ଶପଥ ନେଲେ ଲୋକପାଳ ସଦସ୍ୟ

ଆଜି ଶପଥ ନେଇଛନ୍ତି ରାଷ୍ଟ୍ରପତିଙ୍କ ଦ୍ଵାରା ଅନୁମୋଦନ ପ୍ରାପ୍ତ ୮ ଜଣ ଲୋକପାଳ ସଦସ୍ୟ । ଗତ ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କୁ ଶପଥପାଠ କରାଇଥିଲେ । ଆଜି ୮ଜଣ ସଦସ୍ୟଙ୍କୁ ଲୋକପାଳଙ୍କ ଉପସ୍ଥିତିରେ ତାଙ୍କ କାର୍ୟ୍ୟାଳୟରେ ଶପଥପାଠ କରାଇଛନ୍ତି । ଏହି ୮ଜଣ ସଦସ୍ୟଙ୍କ ମଧ୍ୟରେ ବିଭିନ୍ନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦିଲୀପ ବି ଭୋଶାଲେ,ପ୍ରଦୀପ କୁମାର ମହାନ୍ତି, ଅଭିଲାଷା କୁମାରୀ ଓ ଅଜୟ କୁମାର ତ୍ରିପାଠୀ ପ୍ରମୁଖ ଜୁଡିସିଆଲ ମେମ୍ବର ଭାବେ ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଲୋକପାଳ ଚେୟାରପର୍ସନ ଓ ଲୋକପାଳ ସଦସ୍ୟଙ୍କ ନାମକୁ ସୁପାରିଶ କରିଥିଲା । ପରେ ଏହାକୁ ରଷ୍ଟ୍ରପତି ଅନୁମୋଦନ କରିଥିଲେ ।

ଦେଶର ପ୍ରଥମ ନାରୀ ସଶସ୍ତ୍ର ସୀମା ବଳର ପୂର୍ବତନ ମୁଖ୍ୟ ଅର୍ଚ୍ଚନା ରାମସୁନ୍ଦରମ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ସଚିବ ଦୀନେଶ କୁମାର ଜୈନ, ପୂର୍ବତନ ଆଇଆରଏସ୍ ମହେନ୍ଦ୍ର ସିଂହ ଓ ଗୁଜରାଟ କ୍ୟାଡରର ପୂର୍ବତନ ପ୍ରଶାସନିକ ଅଧିକାରୀ ଇନ୍ଦ୍ରଜିତ ପ୍ରସାଦ ଗୌତମ ପ୍ରମୁଖ ନନ୍ ଜୁଡିସିଆଲ ଲୋକପାଳ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।

ନିୟମ ଅନୁସାରେ ଚେୟାର ପର୍ସନ ଓ ସର୍ବାଧିକ ୮ ଜଣ ମେମ୍ବର ଲୋକପାଳ ପ୍ୟାନେଲରେ ରହିବାରେ ବ୍ୟବସ୍ଥା ଅଛି । ଏମାନଙ୍କ ମଧ୍ୟରୁ ୪ଜଣ ବିଚାର ବିଭାଗୀୟ ସଦସ୍ୟ ରହିଥାନ୍ତି ।

ହିମଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂ, ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂ ଓ ଛତିଶଗଡର ବରିଷ୍ଠ ମନ୍ତ୍ରୀ ଟି.ଏସ ସିଂଦେଓଙ୍କ ସମେତ ଇଣ୍ଟେଲିଜେନ୍ସ ବ୍ୟୁରୋର ମୁଖ୍ୟ ରାଜୀବ ଜୈନ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନର କେଭି ଚୌଧୁରୀ, ସେଣ୍ଟ୍ରାଲ ଆଡମିନଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ଜଷ୍ଟିସ ଏଲ ନରସୀମା ରେଡ୍ଡୀ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − fifteen =