ସବୁ ଦଳରେ ସ୍ଥିତି ସମାନ

ଭୁବନେଶ୍ବର (ନିପ୍ର): ୨୦୧୯ ରେ ରାଜ୍ୟରେ କ୍ଷମତା ଦଖଲ ପାଇଁ ଦିନ ରାତି ଅଙ୍କ କଷୁଥିବା ତିନି ରାଜନୈତିକଦଳ ବିଜେଡି-ବିଜେପି-କଂଗ୍ରେସରେ ଥିବା ପୁରୁଣା ନେତାମାନେ ଏବେ ଚିନ୍ତାରେ । ଦଳକୁ ନଗଦ ଉପରେ ଆମଦାନୀ ହୋଇ ଆସୁଥିବା ନେତାମାନେ କାୟାବିସ୍ତାର କରୁଥିବା ଯୋଗୁଁ ସେମାନେ ଏକ ପ୍ରକାର କୋଣଠେସା ହେବାରେ ଲାଗିଛନ୍ତି ।

ଗତ କିଛିଦିନ ହେଲା ତିନିଟିଯାକ ଦଳ ନେତା ଆମଦାନୀ କରିବାରେ ଲାଗିଛନ୍ତି । ଏ କ୍ଷେତ୍ରରେ ବିଜେଡି-ବିଜେପି ମଧ୍ୟରେ ଏକ ପ୍ରକାର ପ୍ରତଦ୍ୱନ୍ଦିତା ଚାଲିଛି । ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ଗତ ବିଜେପୁର ଉପ ନିର୍ବାଚନ ଠାରୁ । ପ୍ରତଦିନ ଏହି ଦୁଇ ଦଳରେ ଛୋଟ ବଡ କୌଣସି ନା କୌଣସି ନେତା ଆସି ମିଶୁଛନ୍ତି । ସେମାନଙ୍କ ମିଶ୍ରଣପର୍ବର ଜୋରଦାର ପ୍ରଚାର ବି ହେଉଛି । କଂଗ୍ରେସ ବି ମଝିରେ ମଝିରେ କିଛି ନେତାଙ୍କୁ ଆଣି ଦଳରେ ମିଶାଇବାରେ ଲାଗିଛି । ହେଲେ ବିଜେଡି-ବିଜେପି ତୁଳନାରେ କଂଗ୍ରେସ ଟିକେ ଏ କ୍ଷେତ୍ରରେ ପଛରେ ପଡିଯାଇଛି ।

ରାତାରାତି ବିଜେଡି କିମ୍ବା ବିଜେପିକୁ ଆସୁଥିବା ଅନ୍ୟ ଦଳର ନେତାମାନେ ଆସ୍ଥାନ ଜମାଇବାରେ ଲାଗୁଛନ୍ତି । କିଏ ମୁଖପାତ୍ର ହେଉଛି ତ ଆଉକିଏ ଜିଲ୍ଲା ଦାୟିତ୍ବରେ ରହୁଛି । କିଏ ପ୍ରଭାରୀ ଦାୟିତ୍ବ ତୁଲାଉଛି ତ ଆଉ କିଏ ପର୍ଯ୍ୟବେକ୍ଷକ ଦାୟିତ୍ବ ମୁଣ୍ଡାଇ ମନ୍ତ୍ରୀ, ବିଧାୟକମାନଙ୍କ ଉପରେ ହାକିମାତି କରିବାରେ ଲାଗିଛି । ଯେଉଁମାନେ କିଛି ପଦ ପଦବୀ ପାଉନାହାନ୍ତି ସେମାନେ ବିଭିନ୍ନ କ୍ଷମତାକେନ୍ଦ୍ରର ନିକଟତର ଥିବା ଦର୍ଶାଉଛନ୍ତି ।

ଦଳରେ ନବାଗତଙ୍କ ଏଭଳି ରାତିଅଧିଆ କ୍ଷମତା ଦଖଲ ଏବେ ଦୁଇଦଳର ପୁରୁଖା ନେତାମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ପୁରୁଖା ତ ଦୂରରକଥା ବିଧାୟକ ଥିବା କେତେକ ଯୁବନେତା ବି ଏମାନଙ୍କ କାର୍ଯ୍ୟକଳାପରେ ନିଜକୁ ଆଉ ସୁରକ୍ଷିତ ମଣୁନାହାନ୍ତି । ଏହି ନବାଗତମାନେ କ୍ଷମତା ଦଖଲ ସହିତ କିଏ କେଉଁ ଆସନରୁ ଟିକଟ ହାତେଇବ ତାହାର ଏକ ତାଲିକା ପ୍ରସ୍ତୁତକରି ଇତି ମଧ୍ୟରେ ବଜାରକୁ ଛାଡିବାରେ ଲାଗିଛନ୍ତି । ସେମାନେ ଯେଉଁ ତାଲିକା ଜାରି କରୁଛନ୍ତି ସେଥିରେ ବହୁ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ଆସନ ରହିଛି ।

ଦଳକୁ ସୁଦୃଢ ଓ କ୍ଷମତା ଦଖଲ ପାଇଁ ନେତା ଆମଦାନୀ ଯୋଜନା ଧିରେ ଧିରେ ଦଳ ଭିତରେ ବୁମେରାଂ ଅବସ୍ଥା ସୃଷ୍ଟି କରିବାରେ ଲାଗିଛି । ଯଦିଓ ଉପରକୁ କେହି ଖୋଲାଖୋଲି ଭାବେ କିଛି କହୁନାହାନ୍ତି ଭିତରେ ଭିତରେ କିନ୍ତୁ ଚେରକଟା ଅଭିଯାନ ଆରମ୍ଭ କରିଥିବାର ସୂଚନା ମିଳିଲାଣି । ନିର୍ବାଚନ ଯେତେ ପାଖେଇ ଆସିବ ଏହା ସେତେ ଜୋରଦାର ହେବବୋଲି ଖୋଦ୍‍ ଦଳୀୟ ନେତା ଓ କର୍ମୀମାନେ ଆଭାସ ଦେଲେଣି ।

Share

Leave a Reply

Your email address will not be published. Required fields are marked *

five × two =