ଭୀମ ଭୋଇ ମେଡିକାଲ କଲେଜ ଲୋକାର୍ପିତ

ବଲାଙ୍ଗିର (ନିପ୍ର) ବଲାଙ୍ଗୀରରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଏହାଦ୍ବାରା ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବ ସହ ସେଠାରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବାର ଉନ୍ନତି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ସନ୍ଥକବି ଭୀମ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସନ୍ଥକବି ସାରା ଜଗତକୁ ମାନବ ଧର୍ମର ବାର୍ତ୍ତା ଦେଇଥିଲେ । ତାଙ୍କ ଆଦର୍ଶରେ ସମାଜ ପାଇଁ କିଛି ଅବଦାନ ରଖିବା ଓ ଅବହେଳିତ ବର୍ଗର ଲୋକଙ୍କ ସଶକ୍ତିକରଣ ପାଇଁ କାମ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

2000 ମସିହାରେ ରାଜ୍ୟରେ ସମୁଦାୟ ଏମ.ବି.ବି.ଏସ. ଆସନ ସଂଖ୍ୟା 321 ଥିବା ବେଳେ କୋରାପୁଟରର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ପଣ୍ଡିତ ରଘୁନାଥ ମୁର୍ମୂ ମେଡିକାଲ କଲେଜ ଓ ଭୀମ ଭୋଇ ମେକାଲ କଲେଜ ଲୋକାର୍ପଣ ପରେ ଏହି ଆସନ ସଂଖ୍ୟା 950କୁ ବୃଦ୍ଧି ପାଇଛି । ଆସନ୍ତା ମାସରେ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଲୋକାର୍ପିତ ହେବା ପରେ ରାଜ୍ୟରେ ଏମ.ବି.ବି.ଏସ. ଆସନ ସଂଖ୍ୟା 1050କୁ ଟପିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ନିଜ ବୃତ୍ତିର ଉଚ୍ଚ ଆଦର୍ଶକୁ ବଜାୟ ରଖି ଗରିବ ଲୋକଙ୍କୁ ଶ୍ରଦ୍ଧା ଓ ଅନୁକମ୍ପାର ସହିତ ସେବା କରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଅଗଷ୍ଟ 15 ତାରିଖରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଏହାଦ୍ବାରା ରାଜ୍ୟବାସୀଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ମିଳିପାରିବ ।

ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ ପାଇଁ 187 କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର ଏଥିପାଇଁ 122 କୋଟି ଓ କେନ୍ଦ୍ର ସରକାର 65 କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ସେହିପରି ହସ୍ପିଟାଲ ନିର୍ମାଣ ପାଇଁ 113 କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର 83 କୋଟି ଏବଂ କେନ୍ଦ୍ର ସରକାର 30 କୋଟି ଟଙ୍କା ପ୍ରଦାନ କରିଛନ୍ତି । ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର 25 ଏକର ଜମି ମଧ୍ୟ ଯୋଗାଇ ଦେଇଛନ୍ତି । ଏହାସହିତ ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ଅଧ୍ୟାପକ ଓ ଡାକ୍ତରଙ୍କ ଦରମା ଓ ଅନ୍ୟାନ ପାରିଚାଳନାଗତ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ।

Share

Leave a Reply

Your email address will not be published. Required fields are marked *

8 − six =