ବିକାଶର ମରିଚିକା ଦେଖାଉଛି ବିଜେପି

ବିଶ୍ବାସଘାତକତାର ଜବାବ ଦେବେ ଓଡିଶାବାସୀ

ଭୁବନେଶ୍ବର () ଓଡିଶା ଗସ୍ତରେ ଆସି ରାଜ୍ୟବାସୀଙ୍କୁ ବିକାଶର ରଙ୍ଗୀନ ଚିତ୍ର ଦେଖାଇତିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ବିଜେଡି କଡା ସମାଲୋଚନା କରିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଅମିତ ଶାହା ବିକାଶର ରଙ୍ଗୀନ ସ୍ବପ୍ନ ନୁହେଁ, ମରିଚିକା ଦେଖାଇଛନ୍ତି ।

ଏକ ପ୍ରେସ ବିବୃତ୍ତିରେ ସେ କହିଛନ୍ତି ଯେ, ବିଜେଡି ଆଶା କରିଥିଲା ଯେ, ଶାହା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେବେ 2930 ଟଙ୍କାକୁ ବୃଦ୍ଧି କରିବେ  ସେ ସଂପର୍କରେ ସ୍ପଷ୍ଟ କରିବେ । ଏଥିସହିତ ବିଜେପି 2014 ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ମୁତାବକ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ଅନୂସୂଚିତ ଜାତି ଛାତ୍ରଚାତ୍ରୀଙ୍କ ବୃତ୍ତି ପ୍ରଦାନରେ କେନ୍ଦ୍ର ସରକାର ଅନୁଦାନ କାଟ କରିବା ପ୍ରସଙ୍ଗରେ ମଧ୍ୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ପଷ୍ଟ କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ଏ ସଂପର୍କରେ କିଛି କହିଲେ ନାହିଁ ।

ସେହିଭଳି ବିଜେଡିର ଭିତିରି ସଂପର୍କ ପ୍ରସଙ୍ଗରେ ବିଜେଡି ମୁଖପାତ୍ର କହିଛନ୍ତି ଯେ, ବିଜେପି କହୁଛି କଂଗ୍ରେସ-ବିଜେଡି ଓ କଂଗ୍ରେସ କହୁଛି ବିଜେପି-ବିଜେଡି ଭିତିରି ସଂପର୍କ ରହିଛି । ଏହା ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେଡି କେବଳ ଓଡିଶାବାସୀଙ୍କ ସହ ସଂପର୍କରେ ରହିଛି । ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସହ ଅଛନ୍ତି । ତାଙ୍କ ସଭାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବା ତାଙ୍କ ପ୍ରତି ରାଜ୍ୟବାସୀଙ୍କ ଭଲପାଇବାର ସଂକେତ । ନବୀନ ପଟ୍ଟନାୟକଙ୍କ ଏହି ଲୋକପ୍ରିୟତାରେ ବିଜେପି ଭୟଭିତ ହୋଇପଡିଛି ।

