ଏବିପି-ସି ଭୋଟର ସର୍ଭେ : ସ୍ପଷ୍ଟ ବହୁମତ ମିଳିବନି

ନୂଆଦିଲ୍ଲୀ () ନିର୍ବାଚନ କମିଶନ ୨୦୧୯ ଲୋକସଭା ପାଇଁ ମତଦାନ ତାରିଖ ଘୋଷଣା କରିସାରିଲେଣି। ସମଗ୍ର ଦେଶରେ ଏପ୍ରିଲ ୧୧ ତାରଖରୁ ୭ଟି ଚରଣରେ ମଇ ୧୯ ତାରିଖ ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିବ। ଏହି ନିର୍ବାଚନ ଘୋଷଣା ପରେ ଏବିପି, ସି-ଭୋଟର ପକ୍ଷରୁ ଜାରି କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ ଆଗାମୀ ନିର୍ବାଚନରେ ଏନଡ଼ିଏ ବହୁମତରୁ ଦୂରରେ ରହିବ।

ଏବିପି, ସି-ଭୋଟର ପକ୍ଷରୁ ଜାରି କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ ୫୪୩ରୁ ୪୧% ଆସନ ଅର୍ଥାତ୍ ୨୬୪ଟି ଲୋକସଭା ଆସନରେ ବିଜୟୀ ହେବ। ୩୧% ଆସନ ଅର୍ଥାତ୍ ୧୪୧ଟି ଆସନ ୟୁପିଏକୁ ଯିବ। ୨୮% ଅର୍ଥାତ୍ ୧୨୮ଟି ଆସନ ଅନ୍ୟାନ୍ୟ ଦଳକୁ ଯିବ ବୋଲି ଏହି ସର୍ଭେ ରିପୋର୍ଟରେ କୁହାଯାଇଛି। ସରକାର ଗଠନ ପାଇଁ ୨୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିବାରୁ ଏନଡ଼ିଏକୁ ତାହା ମିଳୁ ନଥିବାରୁ ବିଜେପି ଅନ୍ୟ ଦଳର ସମର୍ଥନ ଆବଶ୍ୟକ କରିବ ବୋଲି ଏହି ରିପୋର୍ଟରୁ ଜଣାପଡ଼ୁଛି।
ଏବିପି, ସି-ଭୋଟର ସର୍ଭେ ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନରୁ ଏନଡ଼ିଏ ମାତ୍ର ୨୯ଟିରେ ବିଜୟୀ ହେବ। ଗତ ନିର୍ବାଚନରେ ଏନଡ଼ିଏ ଏଠାରୁ ୭୩ଟି ଆସନରେ ବିଜୟୀ ହୋଇଥିଲା। ଏସପି-ବିଏସପି-ରାଲୋଦକୁ ୪୭ଟି ଆସନ ଓ ୟୁପିଏକୁ ୪ଟି ଲୋକସଭା ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

ବିହାରରେ ଏନଡ଼ିଏକୁ ବଡ଼ ସଫଳତା ମିଳିବ। ବିହାରର ୪୦ଟି ଲୋକସଭା ଆସନରୁ ଏନଡ଼ିଏ ୩୬ଟିରେ ବିଜୟୀ ହେବ। ବାକି ମାତ୍ର ୪ଟି ଲୋକସଭା ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

ଉତ୍ତର ଭାରତର ଦୁଇଟି ବଡ଼ ରାଜ୍ୟର ୧୨୦ଟି ଲୋକସଭା ଆସନରୁ ଏନଡ଼ିଏକୁ ସର୍ବାଧିକ ୬୫ଟି, ୟୁପିଏକୁ ୮ଟି ଓ ଏସପି-ବିଏସପି-ରାଲୋଦକୁ ୪୭ଟି ଆସନ ମିଳିବ ବୋଲି ଏହି ସର୍ଭେରେ ପୂର୍ବାନୁମାନ କରାଯାଇଛି।

ମହାରାଷ୍ଟ୍ରରେ ଶିବସେନା ସହିତ ବିଜେପିର ମେଣ୍ଟ ହେବାରୁ ସେଠାରେ ଏନଡ଼ିଏକୁ ବଡ଼ ସଫଳତା ମିଳିବ। ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ଏନଡ଼ିଏକୁ ୩୫ଟି ଓ କଂଗ୍ରେସ-ଏନସିପି ୟୁପିଏ ମେଣ୍ଟକୁ ୧୩ଟି ଆସନ ମିଳିବ ବୋଲି ଏହି ସର୍ଭେରେ ପୂର୍ବାନୁମାନ କରାଯାଇଛି।

