ଜନ୍ମମାଟିର ବିକାଶ ପାଇଁ କିଛି କରିନାହାନ୍ତି ଧର୍ମେନ୍ଦ୍ର: ବିଜେଡି

ଜନ୍ମମାଟି ଢେଙ୍କାନାଳ ଓ ଅନୁଗୁଳର ବିକାଶକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି ବିଜେଡି । ନଅ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ କାଳରେ ଏହି ଦୁଇ ଜିଲ୍ଲା ପାଇଁ କ’ଣ ସବୁ କରିଛ ବୋଲି ସିଧାସଳଖ ପଚାରିଛନ୍ତି ବିଜେଡି ସାଂସଦ ମହେଶ ସାହୁ ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ଶ୍ରୀ ସାହୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଭାବେ ଆପଣ ୯ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ହେଲେ ଜିଲ୍ଲା ପାଇଁ ଆପଣ କ’ଣ କରିଛନ୍ତି? ଆପଣ ମନ୍ତ୍ରୀ ହେବା ଦ୍ୱାରା ଢେଙ୍କାନାଳ-ଅନୁଗୁଳ ଜିଲ୍ଲା କିପରି ଉପକୃତ ହୋଇଛି? ସେହିଭଳି କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ଢେଙ୍କାନାଳ ଏବଂ ଅନୁଗୁଳ ଦେଇ ସାଧାରଣ ଜନତା, ରୋଗୀ, ଅଫିସ୍ ଯାଉଥିବା ଲୋକେ, ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି । ଏହାର ଉନ୍ନତି ପାଇଁ ଆପଣ ୯ ବର୍ଷରେ କ’ଣ କରିଛନ୍ତି?
ଆପଣ ମନ୍ତ୍ରୀ ହୋଇଥିବା ନଅ ବର୍ଷ ମଧ୍ୟରେ ଢେଙ୍କାନାଳ-ଅନୁଗୁଳ ଲୋକଙ୍କ ପାଇଁ ରେଳବାଇରେ କୌଣସି ବିକାଶ ହୋଇନାହିଁ । ଏହି ଦୁଇ ଦୁଇ ଜିଲ୍ଲାରୁ ରେଳବାଇ ସର୍ବାଧିକ ରାଜସ୍ୱ ସଂଗ୍ରହ କରୁଛି । ତାଳଚେର-ବିମଳାଗଡ ରେଳପଥର ଅଗ୍ରଗତି ହୋଇପାରିଲା ନାହିଁ । ତାଳଚେର ରେଳଷ୍ଟେସନ ଏବେ ବି ଗୁଡସ୍‍ ଷ୍ଟେସନ ହୋଇ ରହିଛି । କେନ୍ଦ୍ରମନ୍ତ୍ରୀ ଭାବେ ଜନ୍ମ ହୋଇଥିବା ନିଜ ଜିଲ୍ଲା ପାଇଁ ଆପଣ କ’ଣ କରିଛନ୍ତି?
ଟେଲି ଯୋଗାଯୋଗ ଢେଙ୍କାନାଳର ବିଭିନ୍ନ ଅଞ୍ଚଳ- ଅନୁଗୁଳରେ ବହୁତ ଖରାପ । ବ୍ୟାଙ୍କିଙ୍ଗ୍ ସେବା ମଧ୍ୟ ଦୟନୀୟ ଅଟେ । ପରିସ୍ଥିତିକୁ ସୁଧାରିବା ପାଇଁ ମନ୍ତ୍ରୀ ହେବା ପରେ ଆପଣ କ’ଣ କରିଛନ୍ତି? ଆପଣ ହେଉଛନ୍ତି ଦେଶର ଶିକ୍ଷା ମନ୍ତ୍ରୀ । ଆପଣ ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ କେତେ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି? ଆପଣ ଯେଉଁ ଜିଲ୍ଲାରେ ଜନ୍ମ ହୋଇଥିଲେ, ଶିକ୍ଷା ମନ୍ତ୍ରୀ ହେବା ଦ୍ୱାରା ସେହି ଜିଲ୍ଲା କିପରି ଲାଭବାନ ହୋଇଛି? ଓଡ଼ିଶା ସରକାର ୫-ଟି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ରୂପାନ୍ତରିତ କରୁଛନ୍ତି । ଆପଣ ନିଜ ଗାଁ ବିଦ୍ୟାଳୟକୁ ୫-ଟି ସ୍ତରୀୟ ବିଦ୍ୟାଳୟ ପରି ରୂପାନ୍ତରିତ କରିଛନ୍ତି କି, ଢେଙ୍କାନାଳ-ଅନୁଗୁଳ ଜିଲ୍ଲା କଥା ଛାଡିଦିଅ?
ଆପଣ ଗତ ୯ ବର୍ଷ ମଧ୍ୟରେ ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ କୌଣସି ନୂତନ ରାଷ୍ଟ୍ରାୟତ ସଂସ୍ଥା (ପିଏସୟୁ) ଆରମ୍ଭ କରିଛନ୍ତି କି? ଆପଣ ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ ମଧ୍ୟ ଢେଙ୍କାନାଳକୁ ଗୋଟିଏ ପିଏସୟୁ ଆଣିଛନ୍ତି କି? ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ ଲୋକମାନେ ଏମସିଏଲ ଏବଂ ନାଲ୍‍କା ପାଇଁ ଜମି ହରାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଚାକିରି ମିଳିନାହିଁ । ଆପଣ ସେମାନଙ୍କ ପାଇଁ କ’ଣ କରିଛନ୍ତି? ଏମସିଏଲ୍‍ ତାଳଚେରରେ ଦୁର୍ନୀତି ହେଉଛି । ଏଥିପ୍ରତି କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଏହାକୁ ରୋକିବା ପାଇଁ ଆପଣ କ’ଣ କରୁଛନ୍ତି? ଆଙ୍କାକ୍ଷୀ ଜିଲ୍ଲା ତାଲିକାରେ ଥିବା ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜଟିଏ ସ୍ୱପ୍ନହୋଇ ରହିଗଲା ।
ଆପଣଙ୍କର ପ୍ରତିବଦ୍ଧତା ମଧ୍ୟପ୍ରଦେଶ ଏବଂ ବିହାର ପାଇଁ, ଯେଉଁଠାରୁ ଆପଣ ନିର୍ବାଚିତ ହୋଇଛନ୍ତି ଏବଂ ସେଥିପାଇଁ ଆପଣ ସେଠାରେ ଧ୍ୟାନ ଦେଉଛନ୍ତି ଏବଂ ସେଠାରେ ସାହାଯ୍ୟ କରୁଛନ୍ତି । କିନ୍ତୁ ଆପଣ ଜନ୍ମ ହୋଇଥିବା ଢେଙ୍କାନାଳ-ଅନୁଗୁଳ ଜିଲ୍ଲାରେ କିଛି କରୁନାହାନ୍ତି । ଯେତେବେଳେ ନିର୍ବାଚନ ଆସେ, ଆପଣ ଏଠାକୁ ରାଜନୀତି କରିବାକୁ ଆସନ୍ତି ବୋଲି ସାଂସଦ ଶ୍ରୀ ସାହୁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

nineteen + 6 =