କ୍ରୀଡା

ଆଜି ମୁମ୍ବାଇ- ହାଇଦ୍ରାବାଦ ଟକ୍କର

ଚଳିତ ଆଇପିଏଲ୍‌ରେ ଆଜି ମୁମ୍ବାଇ ଘରୋଇ ଗ୍ରାଉଣ୍ଡରେ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି । ଦଳ ୭ଟି ମ୍ୟାଚ ଖେଳି ୪ ପଏଣ୍ଟ ଅର୍ଜନ କରିଥିବାବେଳେ ହାଇଦ୍ରାବାଦ ୮ଟି ମ୍ୟାଚରୁ ୧୦ ପଏଣ୍ଟ ପାଇଛି । ମୁମ୍ବାଇ ପାଇଁ ବିଜୟ ଜରୁରି ହୋଇ ପଡ଼ିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚକୁ ନେଇ ଘରୋଇ ଦଳ ଜୋରଦାର ପ୍ରସ୍ତୁତି କରିଛି । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ମୁମ୍ବାଇକୁ ଏବେଠୁ ବାକି ସବୁ ମ୍ୟାଚ ଜିତିବାକୁ ହେବ । ତେଣୁ ଆଜି ବିଜୟ ପାଇଁ ସବୁ ଶକ୍ତି ଲଗାଇବାକୁ ଦଳ ପ୍ରୟାସ କରିବ ।

ହାଇଦ୍ରାବାଦ ଚମତ୍କାର ଫର୍ମରେ ରହିଛି । ବୋଲିଂ ବିଭାଗରେ ବିଭିନ୍ନତା ହାଇଦ୍ରାବାଦକୁ ଶକ୍ତିଶାଳୀ କରିଛି । ପ୍ୟାଟ୍ କମିନ୍ସ ଖେଳିବା ପରଠୁ ବୋଲିଂ ବିଭାଗର ଶକ୍ତି ଦ୍ୱିଗୁଣା ହୋଇଛି । ବ୍ୟାଟିଂ ବିଭାଗ ମଧ୍ୟ ଉନ୍ନତ ପ୍ରଦର୍ଶନ ଜାରି ରଖିଛି । ମୁମ୍ବାଇକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ଅସଲରେ କହିବାକୁ ଗଲେ ଯଶପ୍ରୀତ ବୁମରା ୱିକେଟ୍ ହାସଲ କରିବାରେ ବିଫଳ ହେଉଥିବାରୁ ମୁମ୍ବାଇ ଅନେକ ବିଜୟ ହାତଛଡ଼ା କରିଛି । ନଚେତ ବ୍ୟାଟିଂ ବିଭାଗର ପ୍ରଦର୍ଶନରେ ସେଭଳି ଅବନତି ହୋଇ ନାହିଁ । ବୋଲିଂ ବିଭାଗକୁ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାକୁ ପଡ଼ିବ ।

ମିଚେଲ ସାଣ୍ଟନର ଆହତ ହୋଇ ଦଳରୁ ବାଦ ପଡ଼ିଛନ୍ତି । ମାତ୍ର ଫିଟ୍ ୱିଲ ଜ୍ୟାକ୍ସଙ୍କ ଉପସ୍ଥିତି ଦଳର ସନ୍ତୁଳନକୁ ବଜାୟ ରଖିବା ନିଶ୍ଚିତ । ସେ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ୪ଟି ମ୍ୟାଚରେ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ତେଣୁ ତାଙ୍କୁ ଏକାଦଶରେ ସ୍ଥାନ ମିଳିବା ଜରୁରି । ସେ ନିମ୍ନ ମଧ୍ୟଭାଗରେ ବ୍ୟାଟିଂ କରି ଡେଥ ଓଭରରେ ବିସ୍ଫୋରକ ସଟ୍ ଖେଳିବାର କ୍ଷମତା ରଖିଛନ୍ତି । ଏହା ବ୍ୟତୀତ ସେ ଅଫ ସ୍ପିନ୍ ବୋଲିଂ ବଳରେ ପ୍ରତିପକ୍ଷକୁ ଅଟକାଇ ପାରିବେ । ସେ ସାଣ୍ଟନରଙ୍କ ସ୍ଥାନରେ ଖେଳିବା ନିଶ୍ଚିତ । ହାଇଦ୍ରାବାଦ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ ।

ପୂର୍ବ ରେକର୍ଡ ମୁମ୍ବାଇ ପକ୍ଷରେ ରହିଥିଲେ ହେଁ ହାଇଦ୍ରାବାଦ ଉନ୍ନତ ଫର୍ମରେ ରହିଥିବାରୁ ମୁମ୍ବାଇର ଆଧିପତ୍ୟରେ ବ୍ରେକ୍ ଲଗାଇ ପାରିବ । ଉଭୟ ଦଳ ପରସ୍ପରକୁ ୨୫ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ୧୫ଟି ମ୍ୟାଚ ଜିତିଛି । ଗତ ୨ ବର୍ଷ ମଧ୍ୟରେ ଉଭୟ ଦଳ ୩ଥର ସାମ୍ନା ସାମ୍ନି ହୋଇଥିବାବେଳେ ମୁମ୍ବାଇ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ସମୁଦ୍ର ନିକଟରେ ଷ୍ଟାଡ଼ିୟମ୍ ରହିଥିବାରୁ ଅପରାହ୍ଣରେ ନୂଆ ବଲ୍ ସୁଇଂ ହେବ । ଫଳରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ କାକର ମଧ୍ୟ ମ୍ୟାଚକୁ ପ୍ରଭାବିତ କରିବ । ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ ।

Share

Leave a Reply

Your email address will not be published. Required fields are marked *

fourteen + three =