ମୋଦିଙ୍କ କଟର ବିରୋଧି କୁହାଯାଉଥିବା ତୃଣମୂଳ କଂଗ୍ରେସ ଶାସନାଧିନ ପଶ୍ଚିମବଙ୍ଗରେ ଏନଡ଼ିଏକୁ ବଡ଼ ସଫଳତା ମିଳୁନାହିଁ। ପଶ୍ଚିମବଙ୍ଗର ୪୨ଟି ଆସନରୁ ତୃଣମୂଳ କଂଗ୍ରେସକୁ ୩୪ଟି ଓ ଏନଡ଼ିଏକୁ ୮ଟି ଲୋକସଭା ଆସନରେ ସଫଳତା ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ପଶ୍ଚିମବଙ୍ଗରେ ୟୁପିଏ ଓ ବାମ ମେଣ୍ଟକୁ କୌଣସି ଆସନ ମିଳିବ ନାହିଁ ବୋଲି ଏହି ସର୍ଭେରେ ପୂର୍ବାନୁମାନ କରାଯାଇଛି।

ବିଜେପି ଶାସନାଧିନ ଝାଡ଼ଖଣ୍ଡରେ ଏନଡ଼ିଏକୁ ବଡ଼ ଝଟକା ମିଳିବ। ଝାଡ଼ଖଣ୍ଡର ୧୪ଟି ଆସନରୁ ଏନଡ଼ିକୁ ୩ଟି, ୟୁପିଏ ମେଣ୍ଟକୁ ୧୦ଟି ଓ ଅନ୍ୟକୁ ୧ଟି ଲୋକସଭା ଆସନରେ ସଫଳତା ମିଳିବ ବୋଲି ଏହି ସର୍ଭେରେ ପୂର୍ବାନୁମାନ କରାଯାଇଛି। ପୂର୍ବୋତ୍ତରରେ ଥିବା ୮ଟି ରାଜ୍ୟଗୁଡ଼ିକରେ ୨୫ଟି ଲୋକସଭା ଆସନ ମଧ୍ୟରୁ ଏନଡ଼ିଏକୁ ୧୩ଟି, ୟୁପିଏକୁ ୧୦ଟି ଓ ଅନ୍ୟଙ୍କୁ ୨ଟି ଆସନ ମଳିବ ବୋଲି ଏହି ସର୍ଭେରେ ପୂର୍ବାନୁମାନ କରାଯାଇଛି।

କଂଗ୍ରେସ ଶାସିତ ମଧ୍ୟପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା ଲାଗିବ। ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନ ମଧ୍ୟରୁ ୨୪ଟି ଏନଡ଼ିଏକୁ ମିଳୁଥିବାବେଳେ ମାତ୍ର ୫ଟି ଆସନ କଂଗ୍ରେସକୁ ମିଳିବ ବୋଲି ଏହି ସର୍ଭେରେ ପୂର୍ବାନୁମାନ କରାଯାଇଛି। ଛତିଶଗଡ଼ରେ ମଧ୍ୟ କଂଗ୍ରେସ ସରକାର ଥାଇ ୟୁପିଏକୁ ବେଶୀ ସଫଳତା ମିଳିବ ନାହିଁ। ରାଜ୍ୟର ୧୧ଟି ଲୋକସଭା ଆସନ ମଧ୍ୟରୁ ଏନଡ଼ିଏକୁ ୬ଟି ଓ ୟୁପିଏକୁ ୫ଟି ଆସନ ମିଳିବ ବୋଲି ଏହି ସର୍ଭେରେ ପୂର୍ବାନୁମାନ କରାଯାଇଛି।

ସେହିପରି ଅନ୍ୟତମ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ କଂଗ୍ରେସ ଅପେକ୍ଷା ବିଜେପିକୁ ଅଧିକ ସଫଳତା ମିଳିବ। ରାଜସ୍ଥାନର ୨୫ଟି ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୨୦ଟି ଓ କଂଗ୍ରେସକୁ ମାତ୍ର ୫ଟି ଆସନ ମଳିବ ବୋଲି ଏହି ସର୍ଭେରେ ପୂର୍ବାନୁମାନ କରାଯାଇଛି। ଗତ ନିର୍ବାଚନରେ ବିଜେପି ଏଠାରେ ୨୫ରୁ ୨୫ଟି ଆସନରେ ବିଜୟୀ ହୋଇଥିଲା।

ଉତ୍ତର ଭାରତର ହରିଆନା, ପଞ୍ଜାବ, ହିମାଚଳ, ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ଓ ଦିଲ୍ଲୀର ୪୫ଟି ଲୋକସଭା ଆସନରୁ ଏନଡ଼ିଏକୁ ୨୬ଟି ଆସନ ଓ ୟୁପିଏକୁ ୧୯ଟି ଆସନ ମିଳିବ। ଉତ୍ତରାଖଣ୍ଡର ସମସ୍ତ ୫ଟି, ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନରେ ଏନଡ଼ିଏ ବିଜୟୀ ହେବ। ହରିଆନାରୁ ଏନଡିଏକୁ ୭ଟି, ଜମ୍ମୁ-କାଶ୍ମୀରରୁ ଏନଡ଼ିଏକୁ ୨ଟି ଓ ୟୁପିଏକୁ ୪ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

three × three =