ଏକକ ନିର୍ବାଚନ ସପକ୍ଷରେ ଆଇନ କମିଶନ

ଭୁବନେଶ୍ୱର () ଦେଶରେ ଏକକ ନିର୍ବାଚନକୁ ସମର୍ଥନ କରିଛନ୍ତି ଜାତୀୟ ଆଇନ କମିଶନ । କମିଶନ ଦେଇଥିବା ଚିଠା ପ୍ରସ୍ତାବରେ ଆଗକୁ ହେବାକୁଥିବା 13ଟି ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ଏକା ସାଙ୍ଗରେ କରୁବାକୁ କମିଶନ ପ୍ରସ୍ତାବ ଦେଇଛନ୍ତି ।

ଆସନ୍ତା 2021ରେ କାର୍ଯ୍ୟକାଳ ସରୁଥିବା ଆଉ 17ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟର ନିର୍ବାଚନ 30 ମାସ ପାଇଁ କରିବାକୁ କମିଶନ ସୁପାରିଶ କରିଛନ୍ତି । ଏହାଦ୍ୱାରା 2024ରେ ସବୁ ବିଧାନସଭା ଓ ଲୋକସଭା ନିର୍ବାଚନ ଏକକାଳୀନ ଭାବେ ଅନୁଷ୍ଠିତ ହେବ । କମିଶନ ନିଜ ରିପୋର୍ଟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରକାଶ ପାଉଥିବା ଆଶଙ୍କାକୁ ଅଯୌକ୍ତିକ ବୋଲି ଦର୍ଶାଇବାକୁ ଯାଇ ଶେଖସ୍ଫିଅରଙ୍କ ଏକ ଉକ୍ତିକୁ ଉଦ୍ଧାର କରି କହିଛନ୍ତି ଯେ, ଏକ ବୃହତ ସଠିକ କାର୍ଯ୍ୟ ପାଇଁ ଛୋଟ ଭୁଲ ଗ୍ରହନଯୋଗ୍ୟ ।

ଏକକ ନିର୍ବାଚନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବାକୁ ଯାଇ କମିଶନ କହିଛନ୍ତି ଯେ, ଏବେ ସମୟ ଆସୁଛି ଜାତୀୟ ସ୍ୱାର୍ଥ ପାଇଁ ଦେଶ ପୁଣିଥରେ ଏକକ ନିର୍ବାଚନକୁ ଫେରିଯିବା ଉଚିତ । ବିଭିନ୍ନ ରାଜନୈତିକ ଦଳ ଏକକ ନିର୍ବାଚନ ଦ୍ୱାରା ଦେଶର ସଂଘୀୟ ବ୍ୟବସ୍ଥା, ଗଣତନ୍ତ୍ର ଓ ସଂଭିଧାନ ପ୍ରତି ବିପଦ ରହିଛି ବୋଲି କହୁଥିବା ବେଳେ କମିଶନ ଏଭଳି ଯୁକ୍ତିର ପ୍ରାସଙ୍ଗିକତା ନାହିଁ ବୋଲି କହିଛନ୍ତି ।

ଏକକ ନିର୍ବାଚନ ପାଇଁ କମିଶନ ତିନିସୁତ୍ରୀ ଫିର୍ମୁଲ ଦେଇଛନ୍ତି । ପ୍ରଥମତଃ 12ଟି ରାଜ୍ୟ ଓ ଦିଲ୍ଲୀ ବିଧାନସଭା ନିର୍ବାଚନକୁ 2019 ସହ ସମାନ ସମୟରେ କରିବାକୁ କମିଶନ ପ୍ରସ୍ତାବ ଦେଇଛନ୍ତି । ସେମଧ୍ୟରୁ ଲୋକସଭା ସହ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ, ତେଲେଙ୍ଗାନା ଓ ଓଡ଼ିଶାର ବିଧାନସଭା ନିର୍ବାଚନ ଲୋକସଭା ସହ ସମାନ୍ତରାଳ ଭାବେ ହେବ । ଯଦି ରାଜନୈତିକ ସହମତି ସୃଷ୍ଟି ହେବ ତେବେ ହରିୟାଣା, ମହାରାଷ୍ଟ୍ର, ଝରଖଣ୍ତ ଓ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ସଙ୍କୁଚିତ କରି ଲୋକସଭା ସହ କରିହେବ । ସେହିଭଳି ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମିଜୋରମର ନିର୍ବାଚନ 2019 ଜାନୁଆରୀ ମାସରେ ହେବାକୁ ଥିବାରୁ ଏହିସବୁ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଆଉ 6ମାସ ବୃଦ୍ଧି କରି ଲୋକସଭା ସହ କରାଯାଇପାରିବା । ଏଥିପାଇଁ ସମ୍ବିଧାନର ଧାରା 172ରେ ସଂଶୋଧନ ଦରକାର ବୋଲି କମିଶନ କହିଛନ୍ତି ।

ବଳକା 16ଟି ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ବିଧାନସଭା  ନିର୍ବାଚନକୁ 30 ମାସ ପାଇଁ ବା 2024 ଜୁନ ପର୍ଯ୍ୟନ୍ତ କରାଗଲେ 2024ରୁ ସବୁ ରାଜ୍ୟ, କେନ୍ଦ୍ର ଶାସିତ ରାଜ୍ୟ ଓ ଲୋକସଭା ନିର୍ବାଚନ ଏକ ସମୟରେ ହୋଇପାରିବ ।

ଦ୍ଵିତୀୟ ପ୍ରସ୍ତାବରେ କମିଶନ 5 ବର୍ଷରେ ଦୁଇଥର ନିର୍ବାଚନ କରାଇବାକୁ ସୁପାରିଶ କରିଛନ୍ତି । ଅର୍ଥାତ, ପ୍ରଥମ ଦଫାରେ 13ଟି ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟ ବିଧାନସଭା ନିର୍ବାଚନକୁ 2019ରେ ଏବଂ 2021ରେ ବଳକା 16ଟି ରାଜ୍ୟର ନିର୍ବାଚନ ହେବ । ଏହାଦ୍ୱାରା 5 ବର୍ଷରେ 2ଥର ନିର୍ବାଚନ ହେବ ।

ତୃତୀୟତଃ ସବୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନକୁ ସବୁ ରାଜ୍ୟର ସହମତିରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ କରାଯାଉ ।

Share

Leave a Reply

Your email address will not be published. Required fields are marked *

four × 2 =