ମଧ୍ୟସ୍ଥିଙ୍କୁ ସୁହାଇବ ମୋଦିଙ୍କ ଆୟୁଷ୍ମାନ ଯୋଜନା

ନସୁରାନ୍ସ ମଡେଲକୁ ପ୍ରତ୍ୟାକ୍ଷାନ କଲା ଆଇଏମଏ

ଭୁବନେଶ୍ବର (ନିପ୍ର) କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗିଛି ଛଟକା । ଏହି ଯୋଜନାରେ ରହିଥିବା ପ୍ୟାକେଜ ଦର ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଉଠାଇଥିବା ଆପତ୍ତିକୁ କେନ୍ଦ୍ର ସରକାର ଗ୍ରହଣ କରିନାହାଁନ୍ତି । ଏହି ଇନସୁରାନ୍ସ ଦର ରୋଗୀଙ୍କୁ ବିପଦ ମୁହଁକୁ ଠେଲି ଦେବାର ଆଶଙ୍କା ରହିଥିବା ବେଳେ ଦୁର୍ନୀତିକୁ ପ୍ରୋତ୍ସାହିତ କରିବେ । ଏହି ଯୋଜନାରେ ମଧ୍ୟସ୍ଥିମାନେ ଲାଭବାନ ହେବେ । ଇନସୁରାନ୍ସ ପ୍ୟାକେଜ ଦରରେ ସଂଶୋଧନ କରାନଗଲେ ଆଇଏମଏ ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ସହ ସହଭାଗୀ ହେବ ନାହିଁ ବୋଲି ଘୋଷଣା କରିଛି ।

କେନ୍ଦ୍ର ସରକାର ଲାଗୁ କରିବାକୁ ଥିବା ଆୟୁଷ୍ମାନ ଭାରତ ଯୋଜନା ସଂପର୍କରେ ଆଲୋଚନା ପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ଆଇଏମଏ ହେଡକ୍ବାଟରରେ ଆକ୍ସନ କମିଟ ବୈଠକ ଅନୁଷ୍ଠିତ ହୋଇଥିଲା । ଆଇଏମଏ ନେତାମାନେ ଆୟୁଷ୍ମାନ ଭାରତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦୁ ଭୁଷଣଙ୍କୁ ଭେଟିଥିଲେ । ଆକ୍ସନ କମିଟିର ଅଧ୍ୟକ୍ଷ ଡକ୍ଟର ଏ. ମାର୍ଥଣ୍ଡା ଓ ଅନ୍ୟମାନେ ଆୟୁଷ୍ମାନ ଭାରତକୁ ନେଇ ରହିଥିବା ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଯୋଜନାରେ ୧୦ ଶଯ୍ୟାରୁ ଅଧିକ ସବୁ ପଂଜିକୃତ ଡାକ୍ତରଖାନାକୁ ଏହି ଯୋଜନାରେ ସାମିଲ କରାଯାଇଥିବାରୁ ଆଇଏମଏ କେନ୍ଦ୍ର ସରକାରଙ୍କୁ ସାଧୁବାଦ ଜଣାଇଛି । ଏହାଦ୍ବାରା ଏକ ବୃହତ ଇନସୁରାନ୍ସ ଦାବି ବନ୍ଦୋବସ୍ତ ପ୍ରକ୍ରିୟା ସୃଷ୍ଟି ହୋଇଛି । ହେଲେ ଇନ୍ସୁରାନ୍ସର ପ୍ୟାକେଜ ଦରକୁ ନେଇ ଆଇଏମଏ ଉଦବେଗ ପ୍ରକାଶ କରିବା ସହ ଆପତ୍ତି ଉଠାଇଛି । ଏହାଦ୍ବାରା ସରକାର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଡାକ୍ତରଖାନାକୁ ଯାଉଥିବା ରୋଗୀଙ୍କୁ ବଡ ବିପଦ ମୁହଁକୁ ଠେଲି ଦେଉଛି ବୋଲି ଆଇଏମଏ ଯୁକ୍ତି ବାଢିଛି । କେନ୍ଦ୍ର ସରକାର ଇନ୍ସୁରାନ୍ସ କ୍ଲେମର ଯେଉଁ ହାର ରଖିଛନ୍ତି ତାହା ସ୍ବାସ୍ଥ୍ୟସେବାର ମାନକୁ ପ୍ରଭାବିତ କରିବା ସହ ଦୁର୍ନୀତିକୁ ପ୍ରୋତ୍ସାହିତ କରିବ । ଏହାଦ୍ବାରା ରୋଗୀଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବ ।

କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଇଏମଏ ଏହି ଯୋଜନାକୁ ସମର୍ଥନ କରିଥିବା ଖବରକୁ ଆଇଏମଏ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି । ଆଇଏମଏର ଆପତ୍ତି ସତ୍ତ୍ବେ ଏହି ଯୋଜନା ପାଇଁ ଅର୍ଥ ବ୍ୟବସ୍ଥା ଏବଂ ଇନ୍ସୁରାନ୍ସ ମଡେଲରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଇଏମଏ ଦାବି କରିଥିଲା ଯେ ଏହି ଯୋଜନା ସଂପୂର୍ଣ୍ଣ ଭାବେ ଟ୍ରଷ୍ଟ ମଡେଲରେ କାର୍ଯ୍ୟକାରୀ ହେଉ । କିନ୍ତୁ ଏଥିରେ ରହିଥିବା ୧୫ ପ୍ରତିଶତ ଲାଭ ବ୍ୟବସ୍ଥା ଦ୍ବାରା ଅଯଥା ମଧ୍ୟସ୍ଥି କୋଟି କୋଟି ଟଙ୍କା ଲୁଟି ନେବେ । ସ୍ବାସ୍ଥ୍ୟ ସେବା ସହ ଜଡିତ ସଂସ୍ଥାଗୁଡିକୁ ସରକାର ବିଶ୍ବାସକୁ ନନେଲେ ପ୍ରଚଳିତ ସ୍ବାସ୍ଥ୍ୟସେବା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିବ ବୋଲି ଆଇଏମଏ ସତର୍କ କରାଇଦେଇଛି । ଏହାଦ୍ବାରା କ୍ଷୁଦ୍ର ଓ ମଧ୍ୟମ ସ୍ତରର ଡାକ୍ତରଖାନାଗୁଡି ସଂପୂର୍ଣ୍ଣ ଭାବେ ବୁଡିଯିବେ ବୋଲି ମଧ୍ୟ ଆଇଏମଏ ଆଶଙ୍କା ପ୍ରକାଶ କରିଛି ।

ଏହି ଯୋଜନାକୁ ରାଜ୍ୟ ସରକାର ଆରମ୍ଭରୁ ବିରୋଧ କରି ସାମିଲ ନହେବାରୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଥିଲେ ବିରୋଧୀ । ଏବେ ଆଇଏମଏର ଏହି ନିଷ୍ପତ୍ତି ପରେ ବିଜେଡି ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ଏଥିରୁ କେନ୍ଦ୍ର ସରକାରଙ୍କ ଅସଲ ଚେହେରା ପଦାରେ ପଡିଛି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ସାର୍ବଜନୀନ କରିବାକୁ ଚେଷ୍ଟା କରୁଥିବା ବେଳେ କେନ୍ଦ୍ର ସରକାର କିଛି ଲାଭଖୋର ଇନ୍ସୁରାନ୍ସ ମଧ୍ୟସ୍ଥିଙ୍କୁ ଲାଭବାନ କରିବାକୁ ଚେଷ୍ଟା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − two =