ଆଞ୍ଚଳିକ ଦଳର ଅଭ୍ୟୁଥାନକୁ ନେଇ ବିତର୍କ

ଭୁବନେଶ୍ବର () ଓଡିଶା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ଦେଶରେ ଆଞ୍ଚଳିକ ଦଳର ଅଭ୍ୟୁଦୟ ଦିଗରେ ଏକ ସଙ୍କେତ । ଉତ୍ତର ଓ ପୂର୍ବ-ପଶ୍ଚିମ ଭାରତରେ ଆଂଚଳିକ ଦଳର ବିକାଶ ହିଁ ଦେଶରେ ପ୍ରକୃତ ସଂଘୀୟ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ କି । ଏହାକୁ ନେଇ ଏବେ ଆରମ୍ଭ ହୋଇଛି ବିତର୍କ ।

ଦେଶରେ ସଂଘୀୟ ବ୍ୟବସ୍ଥା ଏବେ କେବଳ ନାମକୁ ମାତ୍ର ରହିଛି । କେନ୍ଦ୍ର ସରକାର ସବୁ ରାଜ୍ୟ ଉପରେ ରାଜ୍ୟପାଳ ଏବଂ ଅନ୍ୟାନ ପଦ୍ଧତ୍ତିରେ ଚାପ ସୃଷ୍ଟି କରୁଛନ୍ତି । ଏଭଳି ଏକ ସ୍ଥିତିରେ ଆଞ୍ଚଳିକ ଦଳଗୁଡିକର ଅଭ୍ୟୁଥାନ ଦେଶରେ ଆଂଚଳିକବାଦର ବିକାଶ ଦିଗରେ ଏକ ଶୁଭ ସଙ୍କେତ ବୋଲି ବିଜେଡି ଦାବି କରିଛି ।  ସେପଟେ କଂଗ୍ରେସ କହିଛି ଯେ, ଧର୍ମନିରପେକ୍ଷ ଦଳଠାରୁ ଆଂଚଳିକ ଦଳଗୁଡିକୁ ଦୂରେଇ ଦେବା ପାଇଁ ଏହା ବିଜେପିର ଏକ ଚାଲ । ଆଉ ଏହି ଚାଲ ଗତ 7-8 ମାସ ହେଲା ଆରମ୍ଭ ହୋଇଛି ।

ଜାତୀୟ ରାଜନୀତିରେ ଆଞ୍ଚଳିକ ଦଳର ଅଭିବୃଦ୍ଧିକୁ ନେଇ ଚର୍ଚ୍ଚା ଚାଲିଥିବା ସମୟରେ ନବୀନ ପଟନାୟକ ଓ କେସିଆରଙ୍କ ଭେଟଘାଟ ଗୁରୁତ୍ବପୂର୍ଣ୍ଣ । ଏହି ଦଳ ମୁଖ୍ୟ ଆଞ୍ଚଳିକ ଶକ୍ତିର ଅଭ୍ୟୁଦୟରେ ଦୁଇଟି ଶକ୍ତିଶାଳୀ ଅଂଶ । ନବୀନ ଆଞ୍ଚଳିକବାଦର ପୂରୁଣା ଖେଳାଳୀ ହୋଇଥିବା ବେଳେ କେସିଆର ନୂଆ ହେଲେ ବି ପ୍ରଭାବୀ । ଓଡିଶା ଗତ 21 ବର୍ଷ ହେଲା ଆଞ୍ଚଳିକବାଦରେ ବିଶ୍ବାସ କରୁଛି । ଓଡିଶା ଭଳି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, ଆନ୍ଧ୍ରପ୍ରଦେଶରେ ଟିଡିପି, ତେଲେଙ୍ଗାନାରେ ଟିଆରଏସ, ତାମିଲନାଡୁରେ ଏଆଇଡିଏମକେ ଏବଂ ଡିଏମକେ ଏମିତି ପୂର୍ବରୁ ଦକ୍ଷିଣ-ପଶ୍ଚିମ ପର୍ଯ୍ୟନ୍ତ ସବୁଠି ଆଞ୍ଚଳିକ ଦଳ ଶକ୍ତିଶାଳୀ ବୋଲି କହିଛନ୍ତି ବିଜେଡି ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ ।

ଆଞ୍ଚଳିକ ଦଳଗୁଡିକର ପ୍ରଭାବ କ୍ଷେତ୍ର ନିଜ ନିଜର ରାଜ୍ୟ । ସେମାନେ ଏକାକି ଜାତୀୟ ସ୍ତରରେ ସରକାର ଗଠନ କରିପାରିବେ ନାହି । କିନ୍ତୁ ଏହିସବୁ ଆଞ୍ଚଳିକ ଦଳର ଅଭ୍ୟୁଥାନ ଏବଂ ସେମାନଙ୍କ ମଧ୍ୟରେ ସହଯୋଗ ରହିଲେ ନିଶ୍ଚିତ ଭାବେ ଜାତୀୟ ରାଜନୀତିକୁ ପ୍ରଭାବିତ କରିପାରିବେ । ଓଡିଶା ଭଳି ଅନ୍ୟ ରାଜ୍ୟରେ ମଧ୍ୟ ଆଞ୍ଚଳିକ ଦଳର ଅଭ୍ୟୁଦୟ ହେଲେ ହି ପ୍ରକୃତ ସଂଘୀୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ ବୋଲି ସେ କହିଥିଲେ ।

ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ, ଦେଶରେ ଆଞ୍ଚଳିକ ଦଳର ଅଭ୍ୟୁଦୟ ବିଜେପିର ଏକ ରାଜନୈତିକ ଚାଲ । ଧର୍ମନିରପେକ୍ଷ ଦଳଠାରୁ ଆଞ୍ଚଳିକ ଦଳଗୁଡିକୁ ଦୂରେଇ ରଖିବା ପାଇଁ 7-8 ମାସ ହେଲା ବିଜେପି ଏହି ଚାଲ ଆରମ୍ଭ କରିଛି । ବିଜେଡି ଗତ 9 ବର୍ଷ ଧରି ବିଜେପି ସହ ମେଣ୍ଟରେ ରହିଥିଲା । ଗତ ସାଢେ 4 ବର୍ଷ ଧରି ମଧ୍ୟ ବିଜେଡି ଏମିତି କୌଣସି ପ୍ରସଙ୍ଗ ନାହିଁ ଯେଉଁଥିରେ କେନ୍ଦ୍ରର ବିଜେପି ସରକାରକୁ ବିଜେଡି ସହଯୋଗ କରିନାହିଁ । ତେଣୁ ଏହା ବିଜେପିର ଏକ ଚାଲ ଏବଂ ଏଥିରେ ବିଜେଡି ଓ ଟିଏମସି ଭଳି ଆଞ୍ଚଳିକ ଦଳଗୁଡିକ ମୋହରା ସାଜିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 + eight =