ପ୍ରତିଶୃତି ପାଳିବାରେ କେନ୍ଦ୍ର ଫେଲ, ଗଣତନ୍ତ୍ର ବିପଦରେ

ଭୁବନେଶ୍ବର () ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଜାତୀୟ ସ୍ତରରେ ରାଜନୈତିକ ପାଣିପାଗ ବଦଳୁଛି । ମିଛ କହି ଆଉ ସାଧାରଣ ଲୋକଙ୍କୁ ପ୍ରତାରିତ କରାଯାଇପାରିବ ନାହିଁ । 2014ରେ ସରକାର ଗଠନ କରିବା ପୂର୍ବରୁ ବିଜେପି ଯେଉଁ ପ୍ରତିଶୃତି ଦେଇଥିଲା ସେମଧ୍ୟରୁ ଗୋଟିଏ ବି ପାଳନ କରିନାହିଁ । ଏଥିପାଇଁ ଆସନ୍ତା ନିର୍ବାଚନରେ ଲୋକେ ସେମାନଙ୍କୁ ଦଣ୍ଡ ଦେବେ ବୋଲି ସତର୍କ କରାଇଦେଇଛନ୍ତି ବିରୋଧୀ ଦଳ ନେତା ।

ବଜେଟ ଅଧିବେଶନ ଆରମ୍ଭରୁ ଗୃହ ଅଚଳ ହେଉଥିବା ବେଳେ ଆଜି ମଧ୍ୟାହ୍ନରୁ ସ୍ବାଭାବିକ ହୋଇଛି । ଗୃହ ସ୍ବାଭାବିକ ହେବା ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା 2019-20 ଆର୍ଥିକ ବର୍ଷର କାମଚଳା ବଜେଟ ପାଇଁ ବ୍ୟୟମଂଜୁରୀ ବିଲ ଆଗତ କରିଥିଲେ । ବ୍ୟୟ ମଂଜୁରୀ ବିଲ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା କହିଥିଲେ ଯେ, ଜାତୀୟ ସ୍ତରରେ ଏବେ ଗଣତାନ୍ତ୍ରୀକ ଅରାଜକତା ସୃଷ୍ଟି ହୋଇଥିବା ବେଳେ ଗଣତନ୍ତ୍ର ଏବେ ବିପଦରେ ରହିଛି । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ବାରମ୍ବାର ଉଲଂଘନ କରାଯାଉଛି । କେତେବେଳେ ସିବିଆଇ ତ କେତେବେଳେ ଆରବିଆକୁ ନେଇ ସୃଷ୍ଟି ହେଉଛି ବିବାଦ । ମୁକ୍ତ ଅବାଧ ନିରପେକ୍ଷ ନିର୍ବାଚନ ହେବାର ସମ୍ଭାବନା ନଥିବା ବେଳେ ରିଜର୍ଭ ବ୍ୟାଙ୍କ ବି ନିରପେକ୍ଷ ନୁହେଁ । ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣ ଏନଏସପି ଦେବାକୁ ଘୋଷଣା କରିଥିବା ଦଳ ଏବେ ଏହାକୁ ନିର୍ବାଚନୀ ଜୁମଲା ବୋଲି କହୁଛନ୍ତି । ବର୍ଷକୁ ଦୁଇ କୋଟି ନିଯୁକ୍ତିର ପ୍ରତିଶୃତି ଏବଂ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ 15ଲକ୍ଷ ଟଙ୍କା ଜମା ହେବ ବୋଲି ହୋଇଥିବା ଘୋଷଣା କେବେ ପୂରଣ ହେବ ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶବାସୀଙ୍କ ସ୍ବାଧୀନତା ଏବେ ବାଜି ଲାଗିଛି । ଆମେ ଜାଣିନାହିଁ, ଆମେ କେଉଁ ଦିଗକୁ ଗତି କରୁଛୁ ଏବଂ ଭବିଷ୍ୟତରେ ଆମେ କେଉଁ ଭଳି ସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛେ । ସମ୍ବିଧାନର ଉଲଂଘନ କରି ନ୍ୟାୟପାଳିକା ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ହେଉଛି । ସୁପ୍ରିମ କୋର୍ଟର 4ଜଣ ବରିଷ୍ଠ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀ କରି ଗଣତନ୍ତ୍ର ବିପଦରେ ବୋଲି କହିବା ଘଟଣା ଏହାକୁ ପ୍ରମାଣିତ କରୁଛି । ସିବିଆଇରେ କଣ ଘଟୁଛି । ଦେଶର ଏହି ସର୍ବବୃହତ ତଦନ୍ତକାରୀ ସଂସ୍ଥାର ଦୁଇ ମୁଖ୍ୟ ଅଧିକାରୀ ବୁଲା କୁକୁରଙ୍କ ଭଳି ରାସ୍ତାରେ କଳି କରୁଛନ୍ତି । ଶେଷରେ ସୁପ୍ରିମ କୋର୍ଟ ଏହି କଳିରେ ହସ୍ତକ୍ଷେପ କଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଗତକାଲି ସୁପ୍ରିମ କୋର୍ଟ ସିବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କୁ ଭର୍ସନା କରିଛନ୍ତି । ଏପରିକି କେବଳ ଭଗବାନ ହିଁ ତାଙ୍କୁ ବଞ୍ଚାଇପାରିବେ ବୋଲି କହିଛନ୍ତି । କେବଳ ସିବିଆଇ ନୁହେଁ, ରିଜର୍ଭ ବ୍ୟାଙ୍କ ବି ରାଜନୈତିକ ହସ୍ତକ୍ଷେପରୁ ବାଦ ପଡିନି । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପରେ ଅତିଷ୍ଟ ହୋଇ ଆରବିଆଇ ଗଭର୍ଣ୍ଣର ଇସ୍ତଫା ଦେଲେ ।

