ରାଜନୈତିକ ପ୍ରତିଦ୍ବନ୍ଦ୍ବି ସହ ମେଣ୍ଟ କରିବ ରାଜ୍ୟ କଂଗ୍ରେସ !

ଭୁବନେଶ୍ବର (ନିପ୍ର): ନିଜର ରାଜନୈତିକ ଶତ୍ରୁ ବିଜେପିକୁ ଯେ କୌଣସି ପ୍ରକାରେ କ୍ଷମତା ହାସଲରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚେଷ୍ଠା ଚଳାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ନିଜର ଇଛାକୁ ମାରି ଶକ୍ତିଶାଳୀ ଆଞ୍ଚଳିକ ଦଳର ଯେ କୌଣସି ନେତାଙ୍କୁ ସେ ଗ୍ରହଣ କରିବେ ବୋଲି ଜଣାଇସାରିଲେଣି । ଏଭଳି କ୍ଷେତ୍ରରେ ରାଜ୍ୟ କଂଗ୍ରେସ ରାହୁଲଙ୍କ ପରି ଓଡିଶାରୁ ବିଜେପିକୁ ହଟାଇବା ପାଇଁ ଦୀର୍ଘ ୧୯ ବର୍ଷର ନିଜର ରାଜନୈତିକ ଶତ୍ରୁ ବିଜେଡି ସହିତ ହାତ ମିଳାଇବ କି ବୋଲି ଆଲୋଚନା ଆରମ୍ଭ ହୋଇଛି ।

୨୦୧୯ରେ ଲୋକସଭା ନିର୍ବାଚନ ସହିତ ଓଡିଶା ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ କଂଗ୍ରେସ ବିଜେପିକୁ ବିରୋଧ କରୁଥିବା ରାଜନୈତିକ ଦଳମାନଙ୍କ ସହିତ ମେଣ୍ଟ କରିବାକୁ ରାହୁଲ ଗାନ୍ଧି ଗୁରୁତ୍ୱ ଦେଉଛନ୍ତି । ଯଦି ରାହୁଲଙ୍କ ଇଛା କାର୍ଯ୍ୟକାରୀ ହୁଏ ତେବେ ଓଡିଶାରେ କଂଗ୍ରେସ ତାର ଏକ ନମ୍ବର ପ୍ରତିଦ୍ୱନ୍ଦ୍ୱୀ ଶାସକ ବିଜେଡି ସହିତ ମେଣ୍ଟ କରିପାରେ । ଓଡିଶାରେ ବିଜେଡି କଂଗ୍ରେସକୁ ହଟାଇ ୨୦୦୦ ପରଠାରୁ ଶାସନ କ୍ଷମତାରେ ରହିଛି । ଏହି ସମୟ ମଧ୍ୟରେ ରାଜ୍ୟ କଂଗ୍ରେସର ଅନେକ ଲୋକପ୍ରିୟ ନେତାଙ୍କୁ ବିଜେଡି ନିଜ ଦଳରେ ମିଶାଇ ସାରିଛି । ଏପରି କି କଂଗ୍ରେସ ସଂଗଠନକୁ କିପରି ଦୁର୍ବଳ କରିହେବ ସେ ଦିଗରେ ବିଜେଡି ଅହରହ କାମ କରିଆସୁଛି ।

ବିଜେପି ଓଡିଶାରେ କଂଗ୍ରେସର ଏକ ନମ୍ବର ଶତ୍ରୁ ନୁହେଁ । ଏଠାରେ ଦୀର୍ଘ ୧୯ ର୍ବେ ଧରି ଶାସନ କ୍ଷମତାରେ ଥିବା ବିଜେଡି ହେଉଛି କଂଗ୍ରେସର ଶତ୍ରୁ । ତେଣୁ କଂଗ୍ରେସ ଓଡିଶାରେ ବିଜେପି ଅପେକ୍ଷା ବିଜେଡି ସହିତ ଲଢେଇ କରିଆସୁଛି । ଏକଥା ରାଜ୍ୟ ସମେତ କଂଗ୍ରେସର କେନ୍ଦ୍ରୀୟ ନେତା ଅବଗତ ଅଛନ୍ତି । ଏହା ପରେ ବି ଯଦି ରାହୁଲ ଗାନ୍ଧୀ ଚାହିଁବେ ରାଜ୍ୟ କଂଗ୍ରେସର ନେତାମାନେ ନିଜ ମାନସମ୍ମାନକୁ ପଛରେ ପକାଇ ଶାସକ ବିଜେଡି ସହିତ ମେଣ୍ଟ କରିବାକୁ ବାଧ୍ୟ ହେବେ ।

