ବୈଜୟନ୍ତଙ୍କୁ ନବୀନଙ୍କ ତୀର୍ଯକ ତୀର

ଭୁବନେଶ୍ୱର (): ଆଜି ନବୀନ ନିବାସରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ବିତାଡିତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତୀର୍ଯକ ତୀର ମାରିଛନ୍ତି । ବୈଜୟନ୍ତ ପଣ୍ଡା ବିଜେଡିରୁ ବାହାରିବା ପରେ ନିକଟରେ ବିଜେପିରେ ଯୋଗଦେଇ କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା ସମୟରେ ନବୀନ କେଉଁ ପ୍ରାର୍ଥୀଙ୍କୁ କେଉଁ ଆସନରୁ କାହିଁକି ପ୍ରାର୍ଥୀ କରାଯାଉଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦେଉଥିଲେ । କେନ୍ଦ୍ରାପଡା ପାଇଁ ଅନୁଭବ ମହାନ୍ତିଙ୍କ ନାମ ଘୋଷଣା ସମୟରେ ତାଙ୍କ ପରିଚୟ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଓଡିଶାର ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇଛନ୍ତି । ମହାନଦୀ ଜଳ ବିବାଦରେ ମଧ୍ୟ ସେ ରାଜ୍ୟସଭାରେ ଦୃଢତାର ସହ ଓଡିଶାର ପକ୍ଷ ରଖିଥିଲେ । ତେବେ ନବୀନ ଆଶା ପ୍ରକାଶ କରିଥିଲେ ଯେ, ଅନୁଭବ ମହାନ୍ତି କେବଳ କେନ୍ଦ୍ରାପଡାବାସୀଙ୍କ ପାଇଁ ହିଁ କାମ କରିବେ । ସେ ଦାଖଲ କରିବାକୁ ଥିବା ସତ୍ୟପାଠରେ କିଛି ଲୁଚାଇବେ ନାହିଁ । ମାଇନିଂ କମ୍ପାନୀରେ କାମ କରି ଦରମା ନେବେ, ଆଉ ସେ ସଂପର୍କରେ ସତ୍ୟପାଠରେ ଦର୍ଶାଇବେ ନାହିଁ ଏଭଳି କାର୍ଯ୍ୟ କରିବେ ନାହିଁ ବୋଲି ନବୀନ କହିଥିଲେ ।

ନବୀନଙ୍କର ଏହି ଦୁଇଧାଡି କଥା ନିଶ୍ଚିତ ଭାବେ ଅନୁଭବ ମହାନ୍ତିଙ୍କ ପାଇଁ ଉଦ୍ଦିଷ୍ଟ ନ ଥିଲା । ଏହା ସିଧାସଳଖ ନ ହେଲେ ବି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଅନୁଭବ ମହାନ୍ତି ମଧ୍ୟ ସାଂସଦ ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ କେନ୍ଦ୍ରାପଡାର ବିକାଶ ପାଇଁ କାମ କରିବେ । କେନ୍ଦ୍ରାପଡା ବିଜୁ ବାବୁଙ୍କ ଗଡ଼ । ସେଠାରେ ସେ କାହା ସହ କଡ଼ା ମୁକାବିଲା ଦେଖୁନାହାଁନ୍ତି । ନେତାଙ୍କ ପ୍ରତି କେବେ ବେଇମାନୀ କରିବି ନାହିଁ ଓ କେନ୍ଦ୍ରାପଡ଼ାବାସୀଙ୍କୁ ଅନ୍ୟମାନଙ୍କ ଭଳି ଠକିବି ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen + 9 =