ଏଥର ଗଂଜାମରେ 7ଟି ବିଧାନସଭା କ୍ଷେତ୍ରରେ ନୂଆ ମୁହଁ

ଅସୁସ୍ଥତା ପାଇଁ ଲଢିବେନି ସୁଜ୍ଞାନୀ ଦେଓ ଓ ଚ୍ୟାଉ ପଟ୍ଟନାୟକ

ଭୁବନେଶ୍ବର () ଓଡିଶା ରାଜନୀତିରେ ଗଂଜାମ ସବୁବେଳେ ଚର୍ଚ୍ଚାରେ । କାରଣ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା । 2000 ମସିହା ପରଠାରୁ ଏହି ଜିଲ୍ଲାରେ ବିଜେଡିର ସବୁବେଳେ ଦବଦବା ରହିଛି । 2019ରେ ମଧ୍ୟରେ ସେହି ଟ୍ରେଣ୍ଡ ବଳବତ୍ତର ରଖିବାକୁ ଚେଷ୍ଟା କରୁଛି ବିଜେଡି । କିନ୍ତୁ ଏଥିପାଇଁ ଦଳ ପକ୍ଷରୁ କିଛି କଠୋର ପଦକ୍ଷେପ ନିଆଯିବ । ଜନ ଅସନ୍ତୋଷର ଶିକାର ହେଉଥିବା ବିଧାୟକ ଏବଂ ଜନକଲ୍ୟାଣକାରୀ ଯୋଜନାରୁ ନିଜକୁ ଦୂରେଇ ରଖୁଥିବା ଲୋକ ପ୍ରତିନିଧିଙ୍କୁ ଆଉ 2019ରେ ଲଢିବାର ସୁଯୋଗ ଦେବେନି ମୁଖ୍ୟମନ୍ତ୍ରୀ ।

ଗଂଜାମ ଜିଲ୍ଲାରେ ରହିଛି 13ଟି ବିଧାନସଭା କ୍ଷେତ୍ର । ହିଂଜିଳି, ସାନଖେମୁଣ୍ଡି, ସୋରଡା, ଆସ୍କା, ଛତ୍ରପୁର, ଖଲିକୋଟ, କବିସୂର୍ଯ୍ୟନଗର, ପୋଲସରା, ଚିକିଟି, ଦିଗପହଣ୍ଡି, ବ୍ରହ୍ମପୁର, ଗୋପାଳପୁର ଓ ଭଂଜନଗର । ବିଧାନସଭା ଆସନ ଦୃଷ୍ଟିରୁ ଏହି ଜିଲ୍ଲାରୁ ସର୍ବାଧିକ ଲୋକପ୍ରତିନିଧି ନିର୍ବାଚିତ ହେଉଛନ୍ତି । ବର୍ତ୍ତମାନ 13ଟି ଯାକ ବିଧାନସଭା ଆସନ ବିଜେଡି ଦଖଲରେ ରହିଛି । 2009ରେ କିନ୍ତୁ ବିଜେଡି ଦୁଇ ଆସନ ହାରିଯାଇଥିଲା । ସିପିଆଇ ଆଉ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ପାଇଥିଲେ । ତେଣୁ 2014ର ବିଜୟ ଅଭିଯାନକୁ 2019ରେ ମଧ୍ୟ ଜାରି ରଖିବାକୁ ଏଥର ପ୍ରାର୍ଥୀ ଚୟନକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ।

ଏହିଦୃଷ୍ଟିରୁ ଏଥର 6ରୁ 7ଟି ଆସନରେ ନୂଆ ମୁହଁ ଦେବାକୁ ଚିନ୍ତା କରାଯାଉଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ଆସନରୁ କ୍ରମାଗତ ଭାବେ ଜିତିଆସୁଥିବା ଭି. ସୁଜ୍ଞାନୀ ଦେଓ ଏଥର ଆଉ ନିର୍ବାଚନ ଲଢିବେ ନାହିଁ । ଗତ କିଛି ମାସ ହେଲା ସେ ଅସୁସ୍ଥ ଅଛନ୍ତି । ଅସୁସ୍ଥତା ଯୋଗୁଁ ଗତ ଗତ ବିଧାନସଭାର ବଜେଟ ଅଧିବେଶନରେ ଯୋଗ ଦେଇନଥିଲେ । ସେହିପରି ଆସିକା ଆସନକୁ ପ୍ରତିନିଧିତ୍ବ କରୁଥିବା ଦେବରାଜ ମହାନ୍ତି ମଧ୍ୟ 2019ରେ ଆଉ ବିଜେଡି ଟିକେଟରେ ଲଢିବାର ସମ୍ଭାବନା କମ । କାରଣ ତାଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ସେହିଭଳି ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମଧ୍ୟ ଏଥର ଆଉ ନିର୍ବାଚନ ଲଢିବେ ନାହିଁ । କାରଣ ସେ ମଧ୍ୟ ଗୁରୁତ୍ତର ଭାବେ ଅସୁସ୍ଥ ଥିବା ଜଣାପଡିଛି । ତେଣୁ ତାଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ଆଉ ଜଣଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା ଜଣାପଡିଛି ।

ସେହିଭଳି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବିରୋଧରେ ମଧ୍ୟ ଜନ ଅସନ୍ତୋଷ ବଢୁଥିବା ବେଳେ ସାଂଗଠନିକ ଦକ୍ଷତା ଅଭାବରୁ ବିଜେଡିର ପ୍ରତି ଗାଁରେ ଦୁଇଟି ଗୋଷ୍ଠି କାର୍ଯ୍ୟ କରୁଛି । ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ମଧ୍ୟ ମୁଖ୍ୟମନ୍ତ୍ରୀ ଦକ୍ଷତା ମାପକାଠିରେ ଫେଲ ମାରିଛନ୍ତି । ଦୁର୍ବଳ ଜନସଂପର୍କ ସାଙ୍ଗକୁ ଜନକଲ୍ୟାଣ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରିବାରେ ସେ ଅସଫଳ ହୋଇଥିବା ଜଣାପଡିଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଏବଂ ଶିକ୍ଷାଗତ ଯୋଗ୍ୟତା କାରଣରୁ ତାଙ୍କୁ ଏଥର ଆଉ ଟିକେଟ ନମିଳିବାର ସମ୍ଭାବନା ରହିଛି । ଏମିତି ବି ତାଙ୍କ ବିରୋଧରେ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଜନଅସନ୍ତୋଷ ତେଜୁଥିବା ଜଣାପଡିଛି । ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମଧ୍ୟ ସେହିଭଳି ନିଜ ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଫେଲ ମାରିଛନ୍ତି । ଦୁଇଟି ବ୍ଲକରୁ ଗୋଟିଏ ବ୍ଲକକୁ ସେ ପ୍ରାଧାନ୍ୟ ଦେଉଥିବା ବେଳେ ଅନ୍ୟଗୋଟିଏ ଆଦିବାସୀ ଅଧ୍ୟୁଷିତ ବ୍ଲକରେ ସରକାରୀ ଯୋଜନାକୁ ସେ ପହଁଚାଇପାରୁନାହାଁନ୍ତି । ଯେଉଁଥିପାଇଁ ସେହି ବ୍ଲକରେ ପାନୀୟ ଜଳ ଓ ଅନ୍ୟାନ ସମସ୍ୟାର ସମାଧାନ ହୋଇପାରିନି । ଏଥିପାଇଁ ତାଙ୍କୁ ମଧ୍ୟ ବଦଳାଇବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରୁଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

2 × 4 =