କେନ୍ଦ୍ରରେ ବାମପନ୍ଥୀ ଦଳମାନେ କଂଗ୍ରେସ ଆସନ ବୁଝାମଣା କରୁଥିଲେ ହେଁ ଓଡିଶାରେ ସେ ସମ୍ଭାବନା ଅତ୍ୟନ୍ତ କ୍ଷୀଣ । କାରଣ ଓଡିଶାରେ ବାମପନ୍ଥୀମାନଙ୍କ ପୂର୍ବଭଳି ଆଉ ସଂଗଠନ ନାହିଁ । ଯାହା ଥିଲା ତାକୁ ଶାସକ ବିଜେଡି ନଷ୍ଟ କରିସାରିଛି । ଯେତିକି ବି ଭୋଟ ରହିଛି ତାହା ଆଧାରରେ ଯଦି ବାମପନ୍ଥୀମାନେ ବିଜେଡି ସହିତ ମେଣ୍ଟ କରନ୍ତି ତେବେ ସେମାନେ କିଛି ଆସନରେ ଜିତିବାର ସମ୍ଭାବନା ରହିଛି । କଂଗ୍ରେସ ସହିତ ମେଣ୍ଟ କଲେ କୌଣସି ସୁଫଳ ମିଳିବ ନାହିଁ ବୋଲି ବାମପନ୍ଥୀ ନେତାମାନେ ହଅଦୟଙ୍ଗମ କରିସାରିଛନ୍ତି । ଏପରି ସ୍ଥଳେ କଂଗ୍ରେସ ସହିତ ବାମପନ୍ଥୀଙ୍କର ମେଣ୍ଟ ସମ୍ଭାବନା ଆଦୌ ନାହିଁ କହିଲେ କିଛି ଭୂଲ ହେବ ନାହିଁ ।

ରାଜ୍ୟରେ କଂଗ୍ରେସର ଭୋଟ ବ୍ୟାଙ୍କ କିଛି ପରିମାଣରେ ଏବେ ବି ରହିଛି । ଏହି ଭୋଟ ବ୍ୟାଙ୍କକୁ ଦଳ ସହିତ ନେଇ ବିଜୟୀ ହେବାକୁ ନେତା ନାହାନ୍ତି । ଦୀର୍ଘ ୧୯ବର୍ଷ ଧରି କ୍ଷମତାରୁ ଦୂରେଇ ରହିବା ଫଳରେ କେତେକ ନେତା ଇତି ମଧ୍ୟରେ ବିଜେଡିରେ ଯୋଗ ଦେଇଥିବାବେଳେ ଆଉ କେତେକ ବିଜେପିରେ ଯୋଗ ଦେଇସାରିଛନ୍ତି । ଫଳରେ ରାଜ୍ୟ କଂଗ୍ରେସ ବର୍ତ୍ତମାନ ନେତା ସଂକଟ ଦେଇ ଗତି କରୁଛି । ଅଗଷ୍ଟ ମାସ ୧୫ତାରିଖ ସୁଦ୍ଧା ୫୦ପ୍ରତିଶତ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ନବ ନିଯୁକ୍ତ ପିସିସି ସଭାପତି କହିଥିଲେ । କିନ୍ତୁ କଂଗ୍ରେସକୁ ପ୍ରାର୍ଥୀ ମିଳୁନଥିବାରୁ ସେ କାମ ଅଟକି ରହିଛି ।

ଏହି ନେତା ସଂକଟ ଏବେ ଉପକୂଳ ଓଡିଶାରେ ଉକ୍ରଟ ଆକାର ଧାରଣ କରିଛି । ରାଜଧାନୀ ଭୁବନେଶ୍ୱର ୩ଟି ନିର୍ବାଚନ ମଣ୍ଡଳୀ ସମେତ ଆଖପାଖର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହେବାକୁ ନେତା ଖୋଜିଲେ ମଧ୍ୟ ମିଳୁନାହାନ୍ତି । ଉତ୍ତର ଓଡିଶା, ଦକ୍ଷିଣ ଓଡିଶାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ପଶ୍ଚିମ ଓଡିଶାରେ ଦଳର କିଛି ବିଧାୟକ ଥିଲେ ହେଁ ସେମାନେ ମଧ୍ୟ ପ୍ରାର୍ଥୀ ଖୋଜିବା ଦିଗରେ ହାତ ଟେକି ଦେଇଛନ୍ତି । ସବୁଠାରୁ ବଡ କଥା ହେଉଛି ଆଦିବାସୀ ମତଦାତାମାନେ କଂଗ୍ରେସର ପାମ୍ପରିକ ଭୋଟର ଏବେ ବିଜେଡି ମୁହାଁ ହୋଇଥିବାରୁ ସେ ଅଞ୍ଚଳରେ ମଧ୍ୟ କଂଗ୍ରେସକୁ ପ୍ରାର୍ଥୀ ମିଳୁନାହାନ୍ତି ।

ଏପରି ଦୟନୀୟ ଅବସ୍ଥାରେ ଥିବା କଂଗ୍ରେସ ଆଗାମୀ ନିର୍ବାଚନରେ ଏକାକୀ ନଲଢି ଯଦି ରାହୁଲଙ୍କ ନୀତି ଅନୁସାରେ ବିଜେଡି ସହିତ ମେଣ୍ଟ କରେ ତେବେ ଲାଭବାନ ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି ।

Share

Leave a Reply

Your email address will not be published. Required fields are marked *

4 + 8 =