯୁବ ଗବେଷକଙ୍କ ପାଇଁ ଗବେଷଣା ପାଣ୍ଠି ମଧ୍ୟ ରହିଛି । ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଆବଶ୍ୟକ ପାଠ୍ୟକ୍ରମକୁ ଗବେଷଣାତ୍ମକ କରିବାକୁ ସରକାର ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ସମାଜର ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତିର ବ୍ୟବସ୍ଥା ରହିଛି । ଏହା ବ୍ୟତିତ କ୍ୟାରିୟର କାଉନସେଲିଂ, ସିଭିଲ ସର୍ଭିସ କୋଚିଂ ସେଣ୍ଟରମାନ ମଧ୍ୟ ଖୋଲାଯାଇଛି । ରାଜ୍ୟରେ ଓଡିଶା ଭାଷାର ବିକାଶ ଓ ଅଧିକ ଗବେଷଣା ପାଇଁ ଓଡିଶା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଉଚ୍ଚଶିକ୍ଷା ବିଭାଗ 833 ଜଣ ଅଧ୍ୟାପକଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇଥିବାରୁ ବିଭାଗକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ନବନିଯୁକ୍ତ ଅଧ୍ୟାପକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଓ ବିଭାଗୀୟ ସଚିବ ଶାସ୍ବତ ମିଶ୍ର ମଧ୍ୟ ଏହି ଅବସରରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଦୁଇଜଣ ଅଧ୍ୟାପକ ମଧ୍ୟ ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ସମ୍ୟକ ଟିପ୍ପଣୀ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

twenty − ten =