ନବ ଦାସଙ୍କୁ ହତ୍ୟା ଘଟଣା; ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତେବେ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବାକୁ ହାଇକୋର୍ଟକୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ତେବେ ଏହି ମାମଲାରେ ହାଇକୋର୍ଟ ବିଚାର କରି ଚିଠିର ଉତ୍ତର ଭାବରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବି ଦାସଙ୍କୁ ତଦନ୍ତର ତଦାରଖ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି ।

ସମସ୍ତ ତଦନ୍ତର ରିପୋର୍ଟ କ୍ରାଇମବ୍ରାଞ୍ଚ ଜଷ୍ଟିସ ଜେପି ଦାସଙ୍କୁ ହସ୍ତାନ୍ତର କରିବ । ତେବେ ତଦନ୍ତର କୌଣସି ଦିଗ ମିସ୍ ହୋଇଥିଲେ ସେ ବିଷୟରେ ତଦନ୍ତ କରିବାକୁ ଜଷ୍ଟିସ ଜେପି ଦାସ କ୍ରାଇମବ୍ରାଞ୍ଚକୁ ପରାମର୍ଶ ଦେଇପାରିବେ । ଜଷ୍ଟିସ ଜେପି ଦାସ ଦେଇଥିବା ପରାମର୍ଶ ଆଧାରରେ କ୍ରାଇମବ୍ରାଞ୍ଚ ଆଗକୁ ବଢିବ । ଆଇନଜୀବୀଙ୍କ ମତରେ ବହୁ ଅଭିଜ୍ଞତା ରହିଛି ଜଷ୍ଟିସ ଜେପି ଦାସଙ୍କର । ତେଣୁ ସେ ତଦନ୍ତର ତଦାରଖ କଲେ ସଠିକ ଭାବରେ ତଦନ୍ତ ହୋଇ ସତ୍ୟ ସାମ୍ନାକୁ ଆସିପାରିବ ।

ଅନ୍ୟପଟେ, ହାଇକୋର୍ଟ ବିଚାରପତି କିମ୍ୱା ଏସଟିଆଇ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ପୂର୍ବରୁ ମଧ୍ୟ ରାଜ୍ୟର ବିରୋଧୀ ଦଳ ଦାବି କରିଥିଲେ । ତେବେ ବର୍ତ୍ତମାନ ବିରୋଧୀଙ୍କର କଣ ପ୍ରତିକ୍ରିୟା ଆସିବ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ସୂଚନାଯୋଗ୍ୟ , ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଦାସ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଚିକିତ୍ସା ପାଇଁ ପ୍ରଥମେ ଝାରସୁଗୁଡା ଓ ପରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଥମିବାର ନାଁ ନେଉନି । କେଉଁ କାରଣରୁ ଗୋପାଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ । କ୍ରାଇମବ୍ରାଞ୍ଚ ଆଗରେ ଗୋପାଳ ହତ୍ୟା କରିଥିବା ସ୍ୱିକାର କରିଥିବାବେଳେ ହତ୍ୟାର କାରଣ କଣ କହିନାହିଁ । ଯାହାକୁ ନେଇ ବିରୋଧୀମାନେ ଅନେକ ପ୍ରଶ୍ନ କରିଛନ୍ତି । କ୍ରାଇମବ୍ରାଞ୍ଚ ଟିମ ଗୋପାଳ ସମେତ ଗୋପାଳଙ୍କର ପରିବାରକୁ ମଧ୍ୟ ପଚରାଉଚରା କରିଛି । ଏଥିସହ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଛି । ନବ ଦାସଙ୍କ ହତ୍ୟା ପରେ ପୋଲିସ ବିଭାଗରେ ମଧ୍ୟ ଅଦଳବଦଳ କରାଯାଇଛି । ତେବେ ଏପର୍ଯ୍ୟନ୍ତ କିନ୍ତୁ ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ଉଠିପାରିନାହିଁ ।

Share

Leave a Reply

Your email address will not be published. Required fields are marked *

17 − 2 =