ଓଡିଶା ଜାତୀୟ ସ୍ତରରେ ଦ୍ରୁତ ଗତିରେ ପ୍ରଗତି କରୁଛି । 20 ଲକ୍ଷ ପକ୍କା ଘର ନିର୍ମାଣ ହେଉ କି 41ହଜାର କିଲୋମିଟର ଗ୍ରାମୀଣ ରାସ୍ତା ନିର୍ମାଣ କି 9 ଲକ୍ଷ ଯୁବକଙ୍କୁ ଦକ୍ଷତା ତାଲିମ, ରାଜ୍ୟରେ ଦାରିଦ୍ର୍ୟ ହାର 25 ପ୍ରତିଶତ ହ୍ରାସ ଏବଂ କ୍ରମାଗତ ଭାବେ କୃଷି କର୍ମଣ ପୁରସ୍କାର ପାଇବା ରାଜ୍ୟ ପ୍ରଗତିର ଲକ୍ଷଣ । କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ସମୟରେ ଓଡିଶା ଗସ୍ତରେ ଆସି ରାଜ୍ୟର ଏହି ସଫଳତାର ପ୍ରଶଂସା କରିଛନ୍ତି ବୋଲି ସେ କହିଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ କେନ୍ଦ୍ର ଉପରେ ବକେୟା ଥିବା 6400 କୋଟି ଟଙ୍କା ପ୍ରଦାନ ପ୍ରସଙ୍ଗ ଉଠାଇଥିଲେ । ଓଡିଶା ପାନୀୟ ଜଳ ଯୋଗାଣରେ 3ହଜାର କୋଟି ଟଙ୍କା ରାଜ୍ୟ ବଜେଟରୁ ଖର୍ଚ୍ଚ କରୁଥିବା ବେଳେ କେନ୍ଦ୍ର ସରକାର ମାତ୍ର 180 କୋଟି ଟଙ୍କା ପ୍ରଦାନ କରିବାକୁ ବଜେଟରେ ବ୍ୟବସ୍ଥା କରିଛନ୍ତି । ସେ ମଧ୍ୟରୁ ପୁଣି ଏବେ ସୁଦ୍ଧା 80 କୋଟି ଟଙ୍କା ପ୍ରଦାନ କରିଛନ୍ତି । ସ୍ମାର୍ଟ ସିଟି ଦାରିଦ୍ର୍ୟ ଦୂରିକରଣ ଯୋଜନାରେ ସେହିଭଳି 200 କୋଟି ଟଙ୍କାରୁ ରାଜ୍ୟକୁ ମିଳିଛି ମାତ୍ର 6 କୋଟି ଟହ୍କା । ଗତ 5 ବର୍ଷ ଧରି ବିଜେପି ମହାନଦୀ, ପୋଲାଭରମ, ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ଧାନର ଏମଏସପି ବୃଦ୍ଧି ଆଦି ପ୍ରସଙ୍ଗରେ ରାଜ୍ୟ ଓ ରାଜ୍ୟବାସୀଙ୍କ ପ୍ରତି ବିଶ୍ବାସଘାତକତା କରିଛି ।

ବିଜେପିର ଏହି ବିଶ୍ବାସଘାତକତାର ଜବାବ ଦେବାକୁ ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କୁ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ମାନସିକ ସ୍ତରରେ ନିଶ୍ଚିତ କରିସାରିଛନ୍ତି । ତେଣୁ ଅମିତ ଶାହା ଏବଂ ରାଜ୍ୟ ବିଜେପି ଏବେଠାରୁ ନିଜକୁ ସେଥିପାଇଁ ପ୍ରସ୍ତୁତ କରିନେବାକୁ ବିଜେଡି କହିଛି ।

ଆଜି ସାଲେପୁର ଠାରେ ଆୟୋଜିତ ଦଳୀୟ ସମାବେଶରେ ଶାହା ଦାବି କରିଥିଲେ ଯେ, କେନ୍ଦ୍ରରେ ବିଜେପି ସରକାର ସହ ଓଡିଶାରେ ବି ବିଜେପିର ସରକାର ହେବ । ବିଜେପି ସରକାର ଗରୀବ, ଆଦିବାସୀ, ଦଳିତଙ୍କ ସରକାର । ରାଜ୍ୟରେ ବିଜେପିର ସରକାର ହେଲେ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବୁ ବୋଲି କହିଛନ୍ତି ସେ କହିଥିଲେ । ସେ କହିଥିଲେ ଯେ, ବିଜେପିର ଶକ୍ତି ବୃଦ୍ଧି ଘଟିଛି । ପଂଚାୟତ ନିର୍ବାଚନରେ ଫଳାଫଳରୁ ଏକଥା ସ୍ପଷ୍ଟ କି ଓଡିଶାରେ ଆଗାମୀ ସରକାର ବିଜେପିର ସରକାର ହେବ । ରାଜ୍ୟ ସରକାର ବିକାଶ କରିବା ଜାଣି ନାହାନ୍ତି । କିନ୍ତୁ ବିଜେପି ସରକାରକୁ ଆସିଲେ ଓଡିଶାକୁ ନମ୍ବର ୧ କରିବ । ମୋଦିଙ୍କ ନେତୃତ୍ୱରେ ନୂଆ ଓଡିଶା ଗଠନ କରିବ । କେହି ବେକାର ରହିବେନି, କେହି ଗରୀବ ରହିବେନି, ଯାହା କେବଳ ମୋଦିଙ୍କ ନେତୃତ୍ବରେ ହିଁ ହୋଇ ପାରିବ । ଏଥିସହିତ ସେ ବିଜେପି ସରକାର ଅମଳରେ ରାଜ୍ୟକୁ ମିଳିଥିବା କେନ୍ଦ୍ରୀୟ ସହାୟତାର ହିସାବ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

one × five =