ବିଭାଗର ଦକ୍ଷତା ବୃଦ୍ଧି ଓ ସ୍ବଚ୍ଛତା ପାଇଁ ମନ୍ତ୍ରୀଙ୍କୁ ନବୀନଙ୍କ ମନ୍ତ୍ର

ଭୁବନେଶ୍ବର () ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମନ୍ତ୍ରୀମାନଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜ ବିଭାଗକୁ କିଭଳି ଭାବେ ଅଧିକ କ୍ରିୟାଶିଳ କରିପାରିବେ ଏବଂ ବିଭାଗର କାର୍ଯ୍ୟକାରିତାରେ ସ୍ବଚ୍ଛତା ବଜାୟ ରଖିବେ ସେନେଇ ପରାମର୍ଶ ଦେଇଛନ୍ତି । ଏଥିସହିତ କାଳିଆ, ସାମାଜିକ ସୁରକ୍ଷା ଏବଂ ପଶୁ ସଂପଦର ବିକାଶ ପାଇଁ ଜରୁରୀକାଳିନ ପାଣ୍ଠିରୁ ରାଜ୍ୟ ସରକାର ଉଠାଇଥିବା ପ୍ରାୟ 1400 କୋଟି ଟଙ୍କାର ବ୍ୟୟ ସଂପର୍କରେ ମନ୍ତ୍ରୀ ପରିଷଦର ଅନୁମୋଦନ ଗ୍ରହଣ କରାଯାଇଛି ।

ମନ୍ତ୍ରୀମାନେ ବ୍ୟାପକ ଭାବେ ବିଭିନ୍ନ ଅଞ୍ଚଳ ଗସ୍ତ କରନ୍ତୁ । ଏହାଦ୍ବାରା ସେମାନେ ନିଜ ନିଜ ବିଭାଗର କାମ ବିଷୟରେ ତୃଣମୂଳ ସ୍ତରରରୁ ଜାଣିପାରିବେ । ସେହିଭଳି ମନ୍ତ୍ରୀମାନେ ବିଭାଗର ବିଭିନ୍ନ ଅଫିସ ଓ ଅନୁଷ୍ଠାନଗୁଡିକ ଅଚାନକ ପରିଦର୍ଶ କରନ୍ତୁ । ଏହାଦ୍ବାରା ସରକାରୀ ସେବା ପ୍ରଦାନ ତ୍ବରାନ୍ବିତ ହେବ । ଗସ୍ତ ସମୟରେ ଲୋକଙ୍କୁ ଭେଟନ୍ତୁ । ଲୋକଙ୍କ ସମସ୍ୟା ବୁଝନ୍ତୁ । ସରକାରୀ ସେବା ବିଷୟରେ ହିତାଧିକାରୀଙ୍କ ଠାରୁ ସିଧାସଳଖ ମତାମତ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସେହିଭଳି ରାଜ୍ୟରେ ପରିବର୍ତ୍ତନକୁ ସୁନିଶ୍ଚିତ କରିବାକୁ 5-ଟିର କାର୍ଯ୍ୟକାରିତା ସବୁଠୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଏଦିଗରେ ମନ୍ତ୍ରୀମାନେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବା ଉଚିତ । ସ୍ବଚ୍ଛତା ଏବଂ ଦକ୍ଷତା ପାଇଁ କମ୍ପ୍ୟୁଟରୀକରଣ ଜରୁରି । ତେଣୁ ମନ୍ତ୍ରୀମାନେ ବିଭାଗର ଶତ ପ୍ରତିଶତ କାମ ଯେପରି ଓସୱାସ ଜରିଆରେ ହେବ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏଥିସହିତ ମନ୍ତ୍ରୀ ପରିଷଦ ବୈଠକରେ ଜରୁରୀକାଳିନ ପାଣ୍ଠିରୁ ଅଗ୍ରୀମ ଆକାରରେ ଉଠାଯାଇଥିବା ପ୍ରାୟ 14ଶହ କୋଟି ଟଙ୍କାର ବ୍ୟୟକୁ ମଂଜୁରୀ ମିଳିଛି । ଜରୁରୀକାଳିନ ପାଣ୍ଠିରୁ କାଳିଆ ଯୋଜନା ପାଇଁ ପ୍ରାୟ 12ଶହ କୋଟି, ସମାଜିକ କ୍ଷେତ୍ର ବିକାଶ ପାଇଁ ପ୍ରାୟ 169 କୋଟି ଏବଂ ପଶୁ ସଂପଦ ବିକାଶ ପାଇଁ 17 କୋଟି ଟଙ୍କା ଉଠାଯାଇଥିଲା । ଏହି ଅର୍ଥ ଫେରସ୍ତ ସାଙ୍ଗକୁ ଏହାର ବ୍ୟୟକୁ ମନ୍ତ୍ରୀ ପରିଷଦ ମଂଜୁରୀ ଦେଇଛି । ଏନେଇ ଚଳିତ ବଜେଟ ଅଧିବେଶନରେ ଅର୍ଥମନ୍ତ୍ରୀ ଏକ ସ୍ବତନ୍ତ୍ର ଅତିରିକ୍ତ ଖର୍ଚ୍ଚ ଚିଠା ବିଧାନସଭାରେ ଉପସ୍ଥାପିତ କରିବେ । ମନ୍ତ୍ରୀମାନଙ୍କ ମାସିକିଆ ରିପୋର୍ଟ କାର୍ଡକୁ ନେଇ ସନ୍ତୋଷ ପ୍ରକାଶ କରିବା ସହ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ନବୀନ ।

Share

Leave a Reply

Your email address will not be published. Required fields are marked *

12 − 3 =