ବିଜେପି ପାଇଁ ଏବେ ‘ସିବିଆଇ’ ଭରସା

ଭୁବନେଶ୍ବର () 2019ରେ ଓଡିଶାରେ ସରକାର ଗଠନର ସ୍ବପ୍ନ ଦେଖୁଥିବା ବିଜେପି ଶେଷରେ ସିବିଆଇକୁ ଅସ୍ତ୍ର କରିଛି । ଗତ ପ୍ରାୟ ଦେଢ ବର୍ଷ ହେଲା ଶିଥିଳ ହୋଇପଡିଥିବା ସିବିଆଇ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେଡି ନେତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛି ।ଏପରିକି ବିଜେଡିର ଦୁଇ ଯୁବ ଓ ଟାଣୁଆ ବିଧାୟକଙ୍କୁ ସମନ କରାଯାଇଥିବାର ମିଛ ଖବର ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରଚାରିତ କରାଯାଉଛି ।

ନିକଟରେ ସିବିଆଇ ନିର୍ଦ୍ଦେଶକ ପଦବୀକୁ ନେଇ ସୃଷ୍ଟି ହୋଇଥିବା ଝଡ କାହାକୁ ଅଛପା ନୁହେଁ । ଏହି ଝଡରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାଜନୀତିକରଣ କରାଯାଉଛି । ଏକଦା ସୁପ୍ରିମ କୋର୍ଟ ମଧ୍ୟ ସିବିଆଇକୁ କେନ୍ଦ୍ର ସରକାର “ପୁଂଜୁରୀ ଭିତର ଶୁଆ” ବୋଲି କହି ଭର୍ସନା କରିଥିଲେ । କେନ୍ଦ୍ର ସରକାର ସିବିଆଇକୁ ନିଜର ରାଜନୈତିକ ସ୍ବାର୍ଥ୍ୟ ପାଇଁ ବ୍ୟବହାର କରି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ପବିତ୍ରତାକୁ ନଷ୍ଟ କରିସାରିଲେଣି ।

ଗତକାଲିଠାରୁ ବିଜେଡିର ଦୁଇ ନେତାଙ୍କୁ ସିବିଆଇ ସମନ ହୋଇଥିବା ଚର୍ଚ୍ଚା ହେଉଥିଲା । ଆଜି ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକ, ବିଜେଡିର ଏହି ଦୁଇ ଯୁବ ବିଧାୟକଙ୍କୁ ନୋଟିସ ହୋଇଥିବା ଖବର କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାକୁ ନେଇ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେଡି ମୁଖପାତ୍ର କହିଛନ୍ତି ଯେ, ବୋଧହୁଏ ନୋଟିସ ପ୍ରଥମେ ଗଣମାଧ୍ୟମକୁ ଦିଆଯାଇଛି, ଆଉ ପରେ ତାହାକୁ ପୋଷ୍ଟରେ ପଠାଯାଇଛି । ଦଳର ଯେଉଁ ଦୁଇ ବିଧାୟକଙ୍କୁ ନୋଟିସ ହୋଇଥିବା କହୁଯାଉଛି, ସେମାନଙ୍କୁ ସେଭଳି କୌଣସି ନୋଟିସ ହୋଇନାହିଁ । ଆଚରଣବିଧି ଲାଗୁ ହେବାକୁ ଆଉ ମାତ୍ର 3-4 ସପ୍ତାହ ଥିବା ବେଳେ ଦଳ ଓ ଏହାର ନେତାମାନଙ୍କୁ ବଦନାମ କରିବାକୁ ଏଭଳି ଚର୍ଚ୍ଚା ସୃଷ୍ଟି କରାଯାଉଛି । ସିବିଆଇର ସ୍ବଚ୍ଛତା କଥା ସମସ୍ତେ ଜାଣିସାରିଲେଣି, ଏହାକୁ ବିରୋଧୀଙ୍କ ଉପରେ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ।

ସୂତ୍ର ଅନୁଯାୟୀ, ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ବହୁ ଚେଷ୍ଟା ପରେ ବି ଚିଟଫଣ୍ଡ କେଳେଙ୍କାରୀରେ ବିଜେଡି ନେତାଙ୍କ ସଂପୃକ୍ତିର ଠୋସ ପ୍ରମାଣ ପାଇପାରିଲା ନାହିଁ । ଯେଉଁଥିପାଇଁ ଗତ ପ୍ରାୟ ଦେଢ ମାସ ହେଲା ସିବିଆଇ ତଦନ୍ତର ଦିଗ ରାଜନୀତିରୁ ଦୂରେଇ ଯାଇଥିଲା । ଏବେ କିନ୍ତୁ ନିର୍ବାଚନ ପାଖେଇ ଆସିବାରୁ ବିଜେଡିର କିଛି ନିର୍ଦ୍ଧିଷ୍ଟ ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଏଭଳି ରାଜନୈତିକ ଚାଲ ଖେଳାଯାଇଛି ।

Share

Leave a Reply

Your email address will not be published. Required fields are marked *

eighteen − eighteen =