ସେହିଭଳି ଦେଶବାସୀ ଗୋଟେ ସରକାରକୁ 5 ବର୍ଷ ପାଇଁ କ୍ଷମତାକୁ ଆଣିଥାନ୍ତି । ଅର୍ଥାତ ଏହି 5 ବର୍ଷ ମଧ୍ୟରେ ସେହି ସରକାର 5ଟି ବଜେଟ ଆଗତ କରିବା କଥା । କିନ୍ତୁ କେନ୍ଦ୍ର ସରକାର ଏହି 5 ବର୍ଷରେ 6ଟି ବଜେଟ ଆଣିଛନ୍ତି । ଏଥର ପୁଣି ସଂସଦରେ ବଜେଟ ଆଗତ ବେଳେ ସରକାରୀ ଦଳର ନେତାମାନଙ୍କ ଆବଭାବ ସଂସଦ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି । ଏ ଦେଶରେ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଗୁଳିକରାଯାଉଛି । ସେ ସମୟରେ ପୁଣି ଉପସ୍ଥିତ ଅଛନ୍ତି ସେହି ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସଂପୃକ୍ତ ଦଳର ତୁଙ୍ଗ ନେତାମାନେ । ଏହା ଦେଶକୁ ସ୍ବାଧୀନତା ଆଣିଦେଇଥିବା ସଂଗ୍ରାମୀମାନଙ୍କ ଭାବମୂର୍ତ୍ତୀକୁ କ୍ଷୁର୍ଣ୍ଣ କରିବାକୁ ଏକ ଯୋଜନାବଦ୍ଧ ଷଢଯନ୍ତ୍ର ହେଉଛି ବୋଲି ସେ ଅଭିଯୋଗ କରିଥିଲେ ।

ପଶ୍ଚିମବଙ୍ଗରେ ଘଟିଥିବା ଘଟଣାରୁ ପ୍ରମାଣିତ ହେଉଛି ଯେ, ସଂଘୀୟ ବ୍ୟବସ୍ଥାର ପାଳନ ହେଉନି । କୁଆଡେ ଗଲା 2014ରେ ଦିଆଯାଇଥିବା ପ୍ରତିଶୃତି । ସରକାରକୁ ଆସିବାର 6 ମାସ ମଧ୍ୟରେ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ 15 ଲକ୍ଷ ଟଙ୍କା ଜମା ହେବ ବୋଲି ପ୍ରତିଶୃତି ଦିଆଯାଇଥିଲା । କୁଆଡେ ଗଲା ସେ ଟଙ୍କା । ବର୍ଷକୁ 2 କୋଟି ନିଯୁକ୍ତିର ପ୍ରତିଶୃତି ଦିଆଯାଇଥିଲା, କୁଆଡେ ଗଲା ନିଯୁକ୍ତି । ଧାନର ଏମଏସପି ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ହେବ ବୋଲି ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ପାଳିଲେନି । ବରଂ ଦଳର ବରିଷ୍ଠ ନେତା ଜଣେ କହିଲେ, ଏହା ଥିଲା ନିର୍ବାଚନୀ ଜୁମଲା । 2019ରେ କେନ୍ଦ୍ର ସରକାରଙ୍କ ଏ ମିଛର ଦଣ୍ଡ ଦେବେ ଦେଶବାସୀ, ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

ଜାତୀୟ ଓ ରାଜ୍ୟ ରାଜନୀତିର ପାଣିପାଗ ବଦଳୁଛି । ଲୋକେ ପରିବର୍ତ୍ତନ ମୁହାଁ ହୋଇଛନ୍ତି । କାଳିଆ ଯୋଜନାରେ ଭାଗଚାଷୀଙ୍କୁ ମଧ୍ୟ ଗୋଟେ ଫସଲ ଋତୁ ପାଇଁ 5000 ଟଙ୍କାର ସହାୟତା ଦେବାକୁ ସରକାର ଘୋଷଣା କରିଛନ୍ତି । କିଛି ଚାଷୀଙ୍କୁ ସହାୟତା ମିଳାଲାନି ମଧ୍ୟ । କିନ୍ତୁ ଏହାଦ୍ବାରା ସରକାର ଆଇନ ଉଲଂଘନକାରୀଙ୍କୁ ପୁରସ୍କୃତ କରୁଛନ୍ତି ବୋଲି ବିରୋଧୀ ଦଳ ନେତା କହିଛନ୍ତି । ସେ ଓଡିଶା ଭୂଅଧିଗ୍ରହଣ ଆଇନକୁ ଉଲ୍ଲେଖ କରି କହିଥିଲେ ଯେ, ଏହି ଆଇନ ଅନୁଯାୟୀ ଭାଗ ଚାଷ ହେଉଛି ବେଆଇନ । ତେଣୁ କେଉଁ ଆଧାରରେ ସରକାର ଭାଗଚାଷୀଙ୍କୁ ଚିହ୍ନଟ କଲେ । କୌଣସି ଜମି ମାଲିକ ସରକାରଙ୍କୁ ଲିକ୍ଷିତ ଭାବେ ସେମାନେ କାହାକୁ ଭାଗ ଚାଷ ଦେଇଛନ୍ତି ତାହା ଜଣାଇଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

eleven + thirteen =